‘କୋଣାର୍କର ସୌନ୍ଦର୍ଯ୍ୟକୁ କଦର୍ଯ୍ୟ କରୁଛି ଆଲୋକୀକରଣ’

‘କୋଣାର୍କ ଆମ ଅସ୍ମିତ । ଆମ ଐତିହ୍ୟ, ଜାତିର ପରମ୍ପରା। ହେଲେ ଆଲୋକୀକରଣ ନାଁରେ ଏହାର ସୌନ୍ଦର୍ଯ୍ୟକୁ ବିକୃତ ତଥା କଦର୍ଯ୍ୟ କରାଯାଉଛି। ଏହା ମାନସିକ ଭାବେ ଖୁବ୍‌ ଆଘାତ ଦେଉଛି। ’ ଆଲୋକୀକରଣ ନାଁରେ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଏଏସ୍ଆଇ ବିକୃତ କରିଥିବା ଅଭିଯୋଗ ଆଣି ଅସନ୍ତୋଷ ଝାଡ଼ିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିରରେ ଆଲୋକୀକରଣ ପାଇଁ ଏଏସଆଇ ବିଭିନ୍ନ ସ୍ଥାନରେ ଏଲ୍ଇଡି ଲାଇଟ ଲଗାଇଛି । ଏପରିକି ମନ୍ଦିରର ବିଭିନ୍ନ ପିଢ଼ରେ ବି ଏଲ୍ଇଡି ଲାଇଟ ଲଗାଇଛି । ଏହାକୁ ଯାତ୍ରାପାର୍ଟି ଲାଇଟ ସହ ତୁଳନା କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ନିଜ କ୍ଷୋଭ ପ୍ରକାଶ କରି ସେ କହିଛନ୍ତି, ଆମ ଐତିହ୍ୟ, ପରମ୍ପରା ଆମ ପାଇଁ ସବୁଠୁ ବଡ଼ । କୋଣାର୍କ ସୂର୍ଯ୍ୟମନ୍ଦିର ବିଶ୍ୱସ୍ତରୀୟ ଐତିହ୍ୟ। ଆଲୋକୀକରଣ ମାଧ୍ୟମରେ ମନ୍ଦିରର ସୌନ୍ଦର୍ଯ୍ୟକରଣକୁ ଦ୍ୱିଗୁଣିତ କରାଯାଉ । ହେଲେ ଏଏସ୍‌ଆଇ ତରଫରୁ ଆଲୋକୀକରଣ ନାଁରେ ଏହାକୁ ବିକୃତ କରାଯାଉଛି। କୋଣାର୍କର ସୌନ୍ଦର୍ଯ୍ୟକୁ ଏହା କଦର୍ଯ୍ୟ କରୁଛି।

ଧାଡି ଧାଡି ହୋଇ ଲାଗିଥିବା ଲାଇଟ ମନ୍ଦିରର କଳାକୃତିର କଳାତ୍ମକ ଭାବକୁ କ୍ଷୁର୍ଣ୍ଣ କରୁଛି । ଏପରିକି ଏହାର କଳାତ୍ମକ ସୌନ୍ଦର୍ଯ୍ୟ କ୍ଷତିଗ୍ରସ୍ତ ହେଉଛି। ଏହା ସମଗ୍ର ବିଶ୍ୱର କଳାକୃତି ହୋଇଥିବାରୁ ଏହାର ଡିଜାଇନକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇବା ଉଚିତ ନୁହେଁ। ଏହାର କାରୁକାର୍ଯ୍ୟକୁ ଏପରି କଦର୍ଯ୍ୟ କରିବା ଠିକ୍‌ ନୁହେଁ ବୋଲି କହିଛନ୍ତି ସୁଦର୍ଶନ ପଟ୍ଟନାୟକ ।

ଏନେଇ ସେ ଏଏସଆଇ କର୍ତ୍ତୃପକ୍ଷଙ୍କୁ ଟୁଇଟ୍‌ କରି ଜଣାଇବା ସହ ଲାଇଟର ଅପସାରଣ ପାଇଁ ଦାବି କରିଛି । ସୁଦର୍ଶନଙ୍କ ଏଭଳି ଅଭିଯୋଗକୁ କୋଣାର୍କ ସୁରକ୍ଷା ସମିତି ମଧ୍ୟ ସମର୍ଥନ ଜଣାଇଛି। ତେବେ ଏନେଇ ଏଏସ୍ଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

Spread the love