ବିଜେପିର ବିକ୍ଷୋଭ ବେଳେ ମହିଳା ଆଇଆଇସିଙ୍କୁ ଧକ୍କା ଦେଲେ ଜୟ ନାରାୟଣ, ପୁଲିସ ଅଧିକାରୀ ବି ମାରିଲେ ଧକ୍କା

ପୁଣି ବିବାଦରେ ଫସିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମ୍ବଲପୁରରେ ବିଜେପି ପ୍ରତିବାଦ କରୁଥିଲା ଆଉ ଦାବିପତ୍ର ଦେବାକୁ ନେଇ କଥା କଟାକଟି ଚାଲିଥିବା ବେଳେ ଆରମ୍ଭ ହୋଇଥିଲା ଧକ୍କା ମରାମରି । ଧନୁପାଲି ଥାନା ଆଇଆଇସି ଅନିିତା ପ୍ରଧାନଙ୍କୁ ଧକ୍କା ମାରିଥିଲେ ଜୟନାରାୟଣ । ଏହାପରେ ବିରୋଧୀ ଦଳ ନେତାଙ୍କୁ ମଧ୍ୟ ଧକ୍କା ମାରିଥିଲେ ସଂପୃକ୍ତ ମହିଳା ଅଧିକାରୀ । ଏହାକୁ ନେଇ ପୋଲିସ ଓ ଜୟନାରାଣ ମିଶ୍ର ମୁହାଁମୁହଁ ସ୍ଥିତି ଦେଖିବାକୁ ମିଳିଛି ।

ବିରୋଧୀ ଦଳ ନେତା ଓ ପୁଲିସ ଅଧିକାରୀ ପରସ୍ପରକୁ ଧକ୍କା ମାରୁଛନ୍ତି । ରାଜନୈତିକ ଆନ୍ଦୋଳନ, ପ୍ରତିବାଦ କିଛି ନୂଆ କଥା ନୁହେଁ, ନେତା ଓ ପୁଲିସ ମୁହାଁମୁହିଁ ହେବା ମଧ୍ୟ ସାଧାରଣ ଘଟଣା । କିନ୍ତୁ ଯେତେବେଳେ ଏପରି ଖବର ଆସେ, ତାହା ଅନେକ ପ୍ରଶ୍ନ ସୃଷ୍ଟି କରେ । ଗୋଟିଏ ପଟେ ବିରୋଧୀ ଦଳ ନେତା, ଗଣତନ୍ତ୍ରର ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି, ଅନ୍ୟପଟେ ପୁଲିସ ଅଧିକାରୀ, ଯାହାଙ୍କ ଉପରେ ନ୍ୟସ୍ତ ଆଇନ ଶୃଙ୍ଗଳା ବ୍ୟବସ୍ଥା । କ୍ୟାମେରାରେ ରେକର୍ଡ ହୋଇଥିବା ଦୃଶ୍ୟ ହିଁ ବୟାନ କରୁଛି ପଦବୀର ମର୍ଯ୍ୟାଦା ଡେଇଁ କିପରି ସୀମା ବାହାରକୁ ଚାଲି ଯାଉଛନ୍ତି ନେତା ଓ ପୁଲିସ । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ କରି ସାରା ରାଜ୍ୟରେ ଆନ୍ଦୋଳନ କରୁଛି । ସମ୍ବଲପୁରରେ ମଧ୍ୟ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ କରୁଥିଲା ବିଜେପି । ଯାହାର ନେତୃତ୍ୱ ନେଉଥଲେ ବିରୋଧୀ ଦଳର ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଶହ ଶହ ବିଜେପି କର୍ମୀ ଉପସ୍ଥିତ ଥିଲେ, ଆଇନ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୂତୟନ ହୋଇଥିଲା । ବିକ୍ଷୋଭ ସମୟରେ ମୁହାଁମୁହିଁ ହୋଇଥିଲେ ବିଜେପି କର୍ମୀ ଓ ପୁଲିସ । ଦାବିପତ୍ର ଦେବାକୁ ନେଇ କଥା କଟାକଟି ଚାଲିଥିବା ବେଳେ ଆରମ୍ଭ ହୋଇଥିଲା ଧକ୍କା ମରାମରି ।

ଧନୁପାଲି ଥାନା ଆଇଆଇସି ଅନିିତା ପ୍ରଧାନଙ୍କୁ ଧକ୍କା ମାରିଥିଲେ ଜୟନାରାୟଣ । ଏହାପରେ ବିରୋଧୀ ଦଳ ନେତାଙ୍କୁ ମଧ୍ୟ ଧକ୍କା ମାରିଥିଲେ ସଂପୃକ୍ତ ମହିଳା ଅଧିକାରୀ । ଏହି ସମସ୍ତ ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ । ତେବେ ଜୟନାରାୟଣ ଅଭିଯୋଗ କରିଛନ୍ତି, ତାଙ୍କୁ ପ୍ରଥମେ ଧକ୍କା ମରାଯାଇଥିଲା. ଯାହାକୁ ଖଣ୍ଡନ କରିଛନ୍ତି ଧନୁପାଲି ଆଇଆଇସି । ସେ କହିଛନ୍ତି, ତାଙ୍କୁ ଗାଳି ଦେବା ସହ ଧକା ମାରିଥିଲେ ବିରୋଧୀ ଦଳ ନେତା । ଏହାକୁ ନେଇ ଉଭୟ ପକ୍ଷ ପରସ୍ପର ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ଏପଟେ ଏହି ଘଟଣାକୁ କଡ଼ା ଭାଷାରେ ସମାଲୋଚନା କରିିଛି ବିଜେଡି । ଦଳର ମୁଖପାତ୍ର ଅଭିଯୋଗ କରିଛନ୍ତି…

  • ଜୟ ନାରାୟଣ ଜଣେ ଅଭ୍ୟାସଗତ ଅପରାଧୀ
  • ତାଙ୍କ ନାଁରେ ୧୪ଟି ଅପରାଧିକ ମାମଲା ରହିଛି
  • ନୈତିକତା ଦୃଷ୍ଟିରୁ ତାଙ୍କୁ ବିରୋଧୀ ଦଳ ନେତା ପଦରୁ ବହିଷ୍କାର କରୁ ବିଜେପି

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପରେ ବିରୋଧୀ ଦଳର ନେତା ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି । ତାଙ୍କର ଅନେକ ମନ୍ତବ୍ୟ ବିବାଦ ସୃଷ୍ଟି କରିଥିବା ବେଳେ ଆଉ ଏକ ବିବାଦ ଯୋଡିଛନ୍ତି ଜୟନାରାୟଣ ।

Spread the love