ଯୋରନ୍ଦା ମେଳାକୁ ନେଇ ଅନିଶ୍ଚିତତା; ବୈଠକ ବର୍ଜନ କଲା କୌପୀନଧାରୀ ମହିମା ସମାଜ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦାସ୍ଥିତ ମହିମା ପୀଠର ତୃତୀୟ ବେଢ଼ାରେ ଥିବା ସାଧୁଙ୍କ ଉପାସନା ପୀଠ ଉଚ୍ଛେଦ ଘଟଣାକୁ ଦୁଇ ମାସ ବିତିବାକୁ ବସିଲାଣି। ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ନା ସେମାନଙ୍କୁ ଥଇଥାନ କରାଗଲା ନା ନୂତନ ଉପାସନା ପୀଠ ନିର୍ମାଣ କରାଗଲା। ଯେଉଁଥିପାଇଁ ଯୋରନ୍ଦା ମାଘ ମେଳାର ପ୍ରଥମ ପ୍ରସ୍ତୁତି ବୈଠକକୁ ପ୍ରତ୍ୟାଖ୍ୟାନ କରିଛନ୍ତି କୌପୀନଧାରୀ ମହିମା ସମାଜ। ତେଣୁ ବିଶ୍ୱପ୍ରସିଦ୍ଧ ମାଘ ମେଳା ଆୟୋଜନକୁ ନେଇ ଆରମ୍ଭ ହୋଇଛି ଛକାପଞ୍ଝା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତକାଲି ବସିଥିବା ମାଘ ମେଳା ପ୍ରସ୍ତୁତି ବୈଠକକୁ ବର୍ଜନ କରିଛନ୍ତି ମହିମାଗାଦୀର କୌପୀନଧାରୀ ମହିମା ସମାଜ। ଫଳରେ  କେବଳ ବକଳଧାରୀ ମହିମା ସନ୍ନ୍ୟାସୀଙ୍କୁ ନେଇ ବୈଠକ କରିବାକୁ ବାଧ୍ୟ ହୋଇଥିଲା ଜିଲ୍ଲା ପ୍ରଶାସନ। ଆଗାମୀ ବୈଠକରେ ପ୍ରଶାସନ ଯଦି  କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ ନ କରେ ଦେବେ ସେମାନେ ମାଘ ମେଳାକୁ ସମ୍ପୁର୍ଣ୍ଣ ପ୍ରତ୍ୟାଖ୍ୟାନ କରିବେ ବୋଲି ଚେତାବନୀ ଦେଇଛନ୍ତି କୌପୀନଧାରୀ ମହିମା ସମାଜ ସାଧୁ।

ମହିମାଗାଦୀ ପରିସରରେ ଥିବା ଗାଦୀ ମନ୍ଦିର, ଶୂନ୍ୟ ମନ୍ଦିର ଓ ଧୂନୀ ମନ୍ଦିରକୁ ବକ୍କଳଧାରୀ ସାଧୁ ନିଜ ଆୟତ୍ତରେ  ରଖିବା ସହ କୌପୀନଧାରୀ ସାଧୁଙ୍କୁ ଉପାସନା ପାଇଁ ଭର୍ତ୍ତି କରାଇ ଦେଉନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉଭୟ ପକ୍ଷ ମଦ୍ୟରେ ବିବାଦ ଲାଗି ରହିଥିବା ବେଳେ  ମହିମାଗାଦୀର ତୃତୀୟ ବେଢା ପରିସରରେ ଥିବା କୌପୀନଧାରୀ ମହିମା ସାଧୁଙ୍କ ଭେକ ମନ୍ଦିର, ବତୀ ମନ୍ଦିର ଓ ଧୂନୀ ମନ୍ଦିରକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରାୟ ୨ ମାସ ପୂର୍ବେ ଭାଙ୍ଗି ଦିଆଯାଇଥିଲା।

ପରବର୍ତ୍ତୀ ମୁହୁର୍ତ୍ତରେ କୌପୀନଧାରୀ ମହିମା ସାଧୁଙ୍କ ତରଫରୁ ବାରମ୍ବାର ଜିଲ୍ଲା ପ୍ରଶାସନ ମାଧ୍ୟମରେ ସେମାନଙ୍କ ପାଇଁ ଉପାସନା ପୀଠ ପୁନଃ ନିର୍ମାଣ କିମ୍ବା କୌଣସି ଥଇଥାନ ପାଇଁ ନିବେଦନ ମଧ୍ୟ କରାଯାଇଥିଲା। କିନ୍ତୁ ପ୍ରଶାସନ ଏହାକୁ କର୍ଣ୍ଣପାତ କରି ନ ଥିଲା।  ପ୍ରଶାସନର ଉଦାସୀନତା ଯୋଗୁ କୌପୀନଧାରୀ ମହିମା ସନ୍ୟାସୀଙ୍କ ପାଇଁ ଥଇଥାନ କିମ୍ବା ଉପାସନା ପୀଠର ପୁନଃ ନିର୍ମାଣ କରାଗଲା ନାହିଁ। ଫଳରେ ସେମାନେ ଖୋଲା ଆକାଶ ତଳେ ଦୁଇ ମାସ ହେବ ଧୂନୀ ଲଗାଇ ଉପାସନା କରୁଛନ୍ତି ।

ମହିମାଗାଦୀ ପରିସରରେ ଥିବା ଗାଦୀ ମନ୍ଦିର ଶୁନ୍ୟ ମନ୍ଦିର ଓ ଧୂନୀ ମନ୍ଦିରକୁ ବକ୍କଳଧାରୀ ସାଧୁମାନେ ନିଜ ଆୟତ୍ତରେ ରଖିବା ସହ କୌପୀନଧାରୀ ସାଧୁଙ୍କୁ ଉପାସନା ପାଇଁ ଭର୍ତ୍ତି କରାଇ ଦେଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ବାବା ରଘୁନାଥ ଦାସ। ଯେଉଁଥି ପାଇଁ ବାଧ୍ୟ ହୋଇ ଖୋଲା ଆକାଶ ତଳେ ଧୁନୀ ଲଗାଇ ଦୁଇ ମାସ ହେବ କୌପିନଧାରୀ ସାଧୁମାନେ ଉପାସନା କରି ଆସୁଛନ୍ତି। ଏପଟେ ମାଘ ମେଳାରେ ଯଦି ସାଧୁ କିମ୍ବା ଭକ୍ତମାନେ ଆସନ୍ତି ତେବେ ସେମାନେ କେଉଁଠି ଅଖଣ୍ଡ ଧୁନୀ ଲଗାଇବେ ଓ କେଉଁଠି ରହିବେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ବାବା ରଘୁନାଥ ଦାସ। ତେଣୁ ଆସନ୍ତା ବୈଠକରେ ସେମାନଙ୍କ ନିମନ୍ତେ ଯଦି ଜିଲ୍ଲା ପ୍ରଶାସନ କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ ନକରେ ତେବେ ସେମାନେ ଏହି ମାଘ ମେଳାକୁ ସମ୍ପୁର୍ଣ୍ଣ ପ୍ରତ୍ୟାଖ୍ୟାନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏପଟେ ଜିଲ୍ଲାପାଳ କହିଛନ୍ତି ୧୮ ତାରିଖରେ ଊଭୟ ପକ୍ଷର ସନ୍ନ୍ୟାସୀଙ୍କୁ ନେଇ ବୈଠକରେ ଆସୁ ସମାଧାନ କରାଯାଇ ମାଘ ମେଳା ସମ୍ପର୍ଣ୍ଣ କରାଯିବା ପାଇଁ ଚେଷ୍ଟା କରାଯିବ।

Spread the love