ଓପିଜିସି, ଓସିପିଏଲ୍, ଓଇଆରସି ଓ ରାଜ୍ୟ ସରକାର ମିଶି ଲୁଟୁଛନ୍ତି, ଲୁଟର ଶିକାର ହେଉଛନ୍ତି ବିଦ୍ୟୁତ୍ ଉପଭୋକ୍ତା: କଂଗ୍ରେସ

ଭୁବନେଶ୍ବର: ରାଜ୍ୟରେ ଲୁଟର ଶିକାର ହେଉଛନ୍ତି ବିଜୁଳି ଉପଭୋକ୍ତା । ଓପିଜିସି, ଓସିପିଏଲ୍, ଓଇଆରସି ଓ ରାଜ୍ୟ ସରକାରଙ୍କ ମିଲିଭଗତରେ ଚାଲିଛି ଏହି ଲୁଟ। ଫଳରେ ବିଜୁଳି ବ୍ୟବହାର ପାଇଁ ଉପଭୋକ୍ତାଙ୍କୁ ଗଣିବାକୁ ପଡ଼ୁଛି ଅଧିକ ଅର୍ଥ। ଆଜି ସାମ୍ୱାଦିକ ସମ୍ମିଳନୀ କରି ଏମିତି ଅଭିଯୋଗ ଆଣିଛି କଂଗ୍ରେସ।
ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, ରାଜ୍ୟରେ ଶସ୍ତାରେ ବିଜୁଳି ଯୋଗାଣ ପାଇଁ ଓପିଜିସିକୁ ୯୦୦ ମିଲିଅନ ଟନ କୋଇଲା ମହଜୁଦ ଥିବା ମନୋହରପୁର ଓ ଡିପ ମନୋହରପୁର କୋଲ ବ୍ଲକ ଆବଣ୍ଟନ ହୋଇଛି। ଏହି କୋଇଲା ଖଣିରୁ ଉତ୍ପାଦନ ସମସ୍ତ କୋଇଲା କେବଳ ଓପିଜିସି ଦ୍ଵାରା ବିଦ୍ୟୁତ୍ ଉତ୍ପାଦନ ଲାଗି ବ୍ୟବହାର ହେବା କଥା । ଏହି କୋଇଲା ଖଣିରୁ କୋଇଲା ଉତ୍ପାଦନ ଲାଗି ଓସିପିଏଲକୁ ଦାୟିତ୍ୱ ଦିଆଯାଇଛି ।

ଏଠାରୁ କୋଇଲା ଉତ୍ପାଦନ ପାଇଁ ଟନ ପିଛା ୪୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଓପିଜିସିଠାରୁ ଓସିପିଏଲ୍ ନେଉଛି ୭୫୮ ଟଙ୍କା। ଏଥିଯୋଗୁଁ ଓପିଜିସି ବିଜୁଳି ଦର ବଢ଼ାଉଛି, ଯାହାକି ଉପଭୋକ୍ତାଙ୍କ ମୁଣ୍ଡରେ ଲଦି ଦିଆଯାଉଛି। ଯଦି ଉତ୍ପାଦନ ଖର୍ଚ୍ଚରେ ଓପିଜିସି କୋଇଲା ନିଅନ୍ତା, ବିଜୁଳି ଦର ପାଖାପାଖି ୬୦ ପଇସା କମିଯାନ୍ତା। କିନ୍ତୁ ଏବେ ସେମାନେ ଉପଭୋକ୍ତାଙ୍କ ପଇସାରେ ଲାଭ କରୁଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଯାଏଁ ସଭିଏଁ ଲାଭାଂଶ ଖାଉଛନ୍ତି। ଅପରପକ୍ଷେ ଆଗକୁ ନିର୍ବାଚନ ଖର୍ଚ୍ଚ ଉଠାଇବା ପାଇଁ ଓପିଜିସିର ୨୫% ଘରୋଇ କମ୍ପାନି ହାତକୁ ଟେକି ଦେବାକୁ ସରକାର ଯୋଜନା କରିଛନ୍ତି। ପୁଞ୍ଜି ପ୍ରତ୍ୟାହାର ପୂର୍ବରୁ ଏ ସମସ୍ତ ଘଟଣାର ତଦନ୍ତ ଏଜିଙ୍କୁ ହସ୍ତାନ୍ତର ପାଇଁ ଦାବି କରିଛି କଂଗ୍ରେସ । ଏଜିଙ୍କ ତଦନ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବା ଯାଏଁ ଓପିଜିସି ପୁଞ୍ଜି ପ୍ରତ୍ୟାହାର ବନ୍ଦ ରଖିବାକୁ ଦାବି କରିଛି କଂଗ୍ରେସ ।

Spread the love