ସ୍ଥାଣୁ ଓ ଭ୍ରଷ୍ଟ ସରକାର ଓଡ଼ିଆ ଲୋକଙ୍କ ହକକୁ ବାଟମାରଣା କରୁଛନ୍ତି- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ଜାନୁଆରୀ ୦୬ – ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିପୁଳ ଅର୍ଥ ଦେବା ସତ୍ତ୍ୱେ ଏଠାରେ ସ୍ଥାଣୁ ଓ ଭ୍ରଷ୍ଟ ସରକାର ଓଡ଼ିଆ ଲୋକଙ୍କ ହକକୁ ବାଟମାରଣା କରୁଛି ବୋଲି ଶୁକ୍ରବାର ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଓ ସ୍ଥାନୀୟ ସରକାରର ଅବ୍ୟବସ୍ଥା ଶାସନ ନେଇ ଜନଜାଗରଣ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପିର ଏଜେଣ୍ଡାରେ ଦୁଇ ସୂତ୍ରୀ ଯୋଜନା ଅଛି । ବୁଥ ସ୍ତରରେ ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ସହ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ କାର୍ଯ୍ୟକର୍ତ୍ତାମାନେ ଯଥାସମ୍ଭବ ଉଦ୍ୟମ କରିବା ଏବଂ ସ୍ଥାନୀୟ ସରକାର ବିରୋଧରେ ଥିବା ଅସନ୍ତୋଷର ପ୍ରବକ୍ତା ହେବା । ଏହି ଦାୟିତ୍ୱକୁ କାର୍ଯ୍ୟକର୍ତ୍ତାମାନେ ବୁଝିବା ଦରକାର । ଗାଁ ଗାଁ ପର୍ଯ୍ୟନ୍ତ ଏହି କଥାକୁ ପହଞ୍ଚାଇବା ଦରକାର ।

ଚାଉଳ ବିତରଣକୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ପର ଘର ତିଅଣରେ ରାଜ୍ୟ ସରକାର ଅତିଥି ସତ୍କାର କରିବାରେ ପାରଙ୍ଗମ । କେହି ଭୋକରେ ରହିବେ ନାହିଁ ,ଏଭଳି ଦାୟିତ୍ୱ ମୋଦି ସରକାର ନେଇଛନ୍ତି । ମୋଦି ସରକାର ଓଡ଼ିଶାର ୩.୨୫ କୋଟି ହିତାଧିକାରୀଙ୍କ ପାଇଁ ଚାଉଳ ପିଛା ବର୍ଷକୁ ପ୍ରାୟ ୮,୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ୯ ଲକ୍ଷ ଲୋକଙ୍କୁ ଚାଉଳ ପିଛା ମାତ୍ର ୧୮୫ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାଜ୍ୟର ଗ୍ରାମାଞ୍ଚଳରେ ଭୋଟ ଦେଲେ ଚାଉଳ ଦିଆଯାଉଛି, ଭୋଟ ନ ଦେଲେ ତାଲିକାରୁ ନାଁ କଟାଯାଉଛି । ତେବେ ରାଜ୍ୟ ସରକାର ଶ୍ରେୟ ନିଅନ୍ତୁ ପଛେ ପ୍ରଧାନମନ୍ତ୍ରୀଙ୍କ କଲ୍ୟାଣକାରୀ ଯୋଜନାରୁ ଓଡ଼ିଶାର ଲାଭାର୍ଥୀଙ୍କୁ ବଞ୍ଚିତ ନରଖାଯାଉ । ବିନା ବାଟମାରଣା ଓ ରାଜନୈତିକ ଉଦ୍ଦେଶ୍ୟରେ ପ୍ରକୃତ ହିତାଧିକାରୀଙ୍କୁ ଚାଉଳ ଦିଆଯାଉ ବୋଲି ସେ କହିଛନ୍ତି ।

ଭୁବନେଶ୍ୱରରେ ମହିଳା ପୋଲିସଙ୍କୁ ଖଣ୍ଡାରେ ଆକ୍ରମଣ କରାଯିବା ଖବର ସାମ୍ନାକୁ ଆସିଛି । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ । ମହିଳାମାନେ ଏଠାରେ ଅସୁରକ୍ଷିତ । ରକ୍ଷକ ଏଠି ଭକ୍ଷକ ସାଜିଛନ୍ତି । ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ଦାୟିତ୍ୱରେ ରହିବା ପରେ ମଧ୍ୟ ପୋଲିସ ଗରିବ ଲୋକଙ୍କର ଗୁହାରୀ ଶୁଣୁନାହିଁ । ଲୋକମାନେ ବାହାରକୁ ଦାଦନ ଖଟିବା ପାଇଁ ଯାଉଛନ୍ତି। ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରାନଯାଇ ଲୋକଙ୍କୁ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ରଖିବା ଦୁର୍ଭାଗ୍ୟଜନକ । ଏହି କଥାକୁ ଓଡ଼ିଶାର ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପଡିବ ।

ଉଲ୍ଲେଖନୀୟ ଯେ, ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯାଜପୁର ବରୀ ଅଞ୍ଚଳର ପୂର୍ବତନ ପିସିସି ସମ୍ପାଦକ ଉମେଶ ଜେନାଙ୍କ ସମେତ ବିଭିନ୍ନ ଦଳର କର୍ମୀଙ୍କୁ ଦଳରେ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଉପରେ ଆସ୍ଥାପ୍ରକଟ କରି ଦଳରେ ମିଶିଥିବାରୁ ସେ ଧନ୍ୟବାଦ ଜଣାଇଥିଲେ ।

Spread the love