୫ ଟ୍ରିଲିୟନ ୟୁଏଏସ ଡଲାର ଅର୍ଥନୀତି କରିବାରେ ତୈଳ ଓ ଗ୍ୟାସ୍ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ – ଧର୍ମେନ୍ଦ୍ର ପ୍ରଧାନ

ଭାରତକୁ ୨୦୨୪ ସୁଦ୍ଧା ୫ ଟ୍ରିଲିୟନ ଆମେରିକୀୟ ଡ଼ଲାର ଅର୍ଥନୀତିରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚାଭିଳାଷୀ ଯୋଜନାରେ ଭାରତର ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ଏକ ବଡ ଭୂମିକା ରହିବ ବୋଲି ତୈଳ ଓ ଗ୍ୟାସ୍ କ୍ଷେତ୍ର ପାଇଁ ଅନ୍ତରାଷ୍ଟ୍ରିୟ ଥିଙ୍କ୍ ଟ୍ୟାଙ୍କର ତୃତୀୟ ସମ୍ମିଳନୀରେ ନିଜର ପ୍ରାରମ୍ଭିକ ବକ୍ତବ୍ୟରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି, ଆଜି ଦିନର ଭାରତର ୨.୮ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତିର ଦ୍ରୁତ ପ୍ରଗତି ସହ ଦେଶର ଗରୀବରୁ ଗରୀବ ଲୋକଙ୍କୁ ଉର୍ଜା ଦୃଷ୍ଟିରୁ ଉଚିତ୍ ନ୍ୟାୟ ପ୍ରଦାନ କରିବା ଭାରତ ସରକାରଙ୍କ ପ୍ରାଥମିକତା । ଶ୍ରୀ ପ୍ରଧାନ କହିଛନ୍ତି, ଭାରତ ସରକାରଙ୍କ ଉଜ୍ଜଳା ଯୋଜନାରୁ ରୋଷେଇ ଗ୍ୟାସ୍, ସୌଭାଗ୍ୟ ଯୋଜନାରେ ଘରେ ଘରେ ବିଜୁଳି ତଥା ପ୍ରତ୍ୟେକ୍ଷ ଲାଭ ହସ୍ତାନ୍ତରିତ ମାଧ୍ୟମରେ ବ୍ୟାଙ୍କ ଖାତାରେ ରିହାତି ଅର୍ଥ ପ୍ରଦାନ ଦେଶରେ ସାଧାରଣ ଲୋକଙ୍କର ଶକ୍ତି ଚାହିଦାକୁ ପୂରଣ କରିପାରିଛି ।

ଦେଶରେ ଏଲପିଜି ବ୍ୟବହାର ୫୫ ପ୍ରତିଶତରୁ ୯୬ ପ୍ରତିଶତରେ ପହଂଚିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଉର୍ଜାର ନିରନ୍ତର ଯୋଗାଣକୁ ସୁରକ୍ଷିତ କରିବା ସହ କମ୍ ମୂଲ୍ୟରେ ଦେଶବାସୀଙ୍କ ଆବଶ୍ୟକତା ପୂରଣ କରିବା ଦେଶ ସାମ୍ନାରେ ଏକ ଆହ୍ୱାନ ଭାବରେ ମୁଣ୍ଡ ଟେକିଛି । ବିଶ୍ୱ ବଜାରରେ ଅସ୍ଥିରତା, ଉର୍ଜା କ୍ଷେତ୍ରରେ ସଂକଟ ତିଆରିର ସମ୍ଭାବନାର ମୁକାବିଲା କରିବାକୁ ପଡୁଛି । ଇରାନ ଓ ଭେନିଜୁଏଲାକୁ ଆମେରିକା ଅର୍ଥନୈତିକ ଦୃଷ୍ଟିରୁ ବାଛନ୍ଦ କରିବା, ସାଉଦି ତୈଳ ପ୍ରକ୍ରିୟାକରଣ ପ୍ରକଳ୍ପ ଉପରେ ଆକ୍ରମଣ, ଉପସାଗରିୟ ଦେଶ ମାନଙ୍କରେ ଅସ୍ଥିରତା ତଥା ଚାଇନା-ଆମେରିକା ବ୍ୟବସାୟିକ ଲଢ଼େଉ ଭାରତ ଉର୍ଜା କ୍ଷେତ୍ର ପାଇଁ ଅନେକ ସମୟରେ ଆହ୍ୱାନ ସୃଷ୍ଟି କରୁଛି । ଏହିସବୁ ଅନ୍ତରାଷ୍ଟ୍ରୀୟ ଗତିବିଧି ଭାରତର ଶକ୍ତି ସୁରକ୍ଷାକୁ ପ୍ରଭାବିତ କରିବା ସହ ଦେଶର ଅର୍ଥନୀତି, ବଜେଟ୍ ତଥା ପୁଞ୍ଜି ନିବେଶକୁ ପ୍ରଭାବିତ କରୁଛି ।

ଏହାସହ ଭାରତର ଆମଦାନୀ ଢ଼େର ଅଧିକ ରହିଛି ଓ ଏହା କ୍ରମଶଃ ବଢିବାରେ ଲାଗିଛି । ଆଜି ଦିନରେ ୮୪ ପ୍ରତିଶତ ଅଶୋଧିତ ତୈଳ ଓ ୪୫ ପ୍ରତିଶତ ପ୍ରାକୃତିକ ଗ୍ୟାସ୍ ବିଦେଶରୁ ଆମଦାନୀ ହେଉଛି । ଭାରତର ପର୍ଯ୍ୟାବରଣର ସୁରକ୍ଷା ପାଇଁ ଭାରତ ସାରା ଦେଶରେ ଗ୍ୟାସ୍ ବ୍ୟବହାର ବୃଦ୍ଧି ପାଇଁ ଭିତିଭୂମି ନିର୍ମାଣ ଉପରେ ଗୁରୁତ୍ୱ ଦେଇ ଆସୁଛି । ଭାରତରେ ୨୦୧୪-୧୫ ରେ ଅକ୍ଷୟ ଶକ୍ତି ବ୍ୟବହାର ୫ ପ୍ରତିଶତରେ ଥିବା ବେଳେ ଆଜି ଦିନରେ ଏହା ୨୨ ପ୍ରତିଶତରେ ପହଂଚିଛି । ୨୦୧୨-୧୩ ରେ ମାତ୍ର ୦.୬୭ ପ୍ରତିଶତ ଇଥାନର ମିଶ୍ରଣ ହେଉଥିବା ବେଳେ ଏହା ଆଜି ଦିନରେ ୬ ପ୍ରତିଶତରେ ପହଂଚିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Spread the love