୬ ରାଜ୍ୟରେ ୭ରୁ ୪ ଆସନରେ ବିଜେପିର ବାଜିମାତ୍, ୨୦୨୪ ପୂର୍ବରୁ ବ୍ୟାକଫୁଟରେ ବିରୋଧୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ, ବିହାର, ହରିୟାଣା, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଓଡ଼ିଶାରେ ମୋଟ ୭ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପି ବାଜିମାତ କରିଛି । ସାତରୁ ଚାରଟି ଆସନରେ ବିଜେପି ବିଜୟୀ ହୋଇଛି । ଅନ୍ୟପଟେ ଶିବସେନା, ଆରଜେଡି ଏବଂ ଟିଆରଏସ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଉପନିର୍ବାଚନରେ ବିଜୟୀର ଏହି ବିଜୟ ବିରୋଧୀ ଦଳଙ୍କ ପାଇଁ ବଡ଼ ଝଟକା ବୋଲି କୁହାଯାଉଛି ।

ଉତ୍ତର ପ୍ରଦେଶର ଲଖିମପୁର ଖେରି ଜିଲ୍ଲାର ଗୋଲା ଗୋକର୍ଣ୍ଣନାଥ ବିଧାନସଭା ଆସନ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଅମନ ଗିରି ୩୪ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ବିଜେପି ନେତା ଅରବିନ୍ଦ ଗିରିଙ୍କ ନିଧନ ପରେ ଏହି ଆସନରେ ଉପନିର୍ବାଚନ ହୋଇଥିଲା ।

ବିହାରର କ୍ଷମତାରେ ଥିବା ମହାମେଣ୍ଟ ଏବଂ ବିଜେପି ମଧ୍ୟରେ ମୁକାବିଲା ବରାବର ରହିଛି । ରାଜ୍ୟରେ ବିଜେପି ଏବଂ ଆରଜେଡି ଗୋଟିଏ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି । ମୋକାମାରୁ ଆରଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଗୋପାଳଗଞ୍ଜରେ ବିଜେପି ବାଜି ମାରିଛି ।

ହରିୟାଣାରେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ନାତି ଭବ୍ୟ ବିଷ୍ଣୋଇ ଆଦମପୁର ବିଧାନସଭା ଆସନରେ କଂଗ୍ରେସ ପାର୍ଥୀଙ୍କୁ ପରାଜିତ କରି ନିଜ ଗଡ଼ ବଞ୍ଚାଇଛନ୍ତି । ଭଗ୍ୟଙ୍କ ବାପା କୁଳଦୀପ ବିଷ୍ଣୋଇ କଂଗ୍ରେସ ବିଧାୟକ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ ।

ମୁମ୍ୱାଇର ଇଷ୍ଟ ଅନ୍ଧେରି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ପ୍ରାର୍ଥୀ ଋତୁଜା ଲଟକେ ବିଜୟୀ ହୋଇଛନ୍ତି । ଚଳିତ ବର୍ଷ ମେ ମାସରେ ଶିବସେନା ବିଧାୟକ ଏବଂ ଋତୁଜା ଲଟକେଙ୍କ ବାପା ରମେଶ ଲଟକେଙ୍କ ପରଲୋକ ହୋଇଥିଲା । ଏହାପରେ ଏହି ଆସନରେ ଉପନିର୍ବାଚନ ହୋଇଥିଲା।

ତେଲେଙ୍ଗାନା ମୁନୁଗୋଡେ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଟିଆରଏସ ବିଜୟୀ ହୋଇଛି । ଟିଆରଏସ ନିଜ ପ୍ରତିଦ୍ୱନ୍ଦ୍ୱୀ ବିଜେପିକୁ ୧୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜେପି ହୋଇଛି । ଏହି ଉପନିର୍ବାଚନରେ ଟିଆରଏସ, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ସହ ମୋଟ ୪୭ ଜଣ ମୈଦାନକୁ ଓହ୍ଲାଇଥିଲେ ।

ଓଡ଼ିଶାର ଧାମନଗର ବିଧାନସଭାରେ ହୋଇଥିବା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜେଡି ପ୍ରାର୍ଥୀକୁ ଅବନ୍ତୀ ଦାସଙ୍କୁ ୯୮୮୧ ଭୋଟ ବ୍ୟବଧାନରେ ପରାଜିତ କରିଛି । ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଏହି ଆସନ ପାଇଁ ଉପନିର୍ବାଚନ ହୋଇଥିଲା।    

Spread the love