କେଉଁ ଚିଠି ଆଧାରରେ ଜଷ୍ଟିସ ଜେ ପି ଦାସଙ୍କୁ ନିଯୁକ୍ତି ଦିଆଗଲା, ତାହା ଦେଖାନ୍ତୁ ରାଜ୍ୟ ସରକାର: ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କ୍ରାଇମବ୍ରାଞ୍ଚ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ନଥିବା ସେ ନିଜେ ପ୍ରମାଣ କରିଛନ୍ତି, ଯେଉଁଥିପାଇଁ ତଦନ୍ତର ତଦାରଖ ପାଇଁ ଜଣେ ହାଇକୋର୍ଟ ଜଜଙ୍କୁ ନିଯୁକ୍ତି ପାଇଁ ଚିଠି ଲେଖିଲେ। ପ୍ରମାଣ ନଷ୍ଟକାରୀ ଅଫିସରକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଶୀଘ୍ର ରାଜ୍ୟ ସରକାର ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି। କେଉଁ ଚିଠି ଆଧାରରେ ଜଷ୍ଟିସ ଜେପି ଦାସଙ୍କୁ ନିଯୁକ୍ତି ଦିଆଗଲା, ତାହା ସମସ୍ତଙ୍କୁ ଦେଖାନ୍ତୁ। ନବ ଦାସ ହତ୍ୟାକାଣ୍ଡର ତଦାରଖ କରୁଥିବା ଅବସରପ୍ରାପ୍ତ ଜେ.ପି ଦାସଙ୍କ ନିଯୁକ୍ତି, ସମ୍ପୂର୍ଣ ବେଆଇନ ବୋଲି ସେ କହିଛନ୍ତି।

ପୀତାମ୍ବର ଆଚାର୍ଯ୍ୟ ଆହୁରି କହିଛନ୍ତି, ହାଇକୋର୍ଟ କୌଣସି ଜୁଡିସିଆଲ ଅର୍ଡର କରି ନାହାନ୍ତି ଯେ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ଅବସରପ୍ରାପ୍ତ ଜଷ୍ଟିସ ଜେପି ଦାସ କରିବେ। ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ କୋର୍ଟ ମନିଟର୍ଡ ତଦନ୍ତ ନୁହେଁ। କେଉଁ ଆଦେଶ ବଳରେ ହାଇକୋର୍ଟ ଏକ ତଦାରଖ କମିଟି ବସେଇଛନ୍ତି ତାହାର କପିକୁ ସର୍ବ ସାଧାରଣରେ ରଖନ୍ତୁ। ବିଜେଡିର ଦାବି କୋର୍ଟ ମନିଟର୍ଡ ତଦନ୍ତ, ଏହା ସମ୍ପୂର୍ଣ ମିଥ୍ୟା। ହାଇକୋର୍ଟ କୌଣସି ଜୁଡିସିଆଲ ଅର୍ଡର କରି ନାହାନ୍ତି ଯେ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ଅବସରପ୍ରାପ୍ତ ଜଷ୍ଟିସ ଜେ ପି ଦାସ କରିବେ ବୋଲି। ଜଷ୍ଟିସ ଜେ ପି ଦାସ ଜୁଡିସିଆରି ଦ୍ୱାରା ନିୟୋଜିତ ହୋଇ ନାହାନ୍ତି।  ସରକାର ନିଜ ପାପରେ ହାଇକୋର୍ଟକୁ ସାମିଲ କରନ୍ତୁ ନାହିଁ। ଏହା ସମ୍ପୂର୍ଣ୍ଣ ବେଆଇନ। ବରିଷ୍ଠ ବିଜେପି ନେତା ଆହୁରି କହିଛନ୍ତି, ନବ ଦାସଙ୍କ ସମର୍ଥକମାନେ ଆଲୋଚନା କରୁଛନ୍ତି ହତ୍ୟାକାଣ୍ଡ ପଛରେ ଶାସକ ଦଳର ନେତା ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଦାୟିତ୍ୱ ଅଛି କି ନାହିଁ ନବ ଦାସଙ୍କ ହତ୍ୟାର ରହସ୍ୟ ଉନ୍ମୋଚନ ହେଉ ବୋଲି ଦାୟିତ୍ୱ ନେବେ। ମୁଖ୍ୟମନ୍ତ୍ରୀ ଚାହୁଁ ନାହାନ୍ତି କି ନବ ଦାସଙ୍କ ହତ୍ୟାକାରୀ କିଏ ତା ଉନ୍ମୋଚିତ ହେଉ ବୋଲି।

Spread the love