୧୪ ଦିନ ପରେ ଜାମିନରେ ଆସିବା ପରେ ଶିଶୁପୁତ୍ର ଜନ୍ମଦେଇ ଆଖିବୁଜିଲା ମାଆ

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅଣ୍ଡିରାକଞ୍ଚ ଗାଁର ସୁଲବତୀ ତାଙ୍କ ଅଭାବୀ ପରିବାରକୁ ଦୁଃଖ ସାଗରରେ ଭସାଇ ଆରପାରିକୁ ଚାଲିଯାଇଛନ୍ତି । ମାଆ କଣ ଜାଣିବା ଆଗରୁ ମା ଛେଉଣ୍ଡ ହୋଇଯାଇଛି ନବଜାତକ ଶିଶୁ । କମ୍ପାନୀ ବିରୋଧରେ ହକ ପାଇଁ ଲଢେଇ କରି ଜେଲ ଯାଇଥିବା ସୁଲବତୀ, ଜେଲରୁ ବାହାରିବା ପରେ ପ୍ରସବ ବେଦନା ହେବାରୁ ରାୟଗଡା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଗଲା ଓ କୋରାପୁଟକୁ ସ୍ଥାନାନ୍ତର ସମୟରେ ସେ ଆଖି ବୁଜିଛନ୍ତି ।

ହକ ପାଇଁ ଲଢେଇ କରି ପ୍ରାଣ ହରାଇଛନ୍ତି ସୁଲବତୀ ନାଏକ । ଉତ୍କଳ ଆଲୁମିନା କମ୍ପାନୀରେ ଦୈନିକ କାମ ଦାବିରେ କ୍ଷତିଗ୍ରସ୍ତ ଅଣ୍ଡିରାକଞ୍ଚ ଗାଁର ମହିଳାମାନେ ଧାରଣା ଦେଇଥିଲେ । ଆଉ କମ୍ପାନୀର ହାତବାରିସୀ ସାଜି ପୁଲିସ ଧାରଣାରେ ବସିଥିବା ମହିଳାଙ୍କୁ ଗିରଫ କରିଥିବା ଅଭିଯୋଗ ହୋଇଛି ।

  • ଡିସେମ୍ବର ୨୬ରେ ଧାରଣରତ ୧୩ ମହିଳା ଗିରଫ ହୋଇଥିଲେ
  • ଧାରଣାରତ ପ୍ରସୂତି ଓ ନବଜାତକଙ୍କୁ ଛାଡିନଥିଲା ପୁଲିସ
  • ଗର୍ଭବତୀ ସୁଲବତୀଙ୍କୁ ମଧ୍ୟ ପୁଲିସ ଉଠାଇ ନେଇଥିଲା
  • ଗିରଫଙ୍କ ମଧ୍ୟରେ ଥିଲେ ୪ ପ୍ରସୂତି ଓ ୪ ନବଜାତକ
  • ଜାନୁଆରୀ ୧୦ରେ ଜେଲରୁ ସମସ୍ତେ ମୁକ୍ତ ହୋଇଥିଲେ

ଜେଲରେ ପ୍ରସୂତୀଙ୍କୁ ସଠିକ ଚିକିତ୍ସା ନମିଳିବାରୁ ସୁଲବତୀ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ପ୍ରଶ୍ନ ଉଠୁଛି ହକ ପାଇଁ ଲଢେଇ କରୁଥିବା ପ୍ରସୂତି ଓ ଗର୍ଭବତୀଙ୍କୁ ଗିରଫ କରି କେମିତି କୋର୍ଟଚାଲାଣ କଲା ପୁଲିସ?

Spread the love