ଗୁଜରାଟରେ ୭ ବିଜେପି ବିଧାୟକ ୬ ବର୍ଷ ପାଇଁ ସସ୍‌ପେଣ୍ଡ

ରାଜକୋଟ: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଆକ୍ସନ୍ ମୋଡ୍‌ରେ ଭାରତୀୟ ଜନତା ପାର୍ଟି  । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ।  ବିଜେପିରୁ ନିଲମ୍ବିତ ହୋଇଛନ୍ତି ୭ ବିଧାୟକ । ନିର୍ବାଚନରେ ଟିକେଟ୍ କଟିବା ପରେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ଏହା ପରେ ରାଜ୍ୟ, ପାର୍ଟି ଅଧ୍ୟକ୍ଷ ସମସ୍ତ ୭ ବିଧାୟକଙ୍କୁ ସସ୍‌ପେଣ୍ଡ କରିଛନ୍ତି ।  

ସୂଚନା ଅନୁଯାୟୀ, ନର୍ମଦା ବିଧାୟକ ହରସଦ୍ ଭାସଭା, କେଶଦ ଜୁନାଗଡ଼ ବିଧାୟକ ଅରବିନ୍ଦ ଲଡ଼ାନି, ଧାଙ୍ଗଦ୍ରା ବିଧାୟକ ଛତ୍ରସିଂ ଗୁଞ୍ଜରିଆ, ପରାଦି ବିଧାୟକ କେତନ ଭାଇ ପଟେଲ୍, ରାଜକୋଟ୍‌ର ଗ୍ରାମୀଣ ବିଧାୟକ ଭାରତ ଭାଇ ଚଭଡା, ଭରେଭାଲ ବିଧାୟକ ଉଦୟ ଭାଇ ଶାହା ଓ ଗିର୍ ସୋମନାଥ ବିଧାୟକ କରଣ ଭାଇ ଭରିଆ କିଛି ଦିନ ହେଲା ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଥିଲେ । ଏନେଇ ଚଳିତ ନିର୍ବାଚନରେ ଦଳ ତରଫରୁ ସମସ୍ତ ଏମଏଲଏଙ୍କ ଟିକେଟ୍ କଟାଯାଇଥିଲା । ପରେ ସମସ୍ତେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାନଙ୍କ ଦାଖଲ କରିଥିଲେ । ତେବେ ଗୁଜରାଟ ବିଜେପି ଅଧ୍ୟକ୍ଷ ସିଆ.ର. ପାଟିଲ୍  ୭ ବାଗୀ ବିଧାୟକଙ୍କୁ ୬ ବର୍ଷ ପାଇଁ ଦଳରୁ ସସ୍‌ପେଣ୍ଡ କରିଛନ୍ତି । ଚଳିତ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ୪୨ ଜଣ ବିଧାୟକଙ୍କ ଟିକେଟ୍ କାଟି ଦେଇଛି। ପ୍ରଥମ ପର୍ଯ୍ୟାୟରେ ୧୬୦ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା ବିଜେପି । ଏଥିରେ ୩୮ ବିଧାୟକଙ୍କ ଟିକେଟ୍ କାଟିଛି । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ଉପ-ମୁଖ୍ୟମନ୍ତ୍ରୀ ନୀତିନ ପଟେଲ ମଧ୍ୟ ଦଳୀୟ ଟିକେଟ୍‌ରୁ ବଞ୍ଚିତ ହୋଇଛନ୍ତି । ଗୁଜରାଟରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଡିସେମ୍ବର ୧ ଓ ୫ ତାରିଖରେ ମତଦାନ । ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ଗୁଜରାଟରେ ୧୮୨ ଆସନରୁ ୯୯ଟି ସିଟ୍  ହାସଲ କରିଥିଲା ।

Spread the love