ଯୋଜନାର ପରିବର୍ତ୍ତନ କଲେ ସମସ୍ୟା ତୁଟେନି କି ଲୋକଙ୍କ ପେଟ ପୂରେନି : ଅତନୁ
ଚାଉଳ ଓ ଗହମ ଦେବା ସମୟରେ ନ୍ୟାସନାଲ ଫୁଡ ସିକ୍ୟୁରିଟି ଆକ୍ଟ ବା ଏନଏଫଏସଏ ଲେଖାଥିବା ପ୍ରିଂଟ ଲୋକଙ୍କୁ ଦେବାକୁ ପଡ଼ିବ । ଏହାସହ ଏହି ଚାଉଳ ଓ ଗହମ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି ଏଥିରେ ଦର୍ଶାଇବାକୁ ପଡ଼ିବ । ଜାତୀୟ ଖାଦ୍ୟ ସୁରକ୍ଷା ଯାଜନା ପାଇଁ ଅଲଗା ରସିଦ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ଅଲଗା ରସିଦ ରହିବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତିକୁ ସମର୍ଥନ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ରାଜ୍ୟରେ ୩ କୋଟି ୨୫ ଲକ୍ଷ ଲୋକଙ୍କ ଚାଉଳରେ ମୋଦୀ ସରକାର ଷ୍ଟିକରିଂ କରିବେ । ସେହିପରି ରାଜ୍ୟ ସରକାର ୯ ଲକ୍ଷ ଲୋକଙ୍କ ଚାଉଳରେ ଷ୍ଟିକରିଂ କରନ୍ତୁ ବୋଲି ଅପରାଜିତା କହିଛନ୍ତି ।
ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ବର୍ଷିଛି ବିଜେଡି । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ସ୍କିମର ନାଁ ପରିବର୍ତ୍ତନ କରିଦେଲେ ଲୋକଙ୍କ ସମସ୍ୟା ତୁଟି ଯାଏନି କି ଲୋକଙ୍କର ପେଟ ପୁରିଯାଏନି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ଭାରତ ବର୍ଷର ଗରିବ ଲୋକଙ୍କୁ ଯେଉଁ ଚାଉଳ ଦିଆଯାଉଛି ତାର କେବଳ ନାଁ ପରିବର୍ତ୍ତନ କରିବାର ଗୋଟେ ବ୍ୟବସ୍ଥା ଦିଲ୍ଲୀରେ କରାଯାଇଛି । ଏହାବ୍ୟତୀତ ଆଉ କିଛି ପରିବର୍ତ୍ତନ କରାଯାଇ ନାହିଁ । ଲୋକଙ୍କର ଅଧିକ କିଛି ଉପକାର ହେଇ ଯାଉନି । କେବଳ ରାଜନୀତିର ବାସ୍ନା ହିଁ ଜଳ ଜଳ ଦିଶୁଛି ଓ ଅନୁଭବ କରି ହେଉଛି ।