କଳିଙ୍ଗରେ ଭାରତର ଜୋରଦାର ଅଭ୍ୟାସ, ଚର୍ଚ୍ଚା ‌ଯୋଗ୍ୟତାର

ଭୁବନେଶ୍ବର: ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଅଭିଯାନ ଶେଷ କରିବା ପରେ ଭାରତୀୟ ହକି ଦଳ ଦୁଇଟି ଦଫାରେ ଭୁବନେଶ୍ବର ଫେରି ଆସିଛନ୍ତି। ମଙ୍ଗଳବାର ଅପରାହ୍ଣରେ ହର୍ମନପ୍ରୀତ୍ ସିଂହଙ୍କ ଦଳ ଅଭ୍ୟାସ ପଡ଼ିଆରେ ପ୍ରାୟ ଦୁଇ ଘଣ୍ଟା ଅଭ୍ୟାସ କରିଛନ୍ତି। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ବେଳେ ଆହତ ହାର୍ଦିକ ସିଂହ ହାଲକା ଅଭ୍ୟାସ କରିଥିଲେ। ସକାଳେ ତାଙ୍କ ଏମ୍‌ଆରଆଇ ସ୍କାନ୍ କରାଯାଇଥିଲା। ରିପୋର୍ଟ ଆସିବା ପରେ ସେ ଖେଳିବା ନ ଖେଳିବା ଚିତ୍ର ସ୍ପଷ୍ଟ ହେବ। ହାର୍ଦ୍ଦିକ କିନ୍ତୁ ୱେଲ୍ସ ବିପକ୍ଷ ଶେଷ ମ୍ୟାଚ୍‌ ଖେଳିବେ ନାହିଁ ବୋଲି ହକି ଇଣ୍ଡିଆ ସ୍ପଷ୍ଟ କରିଛି। ଗୁରୁବାର ଭାରତ ତା’ର ଅନ୍ତିମ ଗ୍ରୁପ୍ ମ୍ୟାଚ୍‌ରେ ପଦାର୍ପଣକାରୀ ଦେଶ ୱେଲ୍‌ସକୁ ଭେଟିବ। ଏହି ମ୍ୟାଚ୍‌ ଭାରତ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ। ସ୍ପେନ୍‌କୁ ୨-୦ରେ ହରାଇବା ପରେ ଭାରତ ପରବର୍ତୀ ମ୍ୟାଚ୍‌କୁ ଇଂଲଣ୍ଡ ସହ ଗୋଲଶୂନ୍ୟ ଭାବେ ଡ୍ର’ ରଖିଥିଲା। ଇଂଲଣ୍ଡ କିନ୍ତୁ ୱେଲ୍ସକୁ ୫-୧ ଗୋଲ୍‌ରେ ପରାସ୍ତ କରିଥିବାରୁ ଗ୍ରୁପ୍ ‘ଡି’ର ଶୀର୍ଷ ସ୍ଥାନ ପାଇଁ ଭାରତ ସହ ପରୋକ୍ଷ ମୁକାବିଲା କରୁଛି। ଶେଷ ଗ୍ରୁପ୍ ମ୍ୟାଚ୍‌ ପୂର୍ବରୁ ଭାରତର ଆଗକୁ ବଢ଼ିବା ଚର୍ଚ୍ଚା ଏବେଠାରୁ ଆରମ୍ଭ ହୋଇଯାଇଛି।

କେମିତି ଅଛି ଭାରତ ସୁଯୋଗ

ଭାରତ ଓ ଇଂଲଣ୍ଡ ଗ୍ରୁପ୍‌ ‘ଡି’ରେ ୨ଟି ଲେଖାଏଁ ଖେଳି ସମାନ ୪ ପଏଣ୍ଟ ପାଇଛନ୍ତି। ଗ୍ରୁପ୍ ବିଜେତା ଦଳ ହିଁ ସିଧାସଳଖ କ୍ବାର୍ଟରଫାଇନାଲ୍ ସୁଯୋଗ ପାଇବ। ଦ୍ବିତୀୟ ଓ ତୃତୀୟରେ ରହିଲେ କ୍ରସ୍ ଓଭର ଖେଳି ଆଗକୁ ଯିବାର ଅବଶ୍ୟ ସ‌ୁଯୋଗ ବି ରହିବ। କିନ୍ତୁ ଏହା ନକ୍ ଆଉଟ୍ ଭଳି ହେବ। ଗୁରୁବାର ଭାରତ-ୱେଲ୍ସ ମ୍ୟାଚ୍‌ ପୂର୍ବରୁ ଇଂଲଣ୍ଡ-ସ୍ପେନ୍‌ ମୁକାବିଲା ହେବ। ସେହି ଦୃଷ୍ଟିରୁ ଭାରତ ନିଜ ଲକ୍ଷ୍ୟ ମ୍ୟାଚ୍‌ ପୂର୍ବରୁ ପାଇଯିବ। ଇଂଲଣ୍ଡ ଯଦି ସ୍ପେନ୍‌କୁ ହରାଇଥିବ ତେବେ ଭାରତକୁ ଏହି ମ୍ୟାଚ୍‌ ଗୋଲ ବ୍ୟବଧାନଠାରୁ ୪ଟି ଅଧିକ ଗୋଲ୍‌ରେ ଜିତିବାକୁ ପଡ଼ିବ। ଯଦି ଇଂଲଣ୍ଡ ହାରିଥିବ ତେବେ ଭାରତକୁ ସାଧାରଣ ବ୍ୟବଧାନର ବିଜୟ ବି ସିଧାସଳଖ କ୍ବାର୍ଟରଫାଇନାଲ୍ ନେଇଯିବ। ଭାରତ ଗ୍ରୁପ୍ ବିଜେତା ହୋଇ ଆଗକୁ ବଢ଼ିଥିଲେ ଗ୍ରୁପ୍ ‘ଏ’ର ତୃତୀୟ ଏବଂ ବି’ର ଦ୍ବିତୀୟ ଦଳ ମଧ୍ୟରେ ଖେଳାଯିବାକୁ ଥିବା କ୍ରସ୍ ଓଭର ବିଜେତା ଦଳ ସହ ଖେଳିବ। ଭାରତ ଯଦି ଗ୍ରୁପ୍‌ରେ ଦ୍ବିତୀୟ ହେବ ତେବେ ୨୨ ତାରିଖରେ ଗ୍ରୁପ୍ ‘ସି’ର ସମ୍ଭାବ୍ୟ ତୃତୀୟ ଦଳ ମାଲେସିଆ ସହ ଖେଳିପାରେ। ଭାରତ ତୃତୀୟ ହେଲେ କ୍ରସ୍ ଓଭରରେ ବର୍ତମାନର ସ୍ଥିତି ଅନୁସାରେ ନ୍ୟୁଜିଲାଣ୍ଡ୍‌ ସହ ଖେଳିବା ସମ୍ଭାବନା ରହିଛି। ମୋଟାମୋଟି ଭାବେ ନକ୍ ଆଉଟ୍ ପୂର୍ବରୁ ଅଧିକ ବିଶ୍ରାମ ପାଇବାକୁ ଉଭୟ ଭାରତ ଓ ଇଂଲଣ୍ଡ ସିଧାସଳଖ କ୍ବାର୍ଟରଫାଇନାଲ୍ ଖେଳିବା ଆଶାରେ ରହିଛନ୍ତି।

Spread the love