ମୁଖ୍ୟମନ୍ତ୍ରୀଙ୍କ ଭୋଟ ବ୍ୟବଧାନକୁ ଟପିଗଲେ ରୀତା ସାହୁ; ୯୮ ହଜାର ଭୋଟରେ ବିଜୟୀ

ବିଜେପୁରରେ ହାଟ୍ରିକ୍ ବିଜୟ ହାସଲ କରିଛି ବିଜୁ ଜନତା ଦଳ । ୨୧ ତାରିଖରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ  ରୀତା ସାହୁ ତାଙ୍କର ନିକଟତମ ବିଜେପି ପ୍ରତିଦ୍ୱନ୍ଦୀ ସନତ ଗଡ଼ତିଆଙ୍କୁ ୯୭ ହଜାର ୯୯୪ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ସ୍ଥିତି ହଜିଯାଇଛି । ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଏଠାରୁ ପ୍ରାର୍ଥୀ ହୋଇ ୧ ଲକ୍ଷ ୧୦ ହଜାର ୬୦୪ ଭୋଟ ପାଇଥିବା ବେଳେ ଉପନିର୍ବାଚନରେ ରୀତାଙ୍କ ପାଇଁ ୨୫ ହଜାର ଅଧିକ ଭୋଟ ଯୋଗାଡ଼ କରିଛନ୍ତି ।
ଆଜି ୨୧ ରାଉଣ୍ଡ ଭୋଟ ଗଣତି ପରେ ଏହା ହେଉଛି ବିଜେପୁର ଫଳାଫଳ । ବିଜେପି ପ୍ରାର୍ଥୀ ରୀତା ସାହୁଙ୍କ ସପକ୍ଷରେ ୧ ଲକ୍ଷ ୩୫ ହଜାର ୯୫୭ ଭୋଟ ପଡ଼ିଥିବା ବେଳେ ବିଜେପିର ସନତ ଗଡ଼ତିଆଙ୍କ ପକ୍ଷକୁ ଯାଇଛି ୩୭ ହଜାର ୯୬୭ ଭୋଟ । କଂଗ୍ରେସର ଦିଲ୍ଲୀପ ପଣ୍ଡା ପାଇଛନ୍ତି ୫ ହଜାର ୮୭୩ ଭୋଟ । ବିଜେଡ଼ି ହାଟ୍ରିକ୍ ବିଜୟ ହାସଲ କରିଥିବା ବେଳେ କଂଗ୍ରେସ ସ୍ଥିତି ହରାଇବାରେ ହାଟ୍ରିକ୍ ଅର୍ଜନ କରି ଶୋଚନୀୟ ଅବସ୍ଥାକୁ ଆସିଛି । ବିଜେପିର ଭୋଟ ଗତ ସାଧାରଣ ନିର୍ବାଚନଠାରୁ ପ୍ରାୟ ୨୦ ହଜାର ପଛକୁ ଚାଲି ଆସିଛି । ୨୦୧୮ ଉପନିର୍ବାଚନରେ ବିଜେଡ଼ିର ଭୋଟ ବ୍ୟବଧାନ ପାଖାପାଖି ୪୨ ହଜାର ଥିଲା ବେଳେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ି ଭୋଟ ବ୍ୟବଧାନ ୫୭ ହଜାରକୁ ବୃଦ୍ଧି ପାଇଥିଲା ।
କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ଯୋଗୁଁ ୨୦୧୮ରେ ଅନୁଷ୍ଠିତ ଉପନିର୍ବାଚନରେ ସ୍ୱର୍ଗତ ସାହୁଙ୍କ ପତ୍ନୀ ରୀତାଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିଲା । ଅଶୋକ ପାଣିଗ୍ରାହୀଙ୍କୁ ବିଜେପି ଏବଂ ପ୍ରଣୟ ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା । ବିଜେଡ଼ିର ରୀତାଙ୍କୁ ୧ ଲକ୍ଷ ୨ ହଜାର ୮୭୧ ଭୋଟ, ବିଜେପିର ଅଶୋକଙ୍କୁ ୬୦,୯୩୮ ଭୋଟ ଏବଂ କଂଗ୍ରେସର ପ୍ରଣୟଙ୍କୁ ୧୦,୨୭୪ ଭୋଟ ମିଳିଥିଲା । ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରୁ ନିର୍ବାଚନ ଲଢ଼ିଥିଲେ । ତାଙ୍କ ବିପକ୍ଷରେ ବିଜେପିର ସନତ ଗଡ଼ତିଆ ଏବଂ କଂଗ୍ରେସର ରିପୁନାଥ ସେଠ୍ ପ୍ରାର୍ଥୀ ହୋଇଥିଲେ । ମୁଖ୍ୟମନ୍ତ୍ରୀ ୫୯.୭୮ ପ୍ରତିଶତ ଭୋଟ ପାଇ ରେକର୍ଡ କରିଥିଲେ । ତାଙ୍କୁ ସମୁଦାୟ ୧ ଲକ୍ଷ ୧୦ ହଜାର ୬୦୪ ଖଣ୍ଡ ଭୋଟ ମିଳିଥିଲା । ବିଜେପି ପ୍ରାର୍ଥୀ ସନତ୍ ଙ୍କୁ ୫୩ ହଜାର ୪୮୨ ଭୋଟ(୨୮.୯୧%) ମିଳିଥିବା ବେଳେ କଂଗ୍ରେସର ରିପୁନାଥଙ୍କୁ ମିଳିଥିଲା ୧୪,୩୪୪(୭.୭୫%) ଭୋଟ ।
ଚଳିତ ବିଧାନସଭାରେ ଖଣ୍ଡପଡ଼ାର ବିଜେଡ଼ି ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀଙ୍କୁ ୮୧ ହଜାର ୪୩୦ ଭୋଟରେ ପରାସ୍ତ କରି ସର୍ବାଧିକ ଭୋଟ ବ୍ୟବଧାନରେ ଜିତିଥିବା ବିଧାୟକର ମାନ୍ୟତା ପାଇଥିଲେ । ମାତ୍ର ସୌମ୍ୟଙ୍କ ମାନ୍ୟତାକୁ କାଟିଛନ୍ତି ରୀତା ସାହୁ । ସେ ଏବେ ସର୍ବାଧିକ ଭୋଟ ବ୍ୟବଧାନରେ ଜିତିଥିବା ବିଧାୟିକା ।
ବିଜେପୁର ନିର୍ବାଚନ ଫଳାଫଳ ଆସିଲା କ୍ଷଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଫୋନ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । 
Spread the love