ପଦ୍ମପୁର ଉପନିର୍ବାଚନ ଅପଡେଟ୍‌: ୨୨ ରାଉଣ୍ଡ ସୁଦ୍ଧା ବର୍ଷା ୪୦ ହଜାରରୁ ଅଧିକ ଭୋଟରେ ଆଗୁଆ

ବରଗଡ଼/ଭୁବନେଶ୍ବର: ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଓ ନେତାଙ୍କ ଦ୍ବାରା ହେଉଥିବା ଆଲୋଚନା ଫେଲ୍ ହୋଇଛି। ପଦ୍ମପୁରରେ ‘ଶଙ୍ଖ’ର ଶବ୍ଦ ଶୁଭିଛି। ବିଜେଡି ଏକତରଫା ଓ ରେକର୍ଡ ଭୋଟ୍‌ ବ୍ୟବଧାନରେ ନିର୍ବାଚନ ଜିତିଛି। ନିର୍ବାଚନ ପ୍ରଚାର ସମୟରେ କୁହାଯାଉଥିଲା ଯେ, ପଦ୍ମପୁରରେ ବିଜେପି ଓ ବିଜେଡି ମଧ୍ୟରେ ଜୋରଦାର ଟକ୍କର ହେବ। କିନ୍ତୁ ଏବେ ଏହା ଭୁଲ ପ୍ରମାଣିତ ହୋଇଛି। ଲଗାତାର ଦ୍ବିତୀୟ ଥର ପାଇଁ ବିଜେଡି ଉପରେ ଜନତା ଭରସା କରିଛନ୍ତି। ପଦ୍ମପୁରରେ ବିଜେଡି ୪୨,୦୬୫ ଭୋଟ୍ ବ୍ୟବଧାନରେ ନିର୍ବାଚନ ଜିତିଛି। ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି) ବିଜୟୀ ହୋଇଛି। ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ସୁକନ୍ୟା ତଥା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ୧,୧୯,୫୧୨ ଖଣ୍ଡ ଭୋଟ୍ ମିଳିଛି। ତାଙ୍କର ନିକଟତମ ପ୍ରାର୍ଥୀ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୭୭,୪୪୭ ଖଣ୍ଡ ଭୋଟ୍ ମିଳିଛି। ଫଳରେ ବର୍ଷା ସିଂ ବରିହା ୪୨,୦୬୫ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବା ଜଣାପଡ଼ିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ୩୫୪୮ ଖଣ୍ଡ ଭୋଟ୍ ମିଳିଛି। ତେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ବାଚନ ଫଳାଫଳ ଘୋଷଣାକୁ ଅପେକ୍ଷା କରାଯାଇଛି।

ଧାମନଗର ଉପନିର୍ବାଚନରେ ପରାସ୍ତ ହୋଇଥିଲେ ବି ପଦ୍ମପୁରରେ ନିର୍ବାଚନ ଜିତିଥିବାରୁ ବିଜେଡିର ମନୋବଳ ପୁଣି ଥରେ ବଢ଼ିଯାଇଛି। ଦଳର ବିଜୟ ହୋଇଥିବାରୁ ବିଜେଡି ନେତାମାନେ ଉତ୍ସାହ ପାଳନ କରୁଛନ୍ତି। ପଦ୍ମପୁରରୁ ଭୁବନେଶ୍ବର ଯାଏଁ ବିଜେଡି କର୍ମୀଙ୍କ ମନରେ ଉତ୍ସାହ ଦେଖାଯାଇଛି। ଦଳୀୟ କର୍ମୀମାନେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ପ୍ରଶଂସା କରୁଛନ୍ତି। ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରୁଛନ୍ତି। ସୂଚନାଯୋଗ୍ୟ, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରୁ ପଦ୍ମପୁର ଆରଏମସି ପରିସର କେନ୍ଦ୍ରରେ ଭୋଟ ଗଣତି ଆାରମ୍ଭ ହୋଇଥିଲା। ୧୪ ଟେବୁଲରେ ଗଣତି ୨୩ ରାଉଣ୍ଡରେ ଶେଷ କରାଯାଇଥିଲା । ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୦ଜଣ ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ଏହି ଉପନିର୍ବାଚନରେ ଗତ ୫ ତାରିଖ ଦିନ ରେକର୍ଡ ସଂଖ୍ୟକ ଅର୍ଥାତ୍ ୮୧.୨୯ ପ୍ରତିଶତ ମତଦାନ ହୋଇଥିଲା। ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟରଙ୍କ ମଧ୍ୟରୁ ୨ଲକ୍ଷ ୯ହଜାର ୩୦୯ ଭୋଟର ୩୧୯ ବୁଥରେ ମତଦାନ କରିଥିଲେ।

Spread the love