ଧାମନଗର ନିର୍ବାଚନ ପାଇଁ ପ୍ରଚାର କଲେ ଅଭିନେତ୍ରୀ ବର୍ଷା

ବହୁଚର୍ଚ୍ଚିତ ସୁପରଷ୍ଟାର ଅନୁଭଵ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପରିବାର ବିବାଦ ମାମଲାରେ କଟକ ପରିବାର ଅଦାଲତ ଗତକାଲି ଠାରୁ ବର୍ଷାଙ୍କ ଜେରା ଆରମ୍ଭ କରିଥିବା ବେଳେ ଆଜି ଜେରା ହୋଇ ନାହିଁ। ବର୍ଷା ପ୍ରିୟଦର୍ଶିନୀ ଆଜି କୋର୍ଟରେ ଉପସ୍ଥିତ ନ ରହି ଜେରା ପାଇଁ ଆଉ ଗୋଟିଏ ଦିନ ସମୟ ଦେବାକୁ ଏକ ଟାଇମ ପିଟିସନ ଦାୟର କରିଥିଲେ। ସ୍ୱାମୀ ଓ ପରିବାର ସଦସ୍ୟଙ୍କୁ ବହୁତ ଭଲ ପାନ୍ତି ଓ ହସଖୁସିରେ ପରିବାର ଥିଲା, ତେଣୁ ସ୍ୱାମୀଙ୍କ ସହ ରହିବା ପାଇଁ ଚାହାନ୍ତି ବୋଲି ତଥ୍ୟପ୍ରମାଣ ସହ ୩ ଶହ ପୃଷ୍ଠାର ଏକ ପିଟିସନ ବର୍ଷା ପ୍ରିୟଦର୍ଶିନୀ ପୂର୍ବରୁ କରିଥିବା ବେଳେ ଏହାର ଶୁଣାଣି ହୋଇଥିଲା। ଏହି ପିଟିସନର ଶୁଣାଣି ଶେଷ ହୋଇଥିବା ବେଳେ ନିର୍ଦ୍ଦେଶନାମା ପାଇଁ ଆସନ୍ତା କାଲିକୁ ଧାର୍ଯ୍ୟ କରାଯାଇଛି। କୋର୍ଟଙ୍କ ସମୟକୁ ଅପଚୟ କରିବା ପାଇଁ ଏଭଳି ପିଟିସନ ହୋଇଥିବା ଅନୁଭବ ମହାନ୍ତିଙ୍କ ପକ୍ଷରୁ କୋର୍ଟରେ ଦର୍ଶା ଯାଇଥିଲା। ସେହିଭଳି ଆଜି କୋର୍ଟ ତାରିଖ ଥିଲେ ସୁଦ୍ଧା ବର୍ଷା ପ୍ରିୟଦର୍ଶିନୀ କୋର୍ଟକୁ ନ ଆସି ଧାମନଗର ନିର୍ବାଚନରେ ପ୍ରଚାର କରୁଥିବା ଓ କୋର୍ଟଙ୍କୁ ସହଯୋଗ କରୁ ନ ଥିବା ନେଇ ଅନୁଭବଙ୍କ ପକ୍ଷରୁ ଆଜି ପରିବାର ଅଦାଲତରେ ଅନ୍ୟ ଏକ ପିଟିସନ ଦାୟର କରାଯାଇଛି। କୋର୍ଟ ଲଗାତର ତିନି ଦିନ ଜେରା ପାଇଁ ଧାର୍ଯ୍ୟ କରିଥିବା ବେଳେ କୋର୍ଟଙ୍କୁ ଉଭୟ ସହଯୋଗ କରିବେ ବୋଲି ପୂର୍ବରୁ ନିର୍ଦ୍ଦେଶ ଥିଲା। କିନ୍ତୁ ବର୍ଷା ପ୍ରିୟଦର୍ଶିନୀ ଏଥିରେ ବ୍ୟତିକ୍ରମ କରିବା ସହ କୋର୍ଟକୁ ଅସହଯୋଗ କରୁଥିବା ପିଟିସନରେ ଅଭିଯୋଗ ହୋଇଛି। ବର୍ଷାଙ୍କ ପ୍ରଚାରର ତଥ୍ୟ ଓ ଭିଡିଓ ପେନ ଡ୍ରାଇଭ ଜରିଆରେ କୋର୍ଟଙ୍କ ନିକଟରେ ଦାଖଲ କରାଯାଇଛି। ଅନ୍ୟପଟରେ ଶାଶୁଘର ଚାବି ଫେରାଇବା ପାଇଁ ଆସନ୍ତା କାଲି ଦିନ ଧାର୍ଯ୍ୟ ଥିବା ବେଳେ ଏସଡିଜେଏମ କୋର୍ଟରେ ବର୍ଷା ଏହି ଚାବି ଫେରାଇବେ। ତେଣୁ ଉଭୟ ଏସଡିଜେଏମ କୋର୍ଟ ଓ ପରିବାର ଅଦାଲତରେ ଆସନ୍ତା କାଲି ଏହି ମାମଲାର ଶୁଣାଣି ହେବ ବୋଲି ଆଶା କରାଯାଉଛି।

Spread the love