ମୁଖ୍ୟମନ୍ତ୍ରୀଙ୍କ ଦଳ ବିଜେପୁରରେ ଗଣହତ୍ୟା କରୁଛି: ବିଜେପି

ବିଜେପୁର ଉପନିର୍ବାଚନକୁ ଆଉ କିଛି ଦିନ ବାକି ଥିବାବେଳେ ଏହା ପୂର୍ବରୁ ଗତ ନିର୍ବାଚନ ଭଳି ବିଜେଡି ଗୁଣ୍ଡାମାନେ ନିର୍ବାଚନ ଜିତିବା ପାଇଁ ଲୋକମାନଙ୍କୁ ଭୟଭୀତ କରିବା ଆରମ୍ଭ କରିଛନ୍ତି । ଶାସକ ବିଜେଡି ସେଠାରେ ହିଂସା ଭିଆଇ ଭୋଟ ହାତେଇବା ପାଇଁ ଯୋଜନା କରିଛି । ଗତ ୨ ଦିନ ତଳେ ସ୍ୱଚ୍ଛ ଭାରତ ମିଶନ ବିଜେପୁର ବ୍ଲକ ସଂଯୋଜକ ତରଣୀସେନ ମହଲାଙ୍କୁ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡରେ ଶାସକ ଦଳର ସଂପୃକ୍ତି ରହିଛି । ଉପନିର୍ବାଚନ ଜିତିବା ପାଇଁ ଶାସକ ବିଜେଡିର ଗୁଣ୍ଡାମାନେ ସାଧାରଣ ଲୋକଙ୍କୁ ହତ୍ୟା କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦେବା ପାଇଁ ଦାବି କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଦଳ ଆଜି ବିଜେପୁରରେ ହିଂସାକୁ ଆପଣାଇ ଗଣହତ୍ୟା କରୁଛି । ଗୋଟିଏପଟେ ମୁଖ୍ୟମନ୍ତ୍ରୀ ଅହିଂସା କଥା କହୁଥିବାବେଳେ ଅନ୍ୟପଟେ ତାଙ୍କ ଦଳର ନେତାଙ୍କ ନିର୍ଦ୍ଦେଶରେ କର୍ମୀମାନେ ରାଜନୈତିକ ହିଂସା କରି ଭୋଟ ହାତେଇବା ପାଇଁ ଅପଚେଷ୍ଟା ଚଲାଇଛନ୍ତି । ମିଥ୍ୟା ବିଲ୍କୁ ପାସ୍ ନକରିବାରୁ ତରଣୀସେନ ହତ୍ୟାର ଶିକାର ହେଲେ । ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉଠାଇଲେ ମୃତ୍ୟୁଦଣ୍ଡ ମିଳୁଛି । ଯେଉଁ ହତ୍ୟାକାରୀ ମାନଙ୍କୁ ଏସ୍ପି କଂଟ୍ରାକ୍ଟର କହି ଗଣମାଧ୍ୟମରେ ପ୍ରକାଶ କଲେ ସେ କିଏ? ସେ ବିଜୁଯୁବ ବାହିନୀର ସଦସ୍ୟ ନୁହଁନ୍ତି ତ? ସେ ଯାହା ଘରେ ରାତିରେ ଥିଲେ ମେହେର୍ ଭାଇ ସେ କିଏ ? ସେମାନଙ୍କ ପରିଚୟ କଣ ଏକଥା ସ୍ପଷ୍ଟ ହେବା ଦରକାର । ସେ ଅଂଚଳରେ ରାଜ୍ୟ ସରକାର ସ୍ୱଚ୍ଛ ଭାରତ ଯୋଜନା, ମହିଳାଙ୍କର ସଶକ୍ତିକରଣ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ କାମ ଦେଇଥିଲେ ସେମାନେ ସ୍ୱଚ୍ଛ ଭାରତ ଯୋଜନାରେ କାମ କରିବା ପାଇଁ ପ୍ରାଧିକୃତ ହୋଇଥିଲେ ନା ନାହିଁ ? ଯଦି ଦେଇଥିଲେ ତେବେ ସେଠାରେ କଂଟ୍ରାକ୍ଟର କେଉଁଠୁ ଆସିଲେ ? ମୁଖ୍ୟମନ୍ତ୍ରୀ କଣ ଏଭଳି ବିଜେପୁରବାସୀଙ୍କର ଦାୟିତ୍ୱ ନେଇଛନ୍ତି ? ଯେଉଁ ୫-ଟିର ଡିଣ୍ଡିମ ପିଟାଯାଉଛି ଏଠି କେଉଁ ଟାନ୍ସପରେନ୍ସି କାର୍ଯ୍ୟ କଲା? କେଉଁ ଟେକ୍ନୋଲୋଜିର ବ୍ୟବହାର ହେଲା ଯାହା ଫଳରେ ତରଣୀ ସେନ୍ଙ୍କୁ ହତ୍ୟା କରାଗଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ବିଜେପୁରର ଦାୟିତ୍ୱ ନେଇଥିଲେ । କିନ୍ତୁ କାହିଁକି ହିଞ୍ଜିଳି ନଛାଡି ବିଜେପୁର ଛାଡିଲେ ତାହାର ଜବାବ ବିଜେପୁରବାସୀ ମାଗିବା ଆରମ୍ଭ କଲେଣି । ତରଣୀସେନ୍ ମହଲାଙ୍କ ପରିବାରକୁ ବରଗଡର ସାଂସଦ ସୁରେଶ ପୂଜାରୀ ଯାଇ ଭେଟିଛନ୍ତି କିନ୍ତୁ ସରକାରୀ ଦଳର କେହି ଯାଇନାହାଁନ୍ତି । ତାଙ୍କ ପରିବାର ଓ ଦୁଇଟି ଛୁଆ ଯେଉଁଭଳି ସ୍ଥିତିରେ ଆଜି ନିସହାୟ ହୋଇଯାଇଛନ୍ତି ସେଥିରେ ରାଜ୍ୟ ସରକାରଙ୍କର କୌଣସି ଭୂମିକା ନାହିଁ କି ? ରାଜ୍ୟ ସରକାର ସଚ୍ଚୋଟ କର୍ମଚାରୀଙ୍କୁ କେଉଁଭଳି ସୁରକ୍ଷା ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି । ଗତକାଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂ, ସାଂସଦ ସୁରେଶ ପୂଜାରୀ ଏବଂ ବିଜେପି ନେତୃବୃନ୍ଦ ମୃତ ତରଣୀସେନଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଦୋଷୀମାନଙ୍କୁ ଫାଶୀ ଦଣ୍ଡ ଦେବା ସହ ତାଙ୍କ ପରିବାରର ଜଣେ ସଦସ୍ୟ କିମ୍ବା ତାଙ୍କର ପତ୍ନୀଙ୍କୁ ସରକାରୀ ଚାକିରୀ ଦିଆଯାଉ । ଏଥି ସହ ପରିବାରକୁ ଆର୍ଥିକ ସହାୟତା ୨୫ଲକ୍ଷ ଟଙ୍କା ଦେବା ପାଇଁ ଶ୍ରୀ ମହାନ୍ତି ଦାବି କରିଛନ୍ତି ।

Spread the love