55 ଦିନ ଚାଲିବ କୁମ୍ଭମେଳା, ସମାଗମ ହେବେ 10 କୋଟି ଶ୍ରଦ୍ଧାଳୁ

ଆଜିଠାରୁ ଆରମ୍ଭ ହେଉଛି ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସମାଗମ ‘କୁମ୍ଭମେଳା’। ପବିତ୍ର ନଦୀସମୂହରେ ପବିତ୍ର ବୁଡ଼ ପକାଇବାପାଇଁ ଏକାଠି ହୋଇଛନ୍ତି କୋଟି କୋଟି ଶ୍ରଦ୍ଧାଳୁ। ଏଠାରେ  10 କୋଟି ଶ୍ରଦ୍ଧାଳୁ ଏକାଠି ହେବାର ସମ୍ଭାବନା ରହିଥିବା ଜଣାଇଛନ୍ତି ଆୟୋଜକ। ଉତ୍ତରପ୍ରଦେଶର ଏହି ଐତିହାସିକ ସହର ନିକଟରେ ହିଁ ଗଙ୍ଗା, ଯମୁନା ଓ ପୁରାଣ ବର୍ଣ୍ଣିତ ସରସ୍ୱତୀ ନଦୀର ମିଳନ ଘଟିଥିବା କଥିତ ରହିଛି। ସେଥିପାଇଁ ଏହି ସ୍ଥାନକୁ ସଙ୍ଗମ ବୋଲି ମଧ୍ୟ କୁହାଯାଏ।

ଏହି ସଙ୍ଗମସ୍ଥଳୀକୁ ହିନ୍ଦୁ ଧର୍ମାବଲମ୍ବୀମାନେ ଅତି ପବିତ୍ର ମନେ କରନ୍ତି ଏବଂ ଏଠାରେ ବୁଡ଼ ପକାଇଲେ ପାପକ୍ଷୟ ହେବାସହିତ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି। ଏଠାକୁ ମହାରାଷ୍ଟ୍ରର ନାଗପୁରରୁ ଅର୍ଥାତ 650 କିଲୋମିଟର ଯାତ୍ରା କରି ଆସିଥିବା ଜଣେ ଶ୍ରଦ୍ଧାଳୁ ସଙ୍ଗୀତା ଗଙ୍ଗୋତ୍ରୀ କୁହନ୍ତି, “ଏହି ତୀର୍ଥଯାତ୍ରା ମୋ ମନକୁ ଶାନ୍ତି ଦିଏ ଏବଂ ମୁଁ ମୋ ଜୀବନକୁ ଏଥିରେ ପ୍ରତିଫଳନ କରିବାର ସୁଯୋଗ ପାଇଥାଏ। ଏହି ସମୟରେ ସମସ୍ତ ଦେବାଦେବୀ ଏହି ସ୍ଥାନରେ ଅବତରଣ କରିଥାନ୍ତି, ତେଣୁ ଏହା ପବିତ୍ରତମ ମହାକୁମ୍ଭ ମେଳା।

ଶୃଙ୍ଖଳରକ୍ଷା, ସୁରକ୍ଷା ଏବଂ ସାମ୍ଭାବ୍ୟ ଦଳାଚକଟା ଉପରେ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ 30ହଜାର ପୁଲିସ୍‌ ନିୟୋଜିତ ହୋଇଛନ୍ତି। କୁମ୍ଭମେଳା ପାଇଁ ଉଦ୍ଦିଷ୍ଟ45 ବର୍ଗ କିଲୋମିଟର ଅଞ୍ଚଳ ବର୍ତ୍ତମାନ ତମ୍ବୁର ସହର ପାଲଟିଯାଇଛି। ବାରଣାସୀରୁ ଆସିଥିବା ଗଣେଶାନନ୍ଦ ବ୍ରହ୍ମଚାରୀଙ୍କ କହିବା ଅନୁଯାୟୀ, କୁମ୍ଭକୁ ଅଧିକରୁ ଅଧିକ ଲୋକ ଆସିବାରେ ଲାଗିଛନ୍ତି। ସହରମାନଙ୍କରେ ଲୋକେ ଆଧ୍ୟାତ୍ମିକତା ଆପଣାଇବାର ମୁଖ୍ୟ କାରଣ ହେଉଛି ପଶ୍ଚିମ ସଂସ୍କୃତିରୁ ସେମାନେ ଯାହା ଆଶା କରିଥିଲେ ତାହା ସେମାନଙ୍କୁ ମିଳିନି। ଗତ କିଛି ଦିନ ତଳେ ହିଁ ଏହି ଐତିହାସିକ ସହରର ନାମ ଆଲ୍ଲାବାଦ ବଦଳରେ ପ୍ରୟାଗରାଜ ରଖାଯାଇଥିଲା।

Spread the love