ଉଡାଣ ଭରିବା ପୂର୍ବରୁ ଜେଟ୍ ଏୟାରୱେଜକୁ ବଡ଼ ଝଟକା, ବିମାନ କମ୍ପାନିକୁ ୩୦୮ କୋଟି ଟଙ୍କାର କ୍ଷତି

ନୂଆଦିଲ୍ଲୀ: ଘରୋଇ ସେକ୍ଟର ଏୟାରଲାଇନ କମ୍ପାନି ଜେଟ୍ ଏୟାରୱେଜ ତିନି ବର୍ଷ ପରେ ପୁଣି ଉଡାଣ ଆରମ୍ଭ କରିବାକୁ ପ୍ରସ୍ତୁତି କରୁଛି । ଏହାରି ଭିତରେ ବିମାନ କମ୍ପାନିକୁ ସେପ୍ଟେମ୍ୱର ତ୍ରୈମାସ ପରିଣାମରେ ବଡ଼ ଝଟକା ଲାଗିଛି । କମ୍ପାନି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସେପ୍ଟେମ୍ୱର ତ୍ରୈମାସରେ ୩୦୮.୪ କୋଟି ଟଙ୍କାର କ୍ଷତି ହୋଇଛି । ପୂର୍ବ ବର୍ଷ ସମାନ ଅବିଧରେ ମଧ୍ୟ କମ୍ପାନି ୩୦୫.୭୬ କୋଟି ଟଙ୍କା କ୍ଷତି ରେକର୍ଡ କରିଥିଲା । ପୂର୍ବ ବର୍ଷ ତୁଳନାରେ କମ୍ପାନିର କ୍ଷତିରେ ସାମନ୍ୟ ବୃଦ୍ଧି ଘଟିଛି । ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ଜେଟ୍ ଏୟାରୱେଜର ମୋଟ ଆୟ ଗୋଟିଏ ବର୍ଷ ସମାନ ଅବଧିର ୪୫.୦୧ କୋଟି ଟଙ୍କାରୁ କମି ୧୩.୫୨ କୋଟି ଟଙ୍କା ହୋଇଛି । ସେପ୍ଟେମ୍ୱର ତ୍ରୈମାସରେ ଜେଟ୍ ଏୟାରୱେଜର ମୋଟ ଖର୍ଚ୍ଚ ବଢି ୩୨୧.୭୬ କୋଟି ହୋଇଛି ।   ଉଲ୍ଲେଖଯୋଗ୍ୟ ଯେ, ଜେଟ୍ ଏୟାରୱେଜର ପରିଚାଳନା ଗତ ତିନି ବର୍ଷରୁ ଅଧିକ ସମୟ ଧରି ବନ୍ଦ ରହିଛି । ଗତ ବର୍ଷ ଜୁନରେ ରାଷ୍ଟ୍ରୀୟ କମ୍ପାନି ବିଧି ନ୍ୟାୟାଧିରଣ(ଏନସିଏଲଟି) ସହଭାଗୀତା ସମାଧାନ ଯୋଜନାକୁ ମଞ୍ଜୁରୀ ଦେଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଜେଟ୍ ଏୟାରୱେଜର ପରିଚାଳନା ଆରମ୍ଭ ହୋଇପାରି ନାହିଁ ।

Spread the love