ଆକ୍ସ ମୁଡ୍ ରେ ପାଣ୍ଡିଆନ୍, ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ୍

 ଆକ୍ସ ମୁଡ୍ ରେ ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ।  ‘ମୋ ସରକାର’ କାର୍ଯ୍ୟକ୍ରମର ସ୍ଥିତି ପରଖୁଥିବା ପାଣ୍ଡିଆନ୍ ଙ୍କ ହାବୁଡ଼ରେ ପଡ଼ିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ୍ କଲ୍ୟାଣ ଏବଂ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡ଼ିଏମଓ) ପଙ୍କଜ ପଟେଲ । 
ରାଜ୍ୟରେ ଡାକ୍ତରଖାନା, ଥାନା ଓ ଆରଟିଓ ଅଫିସଗୁଡ଼ିକର ସ୍ଥିତି ପରଖିବା ପାଇଁ ଗତ ୮ ତାରିଖରୁ ଜିଲ୍ଲା ବୁଲୁଛନ୍ତି ୫-ଟି ସଚିବ ପାଣ୍ଡିଆନ୍ ଓ ଟିମ୍ । ଏହି କ୍ରମରେ ଆଜି ପାଣ୍ଡିଆନ୍ ଯାଇଥିଲେ ସୁନ୍ଦରଗଡ଼ । ତାଙ୍କ ସହ ଥିଲେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ଜାତୀୟ ସ୍ୱାସ୍ଥ୍ୟ ମିସନ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ସେମାନେ ୱାର୍ଡକୁ ୱାର୍ଡ ବୁଲି ରୋଗୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ‘ ମୋ ସରକାର’ କାର୍ଯ୍ୟକ୍ରମ ଏବଂ ରୋଗୀସେବା କିଭଳି ଚାଲୁଛି ଅନୁଧ୍ୟାନ କରିଥିଲେ । ତେବେ ଏହି ସମୟରେ ରୋଗୀସେବାରେ କିଛି ବ୍ୟତିକ୍ରମ ପାଣ୍ଡିଆନ୍ ଙ୍କ ନଜରକୁ ଆସିଥିଲା । ଅବିଳମ୍ବେ ସେ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ଦାୟିତ୍ୱରେ ଅବହେଳା ପାଇଁ ସିଡ଼ିଏମଓଙ୍କୁ ସସପେଣ୍ଡ ପାଇଁ ସୁପାରିଶ କରିଥିଲେ ।
ପରେ ପରେ ପାଣ୍ଡିଆନ୍ ଓ ତାଙ୍କ ଟିମ୍ ଯାଇଥିଲେ ରାଉରକେଲା ସରକାରୀ ହସ୍ପିଟାଲ୍ । ରୋଗୀଙ୍କ ସହ କଥା ହେଲା ବେଳେ ତାଙ୍କର ଜଣେ ସମ୍ପର୍କୀୟ ସେକ୍ଟର ୨୦ରେ ରହୁଥିବା ସୀମା ମୁଖି ନାମକ ମହିଳା ପାଣ୍ଡିଆନ୍ ଙ୍କ ନିକଟରେ ଜନୈକ ଡାକ୍ତରଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଡ୍ୟୁଟି ସମୟରେ ସଂପୃକ୍ତ ଡାକ୍ତର ମୋବାଇଲ୍ ଗେମ୍ ରେ ମାତିଥିବା ତାଙ୍କ ନଜରକୁ ଆଣିଥିଲେ । ଅଭିଯୋଗ ପାଇଲା କ୍ଷଣି ପାଣ୍ଡିଆନ୍ ପାନପୋଷ ଉପଜିଲ୍ଲାପାଳଙ୍କୁ ଡାକି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।
କେବଳ ପାଣ୍ଡିଆନ୍ ନୁହଁନ୍ତି, ବରିଷ୍ଠ ଆଇପିଏସ୍ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ଅଫିସର୍ ଅନ୍ ସ୍ପେଶାଲ୍ ଡ୍ୟୁଟି(ଓଏସଡ଼ି) ଡି.ଏସ୍.କୁଟ୍ଟେ, ସ୍ୱତନ୍ତ୍ର ସଚିବ ଶ୍ରୀମତୀ ରୂପା ରୋସନ୍ ସାହୁ, ଦିଲ୍ଲୀପ ମହାନ୍ତି ପ୍ରମୁଖ ଆଜି ବିଭିନ୍ନ ଜିଲ୍ଲା ଡାକ୍ତରଖାନା ଓ ଆରଟିଓ ଅଫିସ ବୁଲି ‘ମୋ ସରକାର’ କାର୍ଯ୍ୟକ୍ରମର ସ୍ଥିତି ପରଖିଥିଲେ ।
ଶ୍ରୀ କୁଟ୍ଟେ ଢ଼େଙ୍କାନାଳ ଜିଲ୍ଲା ହସ୍ପିଟାଲ୍ ରେ ଅଚାନକ ପହଞ୍ଚି ବିଭିନ୍ନ ୱାର୍ଡ ବୁଲିଥିଲେ ଏବଂ ଡାକ୍ତର, ରୋଗୀ ଏବଂ ରୋଗୀ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ । ବିନା ସୂଚନାରେ କୁଟ୍ଟେଙ୍କର ଏହି ଗସ୍ତ ଜିଲ୍ଲା ଏବଂ ଡାକ୍ତରଖାନା ପ୍ରଶାସନକୁ ଛାନିଆଁ କରିଥିଲା । ଡାକ୍ତରଖାନାରୁ ସେ ଯାଇଥିଲେ ଢ଼େଙ୍କାନାଳ ଆରଟିଓ ଅଫିସ । ଡାକ୍ତରଖାନା ଓ ଆରଟିଓ ଅଫିସରେ ପ୍ରାୟ ୩ ଘଣ୍ଟା ଧରି ଛାନଭିନ୍ କରିଥିଲେ କୁଟ୍ଟେ ।
 ରୂପା ରୋସନ୍ ସାହୁ ପୁରୀ ମୁଖ୍ୟ ଡାକ୍ତରଖାନାର ବିଭିନ୍ନ ୱାର୍ଡ ବୁଲି ସ୍ଥିତି ପରଖିଥିଲେ । ସେପଟେ ଦିଲ୍ଲୀପ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଯାଜପୁର ଡାକ୍ତରଖାନା ବୁଲିଥିଲେ ।
‘ମୋ ସରକାର’ ଅଭିଯାନରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଓ ସିଏମଓ ମୁଖ୍ୟ ଉପଦେଷ୍ଟା ଆର.ବାଲକ୍ରିଷ୍ଣନ୍ ସାମିଲ ହୋଇ ପାଣ୍ଡିଆନ୍ ଙ୍କ ସହ କିଛି ଜିଲ୍ଲା ବୁଲି ସାରିଛନ୍ତି ।
Spread the love