କାହାର ହେବ ଧାମନଗର? ଇଭିଏମରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ, ରବିବାର କାଉଣ୍ଟିଂ

ଭଦ୍ରକ ୦୫/୧୧: ଶେଷ ହୋଇଯାଇଛି ଧାମନଗର ଉପ ନିର୍ବାଚନ । ମୋଟ ୬୮.୮୯% ମତଦାନ ହୋଇଛି । ଆସନ୍ତା କାଲି ସକାଳ ୮ଟା ବେଳେ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ସେଥିନେଇ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଇଭିଏମ ରହୁଥିବା ଷ୍ଟ୍ରଙ୍ଗରୁମରେ ତ୍ରିସ୍ତରୀୟ ସୁରକ୍ଷା ଵ୍ୟଵସ୍ଥା ଗ୍ରହଣ କରାଯାଇଛି ।

ଇନର କର୍ଡନକୁ ସିଆରପିଏଫ ର ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ମିଡିଲ କର୍ଡନକୁ ଷ୍ଟେଟ ଆର୍ମ ଫୋର୍ସର ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ସେହିପରି ବାହ୍ୟ ବଳୟକୁ ଜିଲ୍ଲା ପୋଲିସର ଏକ ପ୍ଲାଟୁନ ଫୋର୍ସ ଜଗିଛନ୍ତି । ୧୪ଟି ଟେବୁଲରେ, ୧୮ରାଉଣ୍ଡ ଗଣତି ହେବ। ଏହି ଇଭିଏମ ମେସିନ୍ ଗୁଡିକ ଷ୍ଟ୍ରଙ୍ଗ ରୁମ୍‌ରେ ରହିବା ପରେ ରବିବାର ସକାଳୁ କଡ଼ା ସୁରକ୍ଷା ବଳୟରେ ଗଣତି ହେବ ।

ଇଭିଏମ ମେସିନ୍‌ରେ ଭୋଟ ଦାନ ହୋଇଥିବାରୁ ରବିବାର ଦିନ ୨ ଟା ସୁଦ୍ଧା ସମସ୍ତ ଫଳାଫଳ ମିଳିଯିବ ବୋଲି ଜଣାପଡିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ଭଦ୍ରକ ସଂସ୍କୃତି ଭବନରେ ବ୍ୟାପକ ବ୍ୟବସ୍ଥା କରିଛି । ୨୫୨ ଟି ବୁଥରେ ଭୋଟ୍ ପ୍ରକ୍ରିୟା ହୋଇଥିବାରୁ ୧୮ରାଉଣ୍ଡ ପାଇଁ ପ୍ରଶାସନ ୧୪ଟି ଟେବୁଲ ପ୍ରସ୍ତୁତ କରିଛି ।

Spread the love