ମହାକାଳ ମନ୍ଦିରରେ ଭସ୍ମ ଆଳତି ଦେଖିଲେ ଭାରତୀୟ କ୍ରିକେଟର

ଚାଲିଥିଲା ଭସ୍ମ ଆଳତି, ଭକ୍ତିରେ ବିଭୋର ହୋଇଯାଇଥିଲେ ଭାରତୀୟ କ୍ରିକେଟର । ମହାକାଳ ମନ୍ଦିରରେ ଚାଲିଥିଲା ପୂଜାପାଠ, ପଞ୍ଚାମୃତ ଅଭିଷେକ କରୁଥିଲେ ଭାରତୀୟ ଖେଳାଳି ସୂର୍ଯ୍ୟକୁମାର ଯାଦବ, ୱାସିଂଟନ ସୁନ୍ଦର ଓ କୁଳଦୀପ ଯାଦବ । ଦେହରେ ଗେରୁଆ ବସ୍ତ୍ର ଓ ଧୋତି, ମୁଣ୍ଡରେ ଟିକା ଲଗାଇ ଭୋଳାବାବାଙ୍କ ଭକ୍ତିରେ ବିଲୀନ ହୋଇଯାଇଥିଲେ ଏହି ୩ ଖେଳାଳି । ସାଧାରଣ ଲୋକଙ୍କ ଭଳି ଶ୍ରଦ୍ଧାଳୁଙ୍କ ସହ ବସି ମହାକାଳ ମନ୍ଦିରରେ ମହାକାଳଙ୍କ ଭସ୍ମ ଆଳତି ଦେଖିଥିଲେ । ବେଶ କିଛି ସମୟ ମନ୍ଦିର ଭିତରେ ରହି ଭକ୍ତି ଭାବରେ ନିଜକୁ ହଜାଇ ଦେଇଥିଲେ ଖେଳାଳି । ଆଉ ଯେତେବେଳେ ଗର୍ଭଗୃହରେ ପୂଜା କରିବାର ସମୟ ଆସିଲା ସେତେବେଳେ ପନ୍ତଙ୍କୁ ଶୀଘ୍ର ଭଲ କରିଦିଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ଦୀର୍ଘ ସମୟ ମନ୍ଦିର ଭିତରେ ଥିଲେ ମଧ୍ୟ ଖେଳାଳିଙ୍କୁ କେହି ଚିହ୍ନି ପାରିନଥିଲେ ।

ମହାକାଳ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସୂର୍ଯ୍ୟକୁମାର କହିଛନ୍ତି, ଭସ୍ମ ଆଳତି ଦେଖି ମନକୁ ଶାନ୍ତି ମିଳିଛି । ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆଳତି ଦେଖିଲୁ । ଶେଷରେ ମହାକାଳଙ୍କ ପୂଜା କରିବା ସହ ଭାଇ ଋଷଭଙ୍କ ପାଇଁ ପ୍ରାର୍ଥନା କରିଥିଲୁ । ଋଷଭ କିଭଳି ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ସେନେଇ ପୂଜା କରିଥିଲୁ । ଋଷଭ ଯେତେ ଶୀଘ୍ର ସୁସ୍ଥ ହୋଇ ଟିମକୁ ଫେରିବେ ତାହା ଆମ ପାଇଁ ସେତେ ଲାଭଦାୟକ ହେବ । ଏହାଛଡା ତୃତୀୟ ଦିନିକିଆରେ ଟିମ୍ ବିଜୟୀ ହୋଇ ସିରିଜ କ୍ଲିନ୍ ସୁଇପ କରିବ ବୋଲି କହିଛନ୍ତି ସୂର୍ଯ୍ୟକୁମାର ଯାଦବ । ମହାକାଳଙ୍କ ଭସ୍ମ ଆଳତି ଦର୍ଶନ ପାଇଁ ସୋମବାର ଭୋର ସମୟରୁ ମନ୍ଦିରରେ ପହଞ୍ଚିଥିଲେ ଟିମ୍ ଇଣ୍ଡିଆର ଏହି ୩ ଖେଳାଳି । ମନ୍ଦିରରେ ପହଞ୍ଚିବା ପରେ ପାରମ୍ପରିକ ପୋଷାକ ଧୋତି ଓ ବସ୍ତ୍ର ପିନ୍ଧି ନନ୍ଦୀ ହଲରେ ବସି ଭସ୍ମଆଳତି ଦେଖିଥିଲେ । ଏହାପରେ ସାଧାରଣ ଭକ୍ତଙ୍କ ଭଳି ଗର୍ଭଗୃହକୁ ଯାଇ ପଞ୍ଚାମୃତ ଅଭିଷେକ କରିଥିଲେ । ଏହାପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ସିରିଜ ବେଳେ ଟିମ୍ ଇଣ୍ଡିଆର ଅଧିକାଂଶ ଖେଳାଳି ପାରମ୍ପରିକ ବେଶ ଭୂଷାରେ କେରଳର ପଦ୍ମନାଭସ୍ୱାମୀ ମନ୍ଦିର ଯାଇ ପୂଜାପାଠ କରିଥିଲେ ।

ଗତ ୩୦ ଡିସେମ୍ବରରେ ରାତିରେ ଫେରୁଥିବା ବେଳେ ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣାଗସ୍ତ ହୋଇଥିଲା । ଆଉ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଋଷଭ । ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ପନ୍ତ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଉ ପନ୍ତ ଶୀଘ୍ର ସୁସ୍ଥ ହୋଇ ପଡିଆକୁ ଫେରନ୍ତୁ ବୋଲି କ୍ରିକେଟପ୍ରେମୀଙ୍କ ସମେତ ସାଥୀ ଖେଳାଳି ପ୍ରାର୍ଥନା କରୁଛନ୍ତି ।

Spread the love