ଚାଷୀକୂଳର ସ୍ୱାର୍ଥ ରକ୍ଷା ପାଇଁ ସତ୍ୟାଗ୍ରହ ଜାରୀ ରହିବ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର,ତା.୧୮/୧୧: ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ରରେ ମୋଦି ସରକାର ପ୍ରତିଶୃତିବଦ୍ଧ । କେନ୍ଦ୍ର ସରକାର ଚାଷ ଓ ଚାଷୀଙ୍କ ସମସ୍ୟା ଦୂରୀକରଣ ପାଇଁ ଗତ ୮ ବର୍ଷରେ ବିଭିନ୍ନ ପ୍ରକାରର କୃଷିକଲ୍ୟାଣ ଯୋଜନାର କାର୍ଯ୍ୟକାରି କରିଆସୁଛନ୍ତି । ଅନ୍ୟ ପକ୍ଷରେ ଓଡିଶା ସରକାର କେନ୍ଦ୍ରୀୟ ଯୋଜନାର ସୁଫଳକୁ ଚାଷୀଙ୍କ ପାଖରେ ପଂଚାଇବାରେ ବିଫଳ ହୋଇ ନିଜ ଦୋଷ କେନ୍ଦ୍ର ଉପରେ ଲଦିବାରେ ବ୍ୟସ୍ତ ରହୁଛି । ସର୍ବଭାରତୀୟ ସ୍ତରରେ ଚାଷୀର ଆୟ କ୍ରମାଗତ ଭାବେ ବୃଦ୍ଧି ପାଇ ୧୦ ହଜାର ହୋଇ ସାରିଥିବାବେଳେ ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ସରକାର ଅମଳରେ ଓଡିଶା ଚାଷୀଙ୍କ ଆୟ ମାତ୍ର ୫ ହଜାରରେ ସୀମିତ ହୋଇ ରହିଯାଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ବିଜୁ ଜନତା ଦଳ ଚାଷୀଙ୍କ ପାଇଁ କାଳ ସାଜିଥିବାର ପ୍ରମାଣିତ ହୋଇଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଓଡିଶାରେ ଚାଷୀଙ୍କୁ ସର୍ବଦା ଅବହେଳିତ କରୁଛନ୍ତି ରାଜ୍ୟ ସରକାର । ମଣ୍ଡି ସମସ୍ୟା, ବିହନ ଓ ସାର ଅଭାବ, କଟନି ଛଟନି, ଅବ୍ୟବସ୍ଥିତ ଟୋକନ ବ୍ୟବସ୍ଥା, ବେପାରୀ-ମିଲର-ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା ଭଳି ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି କାରଣରୁ ଚାଷୀର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । ବୀମା କଂପାନୀ ପ୍ରତି ରାଜ୍ୟ ସରକାରଙ୍କ ଅହେତୁକ ଅନୁକଂପା, ଆଜି ଚାଷୀମାନଙ୍କ ପାଇଁ କାଳ ସାଜିଛି । ବୀମା କଂପାନୀ ଟଙ୍କାରେ ଶାସକ ବିଜେଡି ନେତା ଓ ମନ୍ତ୍ରୀ ଅଜସ୍ର ଟଙ୍କା ରୋଜଗାର କରୁଛନ୍ତି ସତ, କିନ୍ତୁ ଚାଷୀଟି ନିଜ ନ୍ୟାର୍ଯ୍ୟ ହକ୍ ପାଇବାରୁ ବଂଚିତ ହେଉଛି । ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଫଳ ହୋଇଥିବା ଏବଂ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ପ୍ରତିବାଦ କରି ଆଜିଠାରୁ ବିଧାନସଭା ସମ୍ମୁଖରେ ବିଜେପି ସତ୍ୟାଗ୍ରହ ଆରମ୍ଭ କରିଛି । ରାଜ୍ୟ ସରକାର ଚାଷୀକୂଳର ସ୍ୱାର୍ଥ ରକ୍ଷା ପାଇଁ ବିହିତ ପଦକ୍ଷେପ ଗ୍ରହଣ ନକରିବା ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ ଜାରୀ ରହିବ ଏବଂ ଆଗାମୀ ଦିନରେ ଏହି ବିକ୍ଷୋଭ ଓ ପ୍ରତିବାଦ ସଭା ସମସ୍ତ ଜିଲ୍ଲାରେ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ନିର୍ବାଚନ ଆସିଲେ ଶାସକ ବିଜେଡିକୁ ଚାଷୀଙ୍କ କଥା ମନେ ପଡେ ଏବଂ ସେମାନଙ୍କୁ ଭୂଆଁ ବୁଲାଇବା ପାଇଁ ମିଥ୍ୟା ପ୍ରତିଶୃତିର ବନ୍ୟା ସୃଷ୍ଟି କରିଦିଅନ୍ତି । ମିଛ ଓ ପ୍ରତାରିତ କରି ଭୋଟ ହାତେଇବା ପରେ ଦେଇଥିବା ସବୁ ପ୍ରତିଶୃତିକୁ ପବନରେ ଉଡାଇ ଦିଅନ୍ତି ରାଜ୍ୟ ସରକାର । ଚାଷୀଙ୍କୁ ଫସଲବୀମାର ସହଜ ଉପଲବ୍ଧ ନିମନ୍ତେ କେନ୍ଦ୍ର କୃଷି ବୈଷୟିକ କମିଟି ବାରମ୍ବାର ରାଜ୍ୟ ସରକାରଙ୍କୁ ଅବଗତ କରିଥିବା ସତ୍ୱେ ରାଜ୍ୟ ସରକାର ସେଥିପ୍ରତି କର୍ଣ୍ଣପାତ କରିନଥିଲେ । ଚାଷୀଙ୍କ ରୋଷରୁ ବର୍ତିବା ପାଇଁ ନିଜ ଦାୟୀତ୍ୱରୁ ଓହରି ଯାଇ ସଂପୂର୍ଣ୍ଣ ମିଛ କଥା କହି କେନ୍ଦ୍ରକୁ ଦୋଷ ଲଦି ଦେବାର ରାଜ୍ୟ ସରକାରଙ୍କ ଅପପ୍ରୟାସ ଅତ୍ୟନ୍ତ ଲଜ୍ଜାଜନକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ତ୍ୱରିତ ପଦକ୍ଷେପ କାରଣରୁ ରାଜ୍ୟର ଚାଷୀମାନେ ଫସଲ ବୀମା ଟଙ୍କା ପାଇଲେ । ଏଥି ସହ ରାଜ୍ୟ ସରକାରଙ୍କୁ ଫସଲ ବୀମା ଟଙ୍କା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଲେ । ଆଜିକୁ ୨୨ବର୍ଷ ଧରି ରାଜ୍ୟ ସରକାର କୃଷକଙ୍କୁ ଅଣଦେଖା କରୁଥିବା ବେଳେ ଭାରତୀୟ ଜନତା ପାର୍ଟି ସର୍ବଦା କୃଷକଙ୍କ ସାଙ୍ଗରେ ରହିଛି ଏବଂ ରହିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ତଥା ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡା, ବରିଷ୍ଠ ନେତା ସଜ୍ଜନ ଶର୍ମା, ମହେଶ୍ୱର ସାହୁ, ନୟନ କିଶୋର ମହାନ୍ତି, ରମାରଂଜନ ବଳିୟାରସିଂହ, ବାୟୀଧର ମଲ୍ଲିକ ସୁରଥ ବିଶ୍ୱାଳ, ଶାରଦା ପ୍ରଧାନ, ଦିଲୀପ ମଲ୍ଲିକ, ତେଜୋସ୍କର ପରିଡା, ରାଜେନ୍ଦ୍ର ପଣ୍ଡା, ଆଶ୍ରିତ ପଟ୍ଟନାୟକ, ସୋନାଲୀ ସାହୁ, ମହେଶ୍ୱର ମହାନ୍ତି, କାମାକ୍ଷା ପ୍ରଧାନ, ହୃଷିକେଶ ଜେନା, ଶୁଭ୍ରାଂଶୁ ମୋହନ ପାଢ଼ୀ ଶ୍ରୀରଂଜନ ମଙ୍ଗରାଜ, ବିଶ୍ୱଜିତ ସ୍ୱାଇଁ, କସ୍ତୁରୀ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ ।

Spread the love