ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ, ସଂଧ୍ୟା ହେଲେ ଅନ୍ଧାର ହୋଇଯାଉଛି ୮୫ ଗାଁ

ତେଲକୋଇ ୨୨/୧୧: ସଂଧ୍ୟା ହେଲେ ଅନ୍ଧାର ହୋଇଯାଉଛି ୧୩ ପଞ୍ଚାୟତ ର ୮୫ ଗାଁ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ । ସୂଚନା ଅନୁଯାୟୀ ତେଲକୋଇ ବ୍ଲକରେ ରହିଛି ୨୨ଟି ପଞ୍ଚାୟତ । ସେଥିମଧ୍ୟରୁ ୧୩ ଟି ପଞ୍ଚାୟତ ସମାକୋଇ ନଦୀ ସେପଟେ ରହିଛି । ଖୁଣ୍ଟାପଡା ପଞ୍ଚାୟତ ଠାରୁ ଆରମ୍ଭ କରି କାଳିଆହତା ପଞ୍ଚାୟତ ପର୍ଯ୍ୟନ୍ତ ବିସ୍ତିର୍ଣ୍ଣ ଅଞ୍ଚଳରେ ୧୩ ପଞ୍ଚାୟତର ୮୫ରୁ ଉର୍ଦ୍ଧ୍ୱ ଗାଁ ରହିଛି । ହେଲେ ସଂଧ୍ୟା ହେଲେ ଟାଟା ପାଓ୍ୱାର ହାତୀ ଆଳ ଦେଖାଇ ଏ ଗାଁଗୁଡିକୁ ଲାଇନ କାଟି ଦେଉଛି । ଫଳରେ ଅନ୍ଧାର ଭିତରେ ଜୀବନ ବିତାଉଛନ୍ତି ହଜାର ହଜାର ପରିବାର । ଟାଟା ପାଓ୍ୱାରର ମନମାନି ଯୋଗୁଁ ଶହ ଶହ ସ୍କୁଲପିଲା ସଂଧ୍ୟା ସମୟରେ ପାଠ ପଢି ପାରୁନଥିବା ବେଳେ ସେମାନଙ୍କ ଭବିଷ୍ୟତ ମଧ୍ୟ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି । ସେପଟେ କିରୋସିନିର ଦାମ ଅଧିକ ଥିବାବେଳେ କିରୋସିନି ମଧ୍ୟ ମିଳୁ ନଥିବା ଦେଖିବାକୁ ମିଳିଛି ।

ଲୋକେ ଅନ୍ଧାରରେ ରାତ୍ରି ଭୋଜନ ସହିତ ରୋଷେଇରେ ମଧ୍ୟ ସମସ୍ୟା ଭୋଗୁଛନ୍ତି । ଏନେଇ ପ୍ରଗତିଶୀଳ ନାଗରିକ ମଞ୍ଚ ପକ୍ଷରୁ ସାତ ମାସ ପୂର୍ବେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିବା ବେଳେ ମାନ୍ୟବର ହାଇକୋର୍ଟ ଦୁଇ ଦୁଇ ଥର ଟାଟା ପାଓ୍ବାର, କେନ୍ଦୁଝର ଜିଲ୍ଲାପାଳ, କେନ୍ଦୁଝର ଡିଏଫଓ, ମୂଖ୍ୟ ଶାସନ ସଚିବ ଓଡିଶା, ଟାଟା ପାଓ୍ବାର ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବନବିଭାଗ ମୂଖ୍ୟ ପିସିସିଏଫଙ୍କୁ ନୋଟିସ କରିଥିଲେ ।

ଦୁଇମାସ ଭିତରେ ସମସ୍ୟାର ସମାଧାନ ପାଇଁ ପକ୍ଷଭୁକ୍ତ ପ୍ରଶାସନିକ ଅଧିକାରୀ ଓ ଟାଟା ପାଓ୍ୱାର ପକ୍ଷରୁ ହାଇକୋର୍ଟଙ୍କ ନିକଟରେ ସତ୍ୟପାଠ ଦେଇଥିଲେ । ତେବେ ସାତ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଅନ୍ଧାରରେ ବୁଡି ରହିଛନ୍ତି ୮୫ ରୁ ଉର୍ଦ୍ଧ୍ୱ ଗାଁର ଲୋକେ । ହାଇକୋର୍ଟଙ୍କ ନିର୍ଦ୍ଦେଶ କୁ ଫୁ କରି ଉଡାଇ ଦେଇଛନ୍ତି ଟାଟା ପାଓ୍ବାର ଅଧିକାରୀ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଖାତିର କରୁନଥିବା ଟାଟା ପାଓ୍ୱାର ଅଧିକାରୀଙ୍କ ବିରୋଧରେ ନନ୍ ବେଲେବୁଲ ଓ୍ୱାରେଣ୍ଟ ଜାରି ପାଇଁ ଦାବି ରଖିବା ସହିତ ଏନେଇ ପୁଣି ନାଗରିକ ମଞ୍ଚ ପକ୍ଷରୁ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ମଞ୍ଚର ସଭାପତି ଅକ୍ଷୟ ପ୍ରଧାନ ଓ ସଂମ୍ପାଦକ କହିଛନ୍ତି ।

Spread the love