ପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ ନୀତିନିର୍ଘଣ୍ଟ ସ୍ଥିର: ରାତି ୧୦ଟାରେ ଉଠିବ ମହାଦୀପ
ଭୁବନେଶ୍ବର: ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଆଜି ପାଳିଆ ସେବାୟତଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନେତୃତ୍ବରେ ଏହି ବୈଠକ ବସିଛି। ବୈଠକରେ ମହାଶିବରାତ୍ରି ପାଇଁ ନୀତିନିର୍ଘଣ୍ଟ ସ୍ଥିର ହୋଇଛି। ଭୋର ୩:୩୦ରେ ଆଳତି ହେବ। ଅବକାଶ ନୀତି ଭୋର ୪ ଟାରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେବାୟତ ପରିବାରମାନେ ମହାପ୍ରଭୁଙ୍କ ଉତ୍ତର ଦ୍ୱାର ଦେଇ ଦର୍ଶନ କରିବେ। ଭୋର ୫ ରୁ ୧୧ ପର୍ଯ୍ୟନ୍ତ ଭକ୍ତମାନଙ୍କୁ ସାହଣମେଲା ଦର୍ଶନ କରିବାର ସୁଯୋଗ ମିଳିବ। ୧୧ ଟା ପରେ ମହାପ୍ରଭୁଙ୍କ ନୀତି ଆରମ୍ଭ ହେବ। ରାତି ୧୦ ଟାରେ ମହାଦୀପ ଉଠିବା ପାଇଁ ବ୍ୟବସ୍ଥା ହୋଇଛି। ତା ପରେ ୪ ପ୍ରହର ନୀତି ହେବ ବୋଲି କମଳାକାନ୍ତ ବଡ଼ୁ ସୂଚନା ଦେଇଛନ୍ତି। ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ପୂର୍ବରୁ ମଙ୍ଗଳବାର ଅନ୍ୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ମହା ଶିବରାତ୍ରିରେ ସର୍ବାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡକୁ ଆଖି ଆଗରେ ରଖି ପ୍ରସ୍ତୁତି କରିଛି କମିସନରେଟ୍ ପୁଲିସ୍। ପ୍ରସ୍ତୁତି ବୈଠକରେ ପୁଲିସ କମିଶନର, ସେବାୟତ, ଜଟଣୀ ବିଧାୟକ ସୁର ରାଉତରାୟ, ବିଜେପି ନେତା ବାବୁସିଂ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ସମସ୍ତଙ୍କ ସହଯୋଗ ଲୋଡିଥିଲା କମିସନରେଟ୍ ପୁଲିସ।