ଭାରତୀୟ ସେନାର ୪ ସ୍ନିଫର ଡଗ୍: ଭଙ୍ଗା କୋଠା ତଳୁ ଜୀବନ ସନ୍ଧାନ କରୁଛନ୍ତି ଜୁଲି, ରୋମିଓ, ହନି ଓ ରାମ୍ବୋ

ତୁର୍କୀ ଓ ସିରିଆରେ ନିୟୋଜିତ ଏନଡିଆରଏଫ ଟିମ୍ର ୪ ସନ୍ଧାନୀ କୁକୁର ଜୁଲି, ରୋମିଓ, ହନି ଏବଂ ରାମ୍ବୋକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ତୁର୍କୀ ଉଦ୍ଧାର କାମରେ ଜୁଲି ଓ ରୋମିଓଙ୍କ ସାହସିକତା ଦେଖିଲେ ବିଶ୍ୱବାସୀ । ଭଙ୍ଗା କୋଠାତଳୁ ଜୀବନ ସନ୍ଧାନ ପାଇଁ ଉଦ୍ଧାରକାରୀ ଟିମକୁ ସାହାଯ୍ୟ କରୁଛି ଭାରତୀୟ ସ୍ନିଫର ଡଗ୍ ବା ସନ୍ଧାନୀ କୁକୁର । ଭାରତୀୟ ସେନାର ୪ ସନ୍ଧାନୀ କୁକୁର ଜୁଲି, ରୋମିଓ, ହନି ଓ ରାମ୍ବୋ ଉଦ୍ଧାରକାମରେ ସାହାଯ୍ୟ କରୁଛନ୍ତି । ସ୍ନିଫର ଡଗ୍ ଭାରତୀୟ ସେନାରେ ଏକ ପ୍ରମୁଖ ଭୂମିକା ତୁଲାଇଥାଏ । ଅପରାଧିକ ଘଟଣା ହେଉଛି ଆପତକାଳୀନ ଘଟଣା, ସେଠାରେ ସନ୍ଧାନୀ କୁକୁରଙ୍କୁ ନିୟୋଜିତ କରାଯାଇଥାଏ । ଭାରତୀୟ ସେନା ଦ୍ୱାରା ଏମାନେ ସ୍ୱତନ୍ତ୍ର ଟ୍ରେନିଂ ପାଇଥାନ୍ତି । ୯ ମାସର କଡା ଟ୍ରେନିଂ ପରେ ସନ୍ଧାନୀ କୁକୁରଙ୍କୁ ସେନାରେ ନିୟୋଜିତ କରାଯାଇଥାଏ । ସେହିପରି ଏନଡିଆରଏଫ ଟିମ୍ରେ ନିୟୋଜିତ ସ୍ନିଫର ସ୍କ୍ୱାଡଙ୍କୁ ମଧ୍ୟ ସ୍ୱତନ୍ତ୍ର ତାଲିମ ଦିଆଯାଇଥାଏ । ଉଦ୍ଧାରକାମରେ କିଭଲି ଏହି କୁକୁର ସାହାଯ୍ୟ କରିବେ, ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିବ ଏବଂ ମାଟି ତଳେ ଫସିଥିବା ଜୀବନକୁ କିଭଳି ଉଦ୍ଧାର କରାଯାଇ ପାରିବ ସେନେଇ ସନ୍ଧାନୀ କୁକୁରଙ୍କୁ ଦିଆଯାଇଥାଏ ତାଲିମ୍ ।

ଜୁଲି ଆଣ୍ଡ ରୋମିଓ
ଭୟଙ୍କର ଭୂମିକମ୍ପରେ ପ୍ରଭାବିତ ତୁର୍କୀ ଓ ସିରିଆରେ ଜାରି ରହିଛି ଉଦ୍ଧାରକାର୍ଯ୍ୟ । ‘ଅପରେସନ୍ ଦୋସ୍ତ’ ଜରିଆରେ ଭାରତୀୟ ସେନା ଓ ଏନଡିଆରଏଫ ଟିମ୍ ତୁର୍କୀ, ସିରିଆରେ ପହଁଚି ଉଦ୍ଧାରକାମରେ ନିୟୋଜିତ ହୋଇଛନ୍ତି । ଭୂମିକମ୍ପରେ ଭଙ୍ଗାକୋଠା ତଳୁ ଜୀବନ ସନ୍ଧାନ କରିବାରେ ସଫଳ ହୋଇଛି ଭାରତୀୟ ସନ୍ଧାନୀ କୁକୁର ଜୁଲି ଓ ରୋମିଓ । ତୁର୍କୀରେ ଭଙ୍ଗାକୋଠା ତଳେ ଦବି ରହିଥିବା ୬ବର୍ଷର କୁନି ଝିଅକୁ ଖୋଜି ବାହାର କରିପାରିଛି ଭାରତୀୟ ସ୍ନିଫର ଡଗ୍ ଜୁଲି ଓ ରୋମିଓ । ଭୂମିକମ୍ପର ୮୦ ଘଂଟା ପରେ ଭଙ୍ଗାକୋଠା ତଳେ ଦବି ରହିଥିବା କୁନି ଝିଅର ସନ୍ଧାନ ପାଇଥିଲେ ଭାରତୀୟ ସନ୍ଧାନୀ କୁକୁର । ଜୁଲି ଓ ରୋମିଓଙ୍କ ସୂଚନା ପରେ ଏନଡିଆରଏଫ ଟିମ୍ କୁନି ଝିଅର ଉଦ୍ଧାର କରି ପାରିଛି । ଏହାପରେ ଭାରତୀୟ ସ୍ନିଫର ଡଗ୍ ଜୁଲି, ରୋମିଓଙ୍କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଜୁଲି ଓ ରୋମିଓଙ୍କ ନିଆରା ପ୍ରୟାସକୁ ସବୁଠି ପ୍ରଶଂସା କରାଯାଉଛି ।

Spread the love