ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସୁଫଳରୁ ବଂଚିତ ରଖାଯିବାରେ ବିରାଟ ଷଡଯନ୍ତ୍ର ଏବଂ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରୀ ହୋଇପଡୁଛି : ବିଜେପି

ଭୁବନେଶ୍ୱର, ତା.୦୧/୧୧ : ନିଜ ଦୋଷକୁ ଲୁଚାଇବା ପାଇଁ ଯେତେ ସମ୍ଭବ, ତାଠୁ ଅଧିକ ମିଛ କହିବାକୁ ସଂକୋଚ ମଧ୍ୟ କରେ ନାହିଁ ଶାସକ ବିଜୁ ଜନତା ଦଳ । ଦୀର୍ଘ ୨୨ ବର୍ଷ ଧରି ଓଡିଶାବାସୀଙ୍କ ବିକାଶର ଦାୟୀତ୍ୱ ନେଇଥିବା ବିଜୁ ଜନତା ଦଳ ମିଛ ଓ ପ୍ରତାରଣାର ଭଣ୍ଡାର ଘର ସାଜିଛି । ଏପରିକି ବିଭିନ୍ନ କେନ୍ଦ୍ରୀୟ କଲ୍ୟାଣକାରୀ ଯୋଜନାକୁ ରାଜ୍ୟବାସୀଙ୍କ ସ୍ୱାର୍ଥରେ କାର୍ଯ୍ୟକାରୀ କରିବା ପରିବର୍ତେ ବାଧକ ସାଜି ବଂଚିତ ରଖୁଛନ୍ତି । ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସୁଫଳରୁ ବଂଚିତ ରଖାଯାଉଛି ଏବଂ ଏଥିରେ ବିରାଟ ଷଡଯନ୍ତ୍ର ଏବଂ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରୀ ହୋଇପଡୁଛି । ରାଜ୍ୟ ସରକାର ସରକାର ନିୟମ କାନୁନ ଭାଙ୍ଗିବା କାରଣରୁ କୃଷି ବୀମା ମିଳିବାରେ ବିଳମ୍ବ ହୋଇଛି ବୋଲି ବିଧାୟକ ତଥା ରାଜ୍ୟ ଉପସଭାପତି ଶ୍ରୀ ନାଉରୀ ନାଏକ କହିଛନ୍ତି ।
ରାଜ୍ୟ ସରକାରଙ୍କ ଦ୍ୱାରା ଅଯଥା ଏବଂ ଦ୍ୱନ୍ଦ ସୃଷ୍ଟି କରାଯିବା ପରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ଆଜି ନୁଆଦିଲ୍ଲୀଠାରେ କେନ୍ଦ୍ର ସରକାରଙ୍କ କୃଷି ବିଭାଗର ଅତିରିକ୍ତ ସଚିବଙ୍କୁ ଭେଟି ଏ ସଂପର୍କରେ ପୁଙ୍ଖାନୁପୁଙ୍ଖ ଅବଗତ ହୋଇଥିଲେ । ଏହି ପ୍ରତିନିଧି ଦଳରେ ବିଧାୟିକା ଶ୍ରୀମତୀ କୁସୁମ ଟେଟେ ଏବଂ ରାଜ୍ୟ ସଂପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ ।
ପ୍ରାକୃତିକ ବିପର୍ଯ୍ୟୟ ତଥା ବିଭିନ୍ନ ଦୁର୍ବିପାକ ଓ ରୋଗପୋକ ଦାଉରୁ ଫସଲ ନଷ୍ଟ ହୋଇଗଲେ, ଚାଷୀମାନଙ୍କୁ କ୍ଷତିପୂରଣ ଦେବା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଉଦ୍ଦିଷ୍ଟ । ବୀମା କମ୍ପାନୀ ଏବଂ ଚାଷୀ ମାନଙ୍କ ମଧ୍ୟରେ ବୀମାରାଶିକୁ ନେଇ ସମସ୍ୟା ଉପୁଜିଲେ କେନ୍ଦ୍ର ସରକାର ସଂଶୋଧିତ ପରିଚାଳନା ନିୟମାବଳୀ ଗତ ୨୦୨୦ ମସିହାରୁ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଦେଇଛନ୍ତି । ଦୀର୍ଘ ୨ ବର୍ଷ ଧରି ନିର୍ଦ୍ଦେଶ ଥିବା ସତ୍ୱେ ୫-ଟିର ସରକାର ବୋଲାଉଥିବା ରାଜ୍ୟ ସରକାର କଣ କରୁଥିଲେ ଏବଂ ବର୍ତମାନ ନିଜ ଦୋଷକୁ ସୁଧାରିବା ପରିବର୍ତେ କେନ୍ଦ୍ର ସରକାରଙ୍କୁ ଦୋଷ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି ଗାଇଡ ଲାଇନ ଅଧିନରେ ରାଜ୍ୟସ୍ତରୀୟ ବୈଷୟିକ ପରାମର୍ଶ କମିଟି(ଏସଟିଏସି) ଦ୍ୱାରା ବିଚାର ହୋଇ ସମାଧାନ ହୋଇପାରିବ । ଉକ୍ତ କମିଟିର ମୁଖ୍ୟ ଭାବେ କୃଷି ବିଭାଗର ପ୍ରମୁଖ ସଚିବ ଏବଂ ସଦସ୍ୟ ଭାବେ ରାଜ୍ୟର ବିଶ୍ୱବିଦ୍ୟାଳୟ ପ୍ରଫେସର, ଷ୍ଟେଟ୍ ରିମୋଟସେନ୍ସିଂର ବରିଷ୍ଠ ଅଧିକାରୀ ଓ ଆସିଏଆରର ପ୍ରତିନିଧି ରହିବାର ନିୟମ ରହିଛି । କିନ୍ତୁ ଏହାକୁ ଅମାନ୍ୟ କରି ବିଜେଡ଼ି ସରକାରରେ ମନଇଚ୍ଛା ଅନ୍ୟ ଏକ କମିଟି ଏସଏଲଟିସି (ଷ୍ଟେଟ ଲେବଲ ଟେକ୍ନିକାଲ କମିଟି) ଗଠନ କରି ରାଜ୍ୟ କୃଷି ବିଭାଗ ନିର୍ଦ୍ଦେଶକଙ୍କୁ ମୁଖ୍ୟ କଲେ, ଯାହାକି ବୈଧ ନୁହେଁ ବୋଲି କେନ୍ଦ୍ର ସରକାର ଗତ ଅଗଷ୍ଟ ୩୧ ତାରିଖ ଦିନ ପତ୍ର ମାଧ୍ୟମରେ ରାଜ୍ୟ ସରକାରଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦେଇଥିଲେ । ଗୋଟିଏ ନିୟମକୁ ଭାଙ୍ଗି ଜଣେ ନିର୍ଦ୍ଦେଶକ ସ୍ତରର ଅଧିକାରୀଙ୍କ ଦ୍ୱାରା ଏ ସମ୍ପର୍କୀତ ବିବାଦ ସମାଧାନ କରିବାକୁ ଉଦ୍ୟମ କରିବା ଲଜ୍ଜ୍ୟାଜନକ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ପତ୍ରାଳାପ ପରେ ରାଜ୍ୟ ସରକାରଙ୍କ ବୀମା ମାମଲା ଫଇସଲା କରି ନିର୍ଦ୍ଦେଶ ଜାରି କରିଛନ୍ତି । ଏ ସଂକ୍ରାନ୍ତରେ ସେପ୍େଟମ୍ବର ୧୬ରେ କେନ୍ଦ୍ରକୁ ଚିଠି ଲେଖିବା ସହ ମୋଟ ୧୮୯ମାମଲା ସମାଧାନ ହୋଇ ପାରିନଥିବା ଉଲ୍ଲେଖ କରାଯାଇଛି । ଏହି ମୋଟ ୧୮୯ ମାମଲାର ତର୍ଜମା କରି କେନ୍ଦ୍ର ସରକାରଙ୍କ ବୈଷୟିକ ପରାମର୍ଶ କମିଟି ଆସନ୍ତା ନଭେମ୍ବର ୩ ତାରିଖରେ ବୈଠକ କରି ନିର୍ଣ୍ଣୟ ନେବା ପରେ ନିର୍ଦ୍ଦେଶନାମା ଜାରି କରିବେ । ଅନ୍ୟ ପଟେ ମାତ୍ର ୧୮୯ଟି ମାମଲା ପାଇଁ ବଳକା ଲକ୍ଷ ଲକ୍ଷ ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନରେ ରାଜ୍ୟ ସରକାର କାହିଁକି ବାଧକ ସାଜିଛନ୍ତି ? ଅପରପକ୍ଷରେ ରାଜ୍ୟରେ ସମାଧାନ ହୋଇପାରିନଥିବା ମୋଟ ୧୮୯ ମାମଲା ଆସନ୍ତା ନଭେମ୍ବର ୩ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଷ୍ପତି ନିଆଯିବ ବୋଲି ଜଣାପଡିବା ପରେ ରାଜ୍ୟରେ ଚାଷୀ ମାନଙ୍କ ମଧ୍ୟରେ ବିଭ୍ରାଟ ସୃଷ୍ଟି କରାଯାଉଛି ବୋଲି ଶ୍ରୀ ନାଏକ କହିଛନ୍ତି ।

(ବିଜେପି ମିଡିଆ ସେଲ୍‌)

Spread the love