ଜାତୀୟ ରାଜପଥରେ ବେଆଇନ ପାର୍କିଂ, ୨୦୨୨ରେ ଗଲାଣି ୧୦୪ ଜୀବନ

ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥରେ ହୋଟେଲ ଢ଼ାବା ମାଲିକଙ୍କ ବେଆଇନ ପାର୍କିଂ ପାଇଁ ଯାଇଛି ଲୋକଙ୍କ ଜୀବନ। ୨୦୨୨ ରେ ଅଗଷ୍ଟ ମାସ ସୁଦ୍ଧା ୧୭୪ ଦୁର୍ଘଟଣାରେ ଗଲାଣି ୧୦୪ ଜୀବନ।

ଭଦ୍ରକ ଦେଇ ଯାଇଥିବା  ୧୬ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଦିନକୁ ଦିନ ଦୁର୍ଘଟଣା ଵୃଦ୍ଧି ପାଇଵାରେ ଲାଗିଛି। ପୂର୍ବରୁ ଚାରି ଥାକିଆ ରାସ୍ତାରେ ଯେତିକି ଦୁର୍ଘଟଣା ଘଟି ଜୀବନ ହାନି ହେଉଥିଲା ଏଵେ ଛ ଥାକିଆ ରାସ୍ତାରେ ମଧ୍ୟ ତା ଠାରୁ ଅଧିକ ଦୁର୍ଘଟଣା ଘଟି ଅନେକଙ୍କ ପ୍ରାଣହାନୀ ଘଟୁଛି।ଏହାର ପ୍ରମୁଖ କାରଣ ହେଉଛି ରାଜପଥ ଉପରେ ଵିଭିନ୍ନ ଗାଡି ଗୁଡିକ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହିବା। ସୂଚନା ଅନୁସାରେ ରାଜପଥ ପାର୍ଶ୍ୱ ଭଣ୍ଡାରିପୋଖରୀ ଛତାବର ଅଞ୍ଚଳଟି ହୋଟେଲ ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିଥିବା ବେଳେ ଏଠାରେ ଅନେକ ସମୟରେ ଦୁର୍ଘଟଣା ମାନ ଘଟୁଛି। ରାସ୍ତାରେ ଯାଉଥିବା ବିଭିନ୍ନ ମାଲବାହୀ ଗାଡି ସହିତ ଟୁରିଷ୍ଟ ବସ ଓ ଅନ୍ୟାନ୍ୟ ଯାନବାହନ ହୋଟେଲ ନିକଟରେ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛନ୍ତି। ଦିନ ୧୨ରୁ୩ ଓ ସନ୍ଧ୍ୟା୭ରୁ ରାତି ପାହିବା ଯାଏଁ ହୋଟେଲ ସାମ୍ନା ରାସ୍ତା ଉପରେ ଗାଡି ଗୁଡିକ ଠିଆ ହୋଇ ରହୁଥିବାରୁ ଅନେକ ସମୟରେ ଦୁର୍ଘଟଣା ମାନ ଘଟୁଥିବା ଜଣାଯାଇଛି।

ଛତାବର ସୀମା ରାସ୍ତାକୁ ଲାଗି ପ୍ରାୟ ୧୦ରୁ ଅଧିକ ହୋଟେଲ  ତଥା ଢ଼ାବା ଥିବା ବେଳେ ଏମାନଙ୍କର ନିଜସ୍ୱ ପାର୍କିଂ ଏରିଆ ପ୍ରାୟତଃ ନାହିଁ। ଫଳରେ ହୋଟେଲରେ ଖାଇବା ପାଇଁ ଚାଳକ ମାନେ ଗାଡି ଗୁଡିକୁ ବେଆଇନ ଭାବେ ରାସ୍ତା ଉପରେ ଠିଆ କରୁଛନ୍ତି। ପ୍ରାୟ ଦୁଇ କିଲୋମିଟର ବ୍ୟାପୀ ଗାଡି ରହୁଥିବା ବେଳେ ଏହା ଅନ୍ୟାନ୍ୟ ଗାଡି ଚଳାଚଳରେ ଘୋର ବ୍ୟାଘାତ ସୃଷ୍ଟି କରୁଛି। ଏପରିକି ଦୁର୍ଘଟଣା ଘଟି ଜୀବନ ହାନି ମଧ୍ୟ ହେଉଛି। ଏହି କାରଣ ଯୋଗୁ ଗତ ସପ୍ତାହରେ ଜଣେ ଶିକ୍ଷକଙ୍କର ଜୀବନ ଚାଲି ଯାଇଥିଲା।

Spread the love