ପୁଣି ବଢିବ କି ରାଜ୍ୟର ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ? ନା ରାଜ୍ୟକୁ ମିଳିବେ ନୂଆ ମୁଖ୍ୟ ସଚିବ ?

ରାଜ୍ୟର ମୁଖ୍ୟ ସଚିବ ସୁରେଶ ମହାପାତ୍ର । ୧୯୮୬ ବ୍ୟାଚର ଏହି ବରିଷ୍ଠ ଆଇଏଏସ ଅଧିକାରୀଙ୍କ କାର୍ଯ୍ୟକାଳ ପୁଣି ବୃଦ୍ଧି କରିବେ କି ରାଜ୍ୟ ସରକାର? ନା ରାଜ୍ୟକୁ ମିଳିବେ ନୂଆ ମୁଖ୍ୟ ସଚିବ ? ଚଳିତ ମାସ ୨୮ରେ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ସରୁଛି। ଏହା ଭିତରେ ତାଙ୍କର ଦୁଇ ଥର ୬ ମାସ ଲେଖାଏଁ କାର୍ଯ୍ୟକାଳ ବୃଦ୍ଧି ହୋଇଛି। ପ୍ରଥମେ ୨୦୨୨ ମାର୍ଚ୍ଚରୁ ଅଗଷ୍ଟ ୩୧ ଯାଏଁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଥିଲା।

ପରେ ଦ୍ୱିତୀୟ ଥର ପାଇଁ ସେପ୍ଟେମ୍ବର ୨୦୨୨ରୁ ୨୦୨୩ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ାଯାଇଥିଲା। ଏବେ ପୁଣିଥରେ ତାଙ୍କ କାର୍ଯ୍ୟକାଳ ରାଜ୍ୟ ସରକାର ବୃଦ୍ଧି କରିବେ କି ନାହିଁ ତାହାକୁ ନେଇ ପାୱାର କରିଡରରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା। ଏଭିତରେ ଘନ ଘନ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପ କାମର ତଦାରଖ କରୁଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଜାନୁଆରୀ-୨୮ । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ତଦାରଖ କରିଥିଲେ । ପରିକ୍ରମା ପ୍ରକଳ୍ପ ୩ ମାସ ଭିତରେ ସାରିବାକୁ ଲକ୍ଷ୍ୟ ରହିଛି। ସେହି ସମୟ ମଧ୍ୟରେ କେମିତି କାମ ସରିବ ତାହା ଉପରେ ମୁଖ୍ୟ ସଚିବ ଗୁରୁତ୍ୱାରୋପ କରିଛନ୍ତି।

ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଥିବା ବଡ଼ ବଡ଼ ପ୍ରକଳ୍ପ କାମ ଯଥାସମ୍ଭବ କମ୍‌ ସମୟରେ ସାରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ମୁଖ୍ୟ ସଚିବ ଜିଲ୍ଲା ପରେ ଜିଲ୍ଲା ଗସ୍ତ କରୁଛନ୍ତି। ଫେବ୍ରୁଆରୀ- ୧୨ । ବାଲେଶ୍ୱର ଜିଲ୍ଲା ଗସ୍ତରେ ଯାଇ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରିଥିଲେ । ମେଡିକାଲ କଲେଜ ପରିସରରେ ନିର୍ମାଣଧୀନ ବିଲଡିଂ କାମର ସମୀକ୍ଷା ସହ ୬ ମାସ ଭିତରେ କାମ ସାରିବାକୁ କହିଛନ୍ତି ମୁଖ୍ୟ ସଚିବ । ସେହିପରି ଚାନ୍ଦିପୁର ବେଳାଭୂମି ସୌନ୍ଦର୍ଯ୍ୟକରଣ ନେଇ ଚାଲିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟ ସଚିବ ।

ଏବେ ଦୁଇଦିନିଆ ଆଇଏଏସ ଅଫିସର ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ, ସରକାର ଆଗକୁ କଣ କରିବାକୁ ଚାହୁଛନ୍ତି, ସେଥିରେ ପ୍ରମୁଖ ଭୂମିକା ତୁଲାଇଛନ୍ତି ମୁଖ୍ୟ ସଚିବ । ଗୋଟିଏ ପଟେ ତାଙ୍କର କାର୍ଯ୍ୟକାଳ ସରିବାକୁ ବସିଛି, ଅନ୍ୟପଟେ ମୁଖ୍ୟ ସଚିବଙ୍କ ମାରାଥନ ଗସ୍ତ ଓ କାର୍ଯ୍ୟଶୈଳୀ କଣ ଇଙ୍ଗିତ କରୁଛି ? ଏଥିରୁ ଦୁଇଟି କଥା ଅନୁମାନ କରାଯାଇପାରେ । ପ୍ରଥମଟି ଅବସରକୁ ନେଇ ସେ ଆଦୌ ଚିନ୍ତିତ ଥିଲା ଭଳି ଜଣାପଡୁନି। ଦ୍ୱିତୀୟଟି ହୁଏତ ନିଜ କାର୍ଯ୍ୟଶୈଳୀ ପାଇଁ ତାଙ୍କର ଆଉଥରେ କାର୍ଯ୍ୟକାଳ ବୃଦ୍ଧି ହୋଇପାରେ।

ପୂର୍ବରୁ କ୍ୟାବିନେଟ୍‌ ସଚିବ ରାଜୀବ ଗୌବାଙ୍କ କାର୍ଯ୍ୟକାଳ ଦୁଇ ଥର ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଦୁଇ ଥରରେ ଦୁଇ ବର୍ଷ ତାଙ୍କର କାର୍ଯ୍ୟକାଳ ବଢ଼ାଯାଇଛି । ଏପରି ସ୍ଥିତିରେ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି ହେବାର କୌଣସି ସମସ୍ୟା ନାହିଁ। କିନ୍ତୁ ସବୁ କିଛି ନିର୍ଭର କରୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ।

Spread the love