ରାଜ୍ୟ ସରକାରଙ୍କ ସାକ୍ଷୀ ସଫା ଅଭିଯାନ ଅତ୍ୟନ୍ତ ନିନ୍ଦନୀୟ : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏବଂ ସାକ୍ଷୀ ଗୋବିନ୍ଦ ସାହୁଙ୍କ ଜେଲ୍ ଭିତରେ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ସୁପରିକଳ୍ପିତ ହତ୍ୟାକାଣ୍ଡ । ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦର ବହୁ ମନ୍ତ୍ରୀ ଓ ଶାସକ ବିଜେଡିର ବହୁ ନେତା ତଥା ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀମାନେ ବିଭିନ୍ନ କୁକର୍ମ କରି ଆଇନ ଜାଲରେ ଧରାପଡିବା ଭୟରେ ସାକ୍ଷୀ ସଫା ଅଭିଯାନ ଆରମ୍ଭ କରିଛନ୍ତି ଖୋଦ୍ ସରକାର । ଏହାର ଅନ୍ୟ ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଗୋବିନ୍ଦ ସାହୁଙ୍କ ମୃତ୍ୟୁ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରାଯିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ଶବକୁ ଗାଏବ କରାଯାଇଥିଲା । ମୁଖ୍ୟ ଆରୋପୀ ଗୋବିନ୍ଦ ସାହୁ ଗିରଫ ହେବା ପରେ ଦୀର୍ଘ ଦିନ ଧରି ଜେଲରେ ଥିଲେ । ଗତକାଲି ତାଙ୍କୁ କୋର୍ଟରେ ହାଜର ହେବାର ଥିଲା, କିନ୍ତୁ ତା ପୂର୍ବରୁ ତାଙ୍କ ମୃତ୍ୟୁ ହେବା ଆଦୌ ସଂଯୋଗବଶତଃ ନୁହେଁ ବରଂ ରାଜ୍ୟ ସରକାରଙ୍କ ବିଧିବଦ୍ଧ ଯୋଜନା ଅଟେ ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ ଆଣିଛନ୍ତି ।
ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବାର ଦାୟୀତ୍ୱ ହେଉଛି ମୁଖ୍ୟମନ୍ତ୍ରୀଙ୍କର । ଆଇନର ବାଟକୁ ଓଗାଳି ମୁଖ୍ୟମନ୍ତ୍ରୀ ମହୋଦୟ ଅଭିଯୁକ୍ତ ମନ୍ତ୍ରୀ ଓ ନେତାଙ୍କୁ ସାଙ୍ଗରେ ନେଇ ନିଜର ବିଭିନ୍ନ ସଭାମାନଙ୍କରେ ବୈଠକ କରୁଛନ୍ତି ଏବଂ ଏହି କାରଣରୁ ଅପରାଧୀମାନେ ଅଧିକ ଅପରାଧ ଭିଆଇବାକୁ ପ୍ରୋତ୍ସାହିତ ହେଉଛନ୍ତି । ମୁଖ୍ୟତଃ ଓଡ଼ିଶା ପ୍ରଦେଶରେ ଏକ ଭୟର ବାତାବରଣ ସୃଷ୍ଟି କରିବାର ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ନେଇଛନ୍ତି । ମମିତା ହତ୍ୟାକାଣ୍ଡରେ ତତ୍କାଳୀନ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତି ସମ୍ପର୍କରେ ଜାଣିବା ସତ୍ୱେ ନିଜ ଅହଂକାର କାରଣରୁ ମୁଖ୍ୟମନ୍ତ୍ରୀ ତାଙ୍କୁ କଳାହାଣ୍ଡି ସଭାରେ ନିଜ ପାଖରେ ବସାଇ ଭାଷଣ ଦିଆ କରାଇଥିଲେ । ପୋଲିସ ଓ କ୍ରାଇମବ୍ରାଂଚ ଦ୍ୱାରା ସମସ୍ତ ପ୍ରମାଣ ନଷ୍ଟ କରିବାର ପ୍ରୟାସ କରାଯାଇଛି । ବର୍ତମାନ ଘଟଣାର ମୁଖ୍ୟ ସାକ୍ଷୀ ଗୋବିନ୍ଦ ସାହୁଙ୍କୁ ହତ୍ୟା କରାଯାଇ ବଳକା ପ୍ରମାଣ ନଷ୍ଟ କରାଯିବାର ବିରାଟ ଷଡଯନ୍ତ୍ର ରଚାଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ପୋଲିସ ଡିଆଇଜି କଂଟାବାଂଝୀ ଜେଲକୁ ଯାଇ ଗୋବିନ୍ଦ ସାହୁଙ୍କୁ ଦେଖା କରିବା ବହୁ ସନ୍ଦେହ ସୃଷ୍ଟି କରୁଛି । ତାଙ୍କ ସ୍ୱାମୀକୁ ହତ୍ୟା କରାଯାଇଛି ବୋଲି ମୃତ ଗୋବିନ୍ଦ ସାହୁଙ୍କ ସ୍ତ୍ରୀ ମଧ୍ୟ ଅଭିଯୋଗ ଆଣିଛନ୍ତି । ଗୋବିନ୍ଦ ସାହୁଙ୍କୁ ନିର୍ଦ୍ଦୋଷ କରାଯାଇ ଜେଲରୁ ମୁକୁଳା ଯିବ ବୋଲି ରାଜ୍ୟ ସରକାରଙ୍କ ଦୁଇ ପୂର୍ବତନ ମନ୍ତ୍ରୀ ତଥା ପ୍ରଭାବଶାଳୀ ବିଜେଡି ନେତା ଆଶ୍ୱାସନା ଦେଇଥିବାର ମୃତ ଗୋବିନ୍ଦ ସାହୁଙ୍କ କକା ଶ୍ୱଶୁର କହିଛନ୍ତି । ଏପରି ସ୍ଥଳେ ଗୋବିନ୍ଦ ସାହୁ କାହିଁକି ଆତ୍ମହତ୍ୟା କରିବେ ବୋଲି ପ୍ରଶ୍ନ କରିବା ସହିତ ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ବଂଚାଇବା ପାଇଁ ସାକ୍ଷୀ ସଫା ଅଭିଯାନ ସ୍ୱରୁପ ଶେଷରେ ତାଙ୍କୁ ଷଡଯନ୍ତ୍ର ରଚାଯାଇ ହତ୍ୟା କରାଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଅତୀତରେ ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବଂଚାଇବା ପାଇଁ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ସାକ୍ଷୀ ପ୍ରଫୁଲ୍ଲ ବିଶ୍ୱାଳ (କାବୁଆ)କୁ ଟ୍ରକ ମଡାଯାଇ ହତ୍ୟା କରାଯାଇଥିଲା । ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କୁ ବଂଚାଇବା ପାଇଁ ଧର୍ମେନ୍ଦ୍ର ସାହୁଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିଲା । ଅତୀତର କୁକର୍ମ ଘଟଣାର ସମସ୍ତ ତଥ୍ୟ ଓ ପ୍ରମାଣ ନଷ୍ଟ କରିବା ପାଇଁ ରାଜ୍ୟ ସରକାର ଅଭିଯାନ ଆରମ୍ଭ କରି ଦେଇଛନ୍ତି । ନୟାଗଡର ପରୀ, ଇତିଶ୍ରୀ, ବେବିନା, ମାଧବୀଲତା ଓ ଯାଜପୁର ସ୍ମୀତାରାଣୀ ମୃତ୍ୟୁ ଘଟଣା ସହିତ ମାହାଙ୍ଗା ଏବଂ ନିମାପଡା ଘଟଣାର ତଦନ୍ତ ଭାର ରାଜ୍ୟ ପୋଲିସ ଏବଂ ପରବର୍ତୀ ସମୟରେ କ୍ରାଇମବ୍ରାଂଚକୁ ଦିଆଯାଇଥିଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ ଏହାର ସତ୍ୟାସତ୍ୟ ଲୋକଙ୍କ ସାମ୍ନାକୁ ଆସିପାରିଲା ନାହିଁ । ବର୍ତମାନ ଗୋବିନ୍ଦ ସାହୁଙ୍କୁ ମଧ୍ୟ ହତ୍ୟା କରାଯାଇଛି ଏବଂ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଂଚକୁ ଦିଆଯାଇଛି । ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ନେତାମାନେ କୁକର୍ମ କରିବେ ଏବଂ ଏହା ପରେ ରାଜ୍ୟ ସରକାର ତଥ୍ୟ ଓ ପ୍ରମାଣ ନଷ୍ଟ କରିବା ସହିତ ସାକ୍ଷୀ ମଧ୍ୟ ସଫା କରିବେ । ରାଜ୍ୟ ସରକାରଙ୍କ ‘କୁକର୍ମର ସାକ୍ଷୀ ସଫା ଅଭିଯାନ’ ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ ତୁରନ୍ତ ସିବିଆଇ ଦ୍ୱାରା କରାଗଲେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ । ଏହା ନହେଲେ ରାଜ୍ୟ ସରକାରଙ୍କ ସାକ୍ଷୀ ସଫା ଅଭିଯାନ ବିରୁଦ୍ଧରେ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love