୪ ବର୍ଷର ଶିଶୁକୁ ପିଟିପିଟି ହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଧୀନ ମୁଣ୍ଡମରାଇ ଗ୍ରାମ ହାଟସାହିରେ ଆଜି ସନ୍ଧ୍ୟାରେ ଘଟିଯାଇଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ଗ୍ରାମର ଏକ ୪ ବର୍ଷର ଶିଶୁକୁ ପଡ଼ୋଶୀ ଘର ଛାତ ଉପରେ ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଛି। ତେବେ, ନିଷ୍ପାପ ଶିଶୁକୁ ଏଭଳି ହତ୍ୟା ପଛରେ କାରଣ କ’ଣ ଜଣା ପଡ଼ିନାହିଁ।

ମୃତ ଶିଶୁଟି ଗ୍ରାମରେ ପାନ ଦୋକାନ କରିଥିବା ଗୋବିନ୍ଦ ପାତ୍ରଙ୍କ ପୁଅ ନି‌ତେଶ ପାତ୍ର। ସୂଚନା ଅନୁସାରେ, ସନ୍ଧ୍ୟା ୫ଟାରେ ନିତେଶ ଟିଉସନ ଯିବାର ଥିଲା। କିନ୍ତୁ, ସେ ନଥିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ପଡ଼ୋଶୀ ଘର ଛାତ ଉପରେ ଶିଶୁଟିକୁ ଠାବ କରିଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ସେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲା। ପରିବାର ଲୋକେ ତୁରନ୍ତ ଶିଶୁଟିକୁ ଧରା କୋଟ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଘଟଣା ପ୍ରଘଟ ହେବା କ୍ଷଣି ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ପରିବାର ଲୋକଙ୍କ ସହ ସାହିରେ କାହାର ଶତ୍ରୁତା ନଥିବା ବେଳେ କାହିଁକି ଶିଶୁଟିକୁ କିଏ ହତ୍ୟା କରିଛି, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ବୋଲି ଥାନା ଅଧିକାରୀ ମମତା ସାମନ୍ତରାୟ କହିଛନ୍ତି। ତେବେ,ପଡ଼ୋଶୀ ଘର ଯୁବକ ଜଣକ ଘରେ ନଥିବାରୁ ପୁଲିସ ତା’ ଉପରେ ସନ୍ଦେହ ନିବଦ୍ଧ କରିଛି। ଫେରାର ଯୁବକ ଧରାପଡ଼ିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଥାନା ଅଧିକାରୀ କହିଛନ୍ତି।

Spread the love