DL ପାଇଁ ଆସନ୍ତା ୨୬ରୁ ଅନ୍‌ଲାଇନ୍‌ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ

ଡ୍ରାଇଭିଂ ଲାଇସେନ୍ସର ନବୀକରଣ ପାଇଁ ବାଧ୍ୟତାମୂଳକ ହେବ ଅନ୍‌ଲାଇନ୍‌ ଡାକ୍ତରୀ ପ୍ରମାଣପତ୍ର। ୪୦ ବର୍ଷ ବୟସରୁ ଅଧିକ ଆବେଦନକାରୀଙ୍କ ପାଇଁ ଏହି ନିୟମ ଲାଗୁହେବ। ତେବେ ନୂତନ DL ପାଇଁ ଆବେଦନ କରୁଥିବା ସମସ୍ତ ଆବେଦନକାରୀଙ୍କୁ ଏହି ନିୟମ ପାଳନ କରିବାକୁ ପଡ଼ିବ। ବର୍ତ୍ତମାନ ଆବେଦନକାରୀମାନେ ଏକ କାଗଜ ଫର୍ମାଟରେ ମାନୁଆଲ ଡାକ୍ତର ପ୍ରମାଣପତ୍ର ଦେଉଛନ୍ତି। ଅନଲାଇନ୍ ଆବେଦନ ସମୟରେ ଏହାକୁ SARATHI ପୋର୍ଟାଲରେ ଅପଲୋଡ୍ କରୁଛନ୍ତି। ଏହି ପ୍ରକ୍ରିୟାରେ ଡାକ୍ତରୀ ପ୍ରମାଣପତ୍ରର ସତ୍ୟତା ଜାଣିହେବ ନାହିଁ। ନକଲି ଡାକ୍ତର ପ୍ରମାଣପତ୍ର ମଧ୍ୟ ଅପଲୋଡ୍‌ ହେବାର ଆଶଙ୍କା ରହିଛି। ତେଣୁ ଆବେଦନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପ୍ରକୃତ ଡାକ୍ତରଙ୍କ ଦ୍ୱାରା ଉପଯୁକ୍ତ ଡାକ୍ତରୀ ପରୀକ୍ଷା(MCI ଅଧୀନରେ ପଞ୍ଜୀକରଣ ସହିତ MBBS ଡିଗ୍ରୀ ଧାରକ) ନିଶ୍ଚିତ କରିବାକୁ STA ଓଡ଼ିଶା ଏକ ନୂତନ ଅନଲାଇନ୍ ଡାକ୍ତର ପଞ୍ଜୀକରଣ ପୋର୍ଟାଲ୍ ବିକଶିତ କରିଛି। ଯେଉଁଠାରେ ପ୍ରାୟ ୧୬୭ MBBS ଡାକ୍ତର ପଞ୍ଜୀକୃତ ହୋଇଛନ୍ତି। ସେମାନେ ଅନଲାଇନ୍‌ରେ SARATHI ପୋର୍ଟାଲ୍‌ ମାଧ୍ୟମରେ DL ଓ LL ଆବେଦନକାରୀଙ୍କୁ ଡାକ୍ତରୀ ପ୍ରମାଣପତ୍ର ଦେବେ।

ଜାନୁଆରୀ ୨୬ ତାରିଖରୁ ୪୦ ବର୍ଷରୁ ଅଧିକ ବୟସର DL ଓ LL ଆବେଦନକାରୀଙ୍କ ପାଇଁ ଡାକ୍ତରୀ ପ୍ରମାଣପତ୍ରର ଅନଲାଇନ୍‌ ପ୍ରଦାନ ବାଧ୍ୟତାମୂଳକ ହେବ। ଏ ବାବଦରେ ଯୁଗ୍ମ ପରିବହନ କମିଶନର ଦୀପ୍ତି ରଂଜନ ପାତ୍ର (ଟେକ୍ନିକାଲ) କହିଛନ୍ତି, “ଏ ପର୍ଯ୍ୟନ୍ତ ପୋର୍ଟାଲରେ ମୋଟ ୧୬୭ ଡାକ୍ତର ପଞ୍ଜୀକୃତ ହୋଇଛନ୍ତି।” ୪୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ଡାକ୍ତରୀ ସାର୍ଟିଫିକେଟ୍, ଲର୍ଣ୍ଣର୍ ଲାଇସେନ୍ସ/ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କିମ୍ବା ଏହାର ନବୀକରଣ ପାଇଁ ଆବେଦନ କରିବା ସମୟରେ ଏହାକୁ ମାନୁଆଲ କରିବା ପରିବର୍ତ୍ତେ ଫର୍ମ 1 (A) ରେ ଉପସ୍ଥାପନ କରାଯାଇପାରିବ। ଡ୍ରାଇଭିଂ ଲାଇସେନ୍ସ ପାଇବାରେ ସହଜତା ଓ ଆରଟିଓ ଅଫିସ୍‌ରେ କମାଇବାକୁ ଓଡ଼ିଶା ସରକାରଙ୍କ 5T ନୀତି ଅନୁଯାୟୀ ଇଲେକ୍ଟ୍ରୋନିକ୍ ଭାବରେ ଫର୍ମ 1 (ଏ) ରେ ଡାକ୍ତରୀ ପ୍ରମାଣପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହା ମଧ୍ୟ ସୁନିଶ୍ଚିତ କରିବ ଯେ କେହି ନକଲି ଡାକ୍ତରୀ ପ୍ରମାଣପତ୍ର ଅପଲୋଡ୍ କରି ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ ନାହିଁ। ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ପାଇଁ ପୋର୍ଟାଲ ଉନ୍ମୋଚିତ ହୋଇଛି। ଯେଉଁଠାରେ ଲାଇସେନ୍ସ ଆବେଦନକାରୀ ବିନା ଅସୁବିଧାରେ ସିଧାସଳଖ ଡାକ୍ତରୀ ପ୍ରମାଣପତ୍ର ପାଇପାରିବେ।

Spread the love