ଦୁର୍ଘଟଣାରେ ନବଦମ୍ପତି ମୃତ

ଗୋଳନ୍ଥରା: ମାତ୍ର ଦୁଇଦିନ ତଳେ ସରିଥିଲା ବାହାଘର। ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମର ଜୀବନସାଥୀ ହେବାକୁ ପଣ କରିଥି‌ଲେ। ‌ନୂଆ ଜୀବନ ଆରମ୍ଭ ପାଇଁ ମନରେ ଅନେକ ଆଶା ବାନ୍ଧି ସ୍ବପ୍ନ ଦେଖିଥିଲେ। ହେଲେ ବାହାଘରର ୭୨ ଘଣ୍ଟା ପରେ ନିମିଷକରେ ସବୁକିଛି ଚୂରମାର୍ ହୋଇଗଲା। ମର୍ମନ୍ତୁଦ ଦୁର୍ଘଟଣାରେ ନବଦମ୍ପତିଙ୍କ ଜୀବନଦୀପ ଲିଭିଗଲା। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ସମ୍ମୁଖରେ ଆଜି ସନ୍ଧ୍ୟାରେ ଟ୍ରକ୍ ଧକ୍କାରେ ନବଦମ୍ପତିଙ୍କ ଏଭଳି ଦୁଃଖଦ ମୃତ୍ୟୁ ଆଲୋଡ଼ନ ସୃଷ୍ଟି କରିଛି। ମୃତକ ଦମ୍ପତି ହେଉଛନ୍ତି, ଆନ୍ଧ୍ରପ୍ରଦେଶ ଇଚ୍ଛାପୁରର ସିଏଚ୍.ପ୍ରବଣିକା ଓ ଜି.ବେଣୁ।

ସୂଚନାନୁସାରେ, ବ୍ରହ୍ମପୁରର ବାସିନ୍ଦା ପ୍ରବଣିକା ନାମକ ଜଣେ ଯୁବତୀଙ୍କ ସହ ଇଚ୍ଛାପୁରର ବେଣୁଙ୍କ ବାହାଘର ଗତ ୧୦ ତାରିଖରେ ସଂପନ୍ନ ହୋଇଥିଲା। ଗତକାଲି ବରପକ୍ଷ ପକ୍ଷରୁ ଭୋଜି ଆୟୋଜିତ ‌ହୋଇଥିଲା। ପରମ୍ପରା ଅନୁସା‌ରେ, ଆଜି ତୃତୀୟ ଦିନରେ ବେଣୁଙ୍କ ସହ ମିଶି ପ୍ରବଣିକା ବାଇକ୍‌ରେ ବ୍ରହ୍ମପୁରକୁ ବାପଘରକୁ ଆସୁଥିଲେ। ଏହି ସମୟରେ ଗୋଳନ୍ଥରା ଥାନା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ହଠାତ୍ କ୍ରସର୍ ଚାଳକ ତାଙ୍କ ଟ୍ରକ୍‌କୁ ବୁଲାଉଥିବା ବେଳେ ଏହା ବାଇକ୍ ସହ ଧକ୍କା ହୋଇଥିଲା।

Spread the love