ପଂଚାୟତରାଜ ମନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଦେଖାଦେଇଛି । ବିଶେଷ କରି ସରକାରୀ ଅଫିସରମାନେ ଶାସକ ଦଳ ସହ ସଂପକ ଥିବା ଧନୀକ ବ୍ୟକ୍ତିମାନଙ୍କୁ ପକ୍କା ଘର ବଂଟନ କରିବା ସହ ସେମାନଙ୍କ ଘରକୁ ଜିଓ ଟ୍ୟାଗିଙ୍ଗ କରୁଛନ୍ତି । ଏହା ବିରୁଦ୍ଧରେ ଗତ ୧୦ ତାରିଖରେ ବିଜେପି ପକ୍ଷରୁ ରାଜଭବନ ଆଗରେ ଏକ ପ୍ରତିବାଦ ସଭା କରାଯାଇଥିଲା । ଶାସକ ଦଳ ପକ୍ଷରୁ ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଅନିୟମିତତାର ଉପଯୁକ୍ତ ପ୍ରମାଣ ଦେଖାଇଲେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ବିବୃତି ଦେଇଥିଲେ । କିନ୍ତୁ ର୍ଦୁଭାଗ୍ୟର କଥା ହେଉଛି କି, ଖୋଦ୍ ମନ୍ତ୍ରୀଙ୍କ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ର୍ଦୁନୀତି ହୋଇଛି । ଘର ବଂଟନରେ ବ୍ୟାପକ ଅନିୟମିତତା ଏବଂ ଭ୍ରଷ୍ଟାଚାର ଘଟଣା ଗଣମାଧ୍ୟମର ପୃଷ୍ଠା ମଣ୍ଡନ ହେଉଥିବାବେଳେ ଶାସକ ଦଳର ମନ୍ତ୍ରୀ ପ୍ରମାଣ ମାଗିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ରାଜ୍ୟ ବିଜେପିର ଯୁବ ନେତା ଶାରଦା ପ୍ରଧାନ ଅଭିଯୋଗ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୦୨ ମସିହାରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର କେଶବ ଜେନା ଇନ୍ଦିରା ଆବାସ ଘର ପାଇଥିଲେ । ୨୦୧୪-୧୫ ମସିହାରେ ତାଙ୍କ ପୁଅ ଫକୀର ଜେନା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ଏକ ଘର ନେଇଥିଲେ । ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟରେ ଏହା ବେଆଇନ ବୋଲି ଦର୍ଶାଯାଇଛି । ଏହିପରି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ୫ ହଜାରରୁ ଉଦ୍ଧ୍ୱର୍ ଘର ବେଆଇନ ଭାବେ ବଂଟନ କରାଯାଇଛି । କେଶବ ଜେନାଙ୍କ ଉପର ମହଳାରେ ତାଙ୍କ ପୁଅ ଫକୀର ଜେନା ଘର କରିଛନ୍ତି ବୋଲି ଜିଲ୍ଲାପାଳ ରିପୋର୍ଟ ଦେଇଛନ୍ତି । ସେହିପରି ଖାଦ୍ୟ ସୁରକ୍ଷା ଆଇନରେ ମାହାଙ୍ଗା ପଂଚାୟତ ସମିତିର ଅଧ୍ୟକ୍ଷ ଭିକାରୀ ସ୍ୱାଇଁଙ୍କ ନାଁ ରାସନ କାର୍ଡରେ ରହିବା ଘଟଣା ସମସ୍ତ ଖବରକାଗଜରେ ପ୍ରକାଶ ପାଇଥିଲା । କିନ୍ତୁ ମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀର ଦୁର୍ନୀତିକୁ ଲୁଚାଇ ମିଡିଆ ଆଗରେ ବାହାସ୍ପୋଟ ମାରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ରାଜ୍ୟସରକାର ବ୍ୟବସ୍ଥା କଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଅନିୟମିତତାର ଠୋସ ପ୍ରମାଣ ନେଇ ପ୍ରତ୍ୟେକ ଦିନ ୫୦ ରୁ ୧୦୦ ଅଭିଯୋଗକାରୀ ପଂଚାୟତ ରାଜ ବିଭାଗ ପାଖରେ ଅଭିଯୋଗ କରିବେ । ଏଥିଲାଗି ମୁଖ୍ୟମନ୍ତ୍ରୀ ଏବଂ ପଂଚାୟତରାଜ ମନ୍ତ୍ରୀ ଅଭିଯୋଗ ଶୁଣିବା ପାଇଁ ବ୍ୟବସ୍ଥା କରନ୍ତୁ । ୨୦୧୯-୨୦ ଆର୍ଥୀକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜାନରେ ମାହାଙ୍ଗା ନିର୍ବାଚନମଣ୍ଡଳୀ ନୃତଙ୍ଗ ପଂଚାୟତର ହରେକୃଷ୍ଣ ବାରିକ, ତ୍ରିଲୋଚନ ସ୍ୱାଇଁ, ଆମୀୟ ସାହୁ, ବିଶ୍ୱନାଥ ପଣ୍ଡାଙ୍କ ଘରକୁ ଜିଓ ଟ୍ୟାଗିଙ୍ଗ କରାଯାଇଛି । ବାସ୍ତବରେ ଏମାନେ ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ ଏବଂ ଧନୀକ ଶ୍ରେଣୀର ବ୍ୟକ୍ତି । ଶାସକ ଦଳର ସହ ଏମାନଙ୍କ ସଂପୃକ୍ତି ଥିବାରୁ ଏମାନଙ୍କୁ ଘର ବଂଟନ କରାଯାଇଛି । କିନ୍ତୁ ଯୋଗ୍ୟ ହିତାଧିକାରୀ ଗରୀବ ଅସହାୟ ବ୍ୟକ୍ତି ଯଥା ଅମୀୟ ଜେନା, ବ୍ରଜ କିଶୋର ଜେନା, ଅମୂଲ୍ୟ କୁମାରଦାସ, ପରମାନନ୍ଦ ମହାପାତ୍ର ଏବଂ ବାବାଜୀ ସାହୁ ପ୍ରମୁଖ ଯୋଗ୍ୟ ବ୍ୟକ୍ତି ହୋଇ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଂଚିତ ହୋଇଛନ୍ତି ।

ଏହି ବ୍ୟକ୍ତିମାନଙ୍କ ଭଙ୍ଗା ଚାଳଛପର ଘରକୁ ତଥ୍ୟ ପ୍ରମାଣ ଆଧାରରେ ଫଟୋ ଦ୍ୱାରା ଗଣମାଧ୍ୟମ ଆଗରେ ଶ୍ରୀ ପ୍ରଧାନ ଦେଖାଇବା ସହ ମନ୍ତ୍ରୀ ପ୍ରତାପ ଜେନା ଏହାର ଉତର ତୁରନ୍ତ ଜନମାନସରେ ପ୍ରକାଶ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । ଦଳୀୟ ଭତିରେ ରାଜ୍ୟସରକାର ଘର ବାଂଟିଚାଲିଛନ୍ତି । ୨୦୧୬ ମସିହାରେ କଟକ ଜିଲ୍ଲାପାଳ ମାହାଙ୍ଗା ନିର୍ବାଚନମଣ୍ଡଳୀରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଛି ବୋଲି ତାଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଇଥିଲେ l ସେତେବେଳର ବିଧାୟକ ଏବଂ ଏବେର ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଘର ବଂଟନ ର୍ଦୁନୀତି ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାହା ସ୍ପଷ୍ଟ କରନ୍ତୁ । ୨୦୧୫-୧୬ରେ ମାହାଙ୍ଗାରେ ନିମ୍ନ ମାନର କାର୍ଯ୍ୟ ହୋଇଥିବା ବିଜୁ ସେତୁ ଭୁଷୁଡି ଯାଇଥିଲା । ମାହାଙ୍ଗା ପୂର୍ତ ବିଭାଗରେ ୬୭ କୋଟିର ର୍ଦୁନୀତି ହୋଇଛି । ର୍ଦୁନୀତି ଏବଂ ଭ୍ରଷ୍ଟାଚାରରେ ଲିପ୍ତଥିବା ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀ ବହିଷ୍କାର କରନ୍ତୁ । ସେହିପରି କେନ୍ଦ୍ର ଅବହେଳା କଥା ଉଠାଇଥିବା ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟସରକାର କେତେ କେନ୍ଦ୍ରୀୟ ଅର୍ଥ ଅନୁଦାନ ଗ୍ରହଣ କରିଛନ୍ତି ଟିକିଏ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସଚିବଙ୍କୁ ପଚାରି ବୁଝନ୍ତୁ ବୋଲି ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love