ଲୋକପ୍ରିୟ ଲୋକଗୀତ ‘ରଙ୍ଗବତୀ’ର ଏକ ସ୍ୱତନ୍ତ୍ର ପରିଚୟ ରହିଛି- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର – ଲୋକଗୀତ ‘ରଙ୍ଗବତୀ’ର ତିନି କଳାକାରଙ୍କୁ ସମ୍ମାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଲୋକପ୍ରିୟ ଲୋକଗୀତ ‘ରଙ୍ଗବତୀ’ର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ପ୍ରାୟ ୪ ଦଶନ୍ଧି ପୂର୍ବେ ପ୍ରସ୍ତୁତ ହୋଇଥିବା ଏହି ଗୀତ ଏବେ ବି ଜନମାନସରେ ଆଦୃତ ହୋଇ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୭ରେ ‘ରଙ୍ଗବତୀ’ ଗୀତର ଗାୟକ ଜିତେନ୍ଦ୍ର ହରିପାଲ, ୨୦୨୦ରେ ଗୀତର ରଚୟିତା ମିତ୍ରଭାନୁ ଗୌନ୍ତିଆଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିବା ସହ ଚଳିତବର୍ଷ ପାଇଁ ଏହି ଗୀତର ଗାୟିକା କ୍ରିଷ୍ଣା ପଟେଲଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରିଛନ୍ତି । ପ୍ରଧାନମନ୍ତ୍ରୀ ଜୁଲାଇ, ୨୦୨୦ରେ ମଧ୍ୟ ‘ରଙ୍ଗବତୀ’ର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ବିଲୁଙ୍ଗକୁ ‘ରଙ୍ଗବତୀ ବିଲୁଙ୍ଗ’ରେ ନାମିତ କରି ଏହି ପ୍ରସିଦ୍ଧ ସଙ୍ଗୀତ, ଗୀତିକାର ଏବଂ ଲୋକଙ୍କ ଭାବାବେଗକୁ ସମ୍ମାନ ଦେଇଛନ୍ତି।

ରଙ୍ଗବତୀ ଗୀତ ସହ ଜଡିତ ତିନି କଳାକାରଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ପୁନର୍ବାର ଶୁଭେଚ୍ଛା ଜଣାଉଛି । ଏହି ତିନି ଜଣ ବ୍ୟକ୍ତିବିଶେଷଙ୍କ ପାଇଁ ଓଡ଼ିଆ ଜାତି ଆଜି ଗର୍ବିତ । ପ୍ରଧାନମନ୍ତ୍ରୀ ସର୍ବଦା ଓଡ଼ିଶାର ସଂସ୍କୃତି, କଳା ଓ ସାହିତ୍ୟର ମାନ ବଢାଇଛନ୍ତି ସେ ମତବ୍ୟକ୍ତ କରିଛନ୍ତି ।

Spread the love