ଭାରତ-ଚୀନ ସୈନ୍ୟ ବିବାଦ । ଆମେରିକା କହିଲା,ଭାରତ ସହ ଆମେ ଅଛୁ. ସହଯୋଗୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ଦାୟିତ୍ୱ

ଭାରତ-ଚୀନ୍ ମଧ୍ୟରେ ବିବାଦ ଚରମ ସୀମାରେ ପହଂଚିଛି । ଏବେ ଏହି ବିବାଦ ଉପରେ ନଜର ରଖିଛି ଆମେରିକା । ବିବାଦକୁ ନେଇ ଆମେରିକା ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆମେରିକା ପକ୍ଷରୁ କୁହାଯାଇଛି ଯେ, ଆଶ୍ୱସ୍ତିକର ଖବର ଯେ, ଦୁଇ ଦେଶର ସେନା ପଛକୁ ହଟିଛନ୍ତି । ଉଭୟ ପକ୍ଷର ସଂଘର୍ଷ ଶୀଘ୍ର ବିଚ୍ଛନ୍ନ ହୋଇଥିବାରୁ ଖୁସି ପ୍ରକାଶ କରିଛି ଆମେରିକା । ଏହାସହ ସ୍ଥିତି ନିୟନ୍ତ୍ରଣ ନେଇ ଭାରତର ପଦକ୍ଷେପକୁ ପ୍ରଶଂସା କରିଛି ଆମେରିକା । ତେବେ ଏଲଏସିରେ ହେଉଥିବା ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ଆମେରିକା ପକ୍ଷରୁ କୁହାଯାଇଛି ।

ଦ୍ୱିପାକ୍ଷିକ ଆଲୋଚନାରେ ଦୁଇ ଦେଶର ବିବାଦ ସମାଧାନ ହେଉ ବୋଲି ଆଶା ପ୍ରକାଶ କରିଛି ଆମେରିକା । ସହଯୋଗୀ ଦେଶକୁ ସୁରକ୍ଷା ପାଇଁ ଆମେରିକା ସବୁବେଳେ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛି । ଏହାପୂର୍ବରୁ ଭାରତ-ଆମେରିକା ମିଳିତ ଭାବେ ଏଲଏସିର ଠାରୁ ୧୦୦ କିଲୋମିଟର ଦୂରରେ ମିଳିତ ଯୁଦ୍ଧାଭ୍ୟାସ କରିଥିଲେ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲା ଚୀନ୍ । ଏପରିକି ଏହି ଯୁଦ୍ଧାଭ୍ୟାସ ଦ୍ୱାରା ନୂଆଦିଲ୍ଲୀ ଓ ବେଜିଂ ମଧ୍ୟରେ ହୋଇଥିବା ବୁଝାମଣାର ଉଲ୍ଲଘଂନ ହୋଇଥିବା ନେଇ ଅଭିଯୋଗ କରିଥିଲା ଚୀନ୍ । ଯାହାକୁ ନେଇ ଭାରତ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ, ଭାରତ-ଆମେରିକାର ଯୁଦ୍ଧାଭ୍ୟାସକୁ ନେଇ ତୃତୀୟ ଦେଶ ଟିପ୍ପଣୀ ଦେବାର ଆବଶ୍ୟକତା ନାହିଁ । ଭାରତ କାହା ସହ ଯୁଦ୍ଧାଭ୍ୟାସ କରି ଏହା ଦେଶର ବ୍ୟକ୍ତିଗତ ନିଷ୍ପତ୍ତି । ଏଥିରେ ଅନ୍ୟ କୌଣସି ଦେଶ ମୁଣ୍ଡ ନଖେଳାଇବା ଆବଶ୍ୟକ । ଏସବୁ ଭିତରେ ଭାରତ-ଚୀନ ସୈନ୍ୟ ବିବାଦର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିବା ଚୀନ୍ ସେନାକୁ କଡ଼ା ଜବାବ ଦେଇଛନ୍ତି ଭାରତୀୟ ସେନା । ସୀମାରେ ପୁଣି ଥରେ ଉତ୍ତେଜନା ସୃଷ୍ଟି କରିବାକୁ ଚୀନ୍ ଚେଷ୍ଟା କରିଥିବା ବେଳେ ଏହା ଫେଲ ମାରିଛି । ଏହି ଭିଡିଓ ତୱାଙ୍ଗର ବୋଲି କୁହାଯାଉଛି । ଭିଡିଓରେ ଭାରତ ଓ ଚୀନ୍ ସେନାଙ୍କୁ ଦେଖିବାକୁ ମିଳୁଛି । ଚୀନ୍ ସୈନିକମାନେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ ଅଟକାଉଛନ୍ତି ଭାରତୀୟ ଯବାନ । ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ଘଟୁଥିବା ଦେଖିବାକୁ ମିଳୁଛି । ହାତରେ ବାଡ଼ି ଓ ପଥର ଧରି ଚୀନ୍ ସୈନିକଙ୍କୁ ଭାରତୀୟ ଯବାନମାନେ ସାବାଡ଼ କରୁଛନ୍ତି । ଆଉ ଡ୍ରାଗନବାହିନୀ ପଛକୁ ହଟିବା ପରେ ଖୁସି ମନାଉଛନ୍ତି ଭାରତୀୟ ବୀର ଯବାନ । ଯାହା ତୱାଙ୍ଗ ଅଞ୍ଚଳର ବୋଲି କୁହାଯାଉଛି ।

Spread the love