ଭାଗ୍ୟ ବଦଳାଇବ ଗୋଲାପ ଫୁଲ

ଫୁଲର ସୌନ୍ଦର୍ଯ୍ୟ କାହାକୁ ବା ଆକର୍ଷିତ ନ କରେ। ବିଶେଷକରି ଗୋଲାପ ଫୁଲ, ଯାହାକୁ କି ସ୍ନେହ ଓ ପ୍ରେମର ପ୍ରତୀକ ବୋଲି କୁହାଯାଏ। ଏହି ଫୁଲ କେବଳ ସୁନ୍ଦର ଲାଗେ ତାହା ନୁହେଁ, ବାସ୍ତୁଶାସ୍ତ୍ର ଅନୁଯାୟୀ ଏହି ଫୁଲ ସୁଖସମୃଦ୍ଧି ବୃଦ୍ଧି କରିବାରେ ବି ବିଶେଷ ସହାୟକ ହୋଇଥାଏ। ଯଥା: ଘରେ ଯଦି ଅଭାବ ଲାଗି ରହୁଥାଏ, ତା’ହେଲେ ପ୍ରତିଦିନ ସନ୍ଧ୍ୟା ଦେବା ସମୟରେ ଗୋଟିଏ ଗୋଲାପ ଫୁଲ ଉପରେ କର୍ପୂର ରଖି ଜଳାଇ ସାରିବା ପରେ ସେହି ଫୁଲକୁ ମା’ ଭଗବତୀଙ୍କୁ ଅର୍ପଣ କଲେ ଧୀରେ ଧୀରେ ଆର୍ଥିକ ସମସ୍ୟା ଠିକ୍‌ ହୋଇଯାଏ ବୋଲି ବିଶ୍ୱାସ ରହିଛି। ଅନ୍ୟପକ୍ଷେ ପ୍ରତି ଶୁକ୍ରବାର ଦିନ ପାନପତ୍ରରେ ପାଞ୍ଚଟି ଗୋଲାପ ଫୁଲର ପାଖୁଡ଼ା ରଖି ମା’ଦୁର୍ଗାଙ୍କୁ ଅର୍ପଣ କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ଅଛି। ସେହିପରି କୁହାଯାଏ, ଘରର ଦକ୍ଷିଣ-ପଶ୍ଚିମ କୋଣରେ ଯଦି ପ୍ରତିଦିନ କିଛି ସତେଜ ନାଲି ଗୋଲାପ ଫୁଲକୁ ଫୁଲଦାନୀରେ ରଖି ଘର ସଜ୍ଜାଯାଏ ତା’ହେଲେ ଘରେ ସକାରାତ୍ମକ ଊର୍ଜା ବୃଦ୍ଧି ପାଇଥାଏ। କେବଳ ଗୋଲାପ ଫୁଲ କାହିଁକି ଘରର ଦକ୍ଷିଣ ଦିଗରେ ଗୋଲାପ ଗଛ ଲଗାଇବା ମଧ୍ୟ ଘର ପାଇଁ ଶୁଭ ହୋଇଥାଏ।

Spread the love