ତୁର୍କୀ ଓ ସିରିୟା ପରେ ଏବେ ନ୍ୟୁଜିଲାଣ୍ଡରେ ଭୂମିକମ୍ପ ଝଟ୍‌କା

ତୁର୍କୀ ଏବଂ ସିରିୟାରେ ଭୟଙ୍କର ଭୂମିକମ୍ପ ପରେ ଏବେ ନ୍ୟୁଜିଲାଣ୍ଡର ମାଟି ମଧ୍ୟ ଦୋହଲିଛି। ରିକ୍ଟର ସ୍କେଲରେ ୬.୦ ତୀବ୍ରତାର ଭୂମିକମ୍ପ ମପାଯାଇଛି। କୁହାଯାଉଛି କି, ଭୂମିକମ୍ପର ଝଟ୍‌କା େଓ୍ଵଲିଙ୍ଗ୍‌ଟନର ଉଭୟ ଦ୍ୱୀପରେ ଅନୁଭୂତ ହୋଇଛି। ଏକ ବଡ଼ ଝଟ୍‌କା ସହିତ ଭୂମିକମ୍ପ ଆରମ୍ଭ ହୋଇଥିବା ବେଳେ ପାଖାପାଖି ୩୦ ସେକେଣ୍ଡ ପର୍ଯ୍ୟନ୍ତ ଲୋକେ ହାଲ୍‌କା ଝଟ୍‌କା ଅନୁଭବ କରିଥିଲେ। ନ୍ୟୁଜିଲାଣ୍ଡର ସମୟ ମୁତାବକ, ଭୂମିକମ୍ପ ୧୫ ଫେବୃୟାରୀ ୧୨ଟା ୮ ମିନିଟ୍‌ରେ ଆସିଥିଲା। ଏହାର କେନ୍ଦ୍ର ଭୂମି ଭିତରେ ୭୪.୩ କିଲୋମିଟର ଗଭୀରରେ ଥିଲା। କହି ରଖୁଛୁ, ବର୍ତ୍ତମାନ ସମୟରେ ତୁର୍କୀ ଏବଂ ସିରିୟାରେ ବଡ଼ ଧରଣର ଭୂମିକମ୍ପ ଯୋଗୁ ବିନାଶ ଘଟିଛି। ୬ ଫେବୃୟାରୀରେ ଆସିଥିବା ଏହି ଭୂମିକମ୍ପରେ ଉଭୟ ଦେଶର ୪୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ତୁର୍କୀରେ ଗୋଟିଏ ପରେ ଗୋଟିଏ ଭୂମିକମ୍ପର ୫ଟି ଝଟ୍‌କା ଅନୁଭୂତ ହୋଇଥିଲା। ଏହିପରି କିଛି ଦିନ ତଳେ ଆସାମର ନାଗାଓଁରେ ଭୂମିକମ୍ପ ଆସିଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୦ ମପାଯାଇଥିଲା। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ମୁତାବକ, ଭୂମିକମ୍ପର ଝଟ୍‌କା ଅପରାହ୍ନ ୪ଟା ୮ ମିନିଟ୍‌ରେ ଅନୁଭବ କରାଯାଇଥିଲା।

ସେହିପରି ଏହାର ଦିନକ ପୂର୍ବରୁ ଗୁଜରାଟର ସୁରଟ ଜିଲ୍ଲାରେ ୩.୮ ତୀବ୍ରତାର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଇନଷ୍ଟିଚ୍ୟୁଟ୍ ଅଫ୍ ସେସମୋଲୋଜିକାଲ ରିସର୍ଚ୍ଚ (ଆଇଏସଆର)ର ଜଣେ ଅଧିକାରୀ କହିଛନ୍ତି ଯେ ସୁରଟର ପଶ୍ଚିମ ଦକ୍ଷିଣ ପଶ୍ଚିମ (WSW)ରୁ ପାଖାପାଖି ୨୭ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରେକର୍ଡ କରାଯାଇଥିଲା। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ମୁତାବକ, ଏହି ଭୂମିକମ୍ପ ୫.୨ କିଲୋମିଟର ଗଭୀରରେ ରେକର୍ଡ ହୋଇଥିଲା ଏବଂ ଏହାର କେନ୍ଦ୍ର ଜିଲ୍ଲାର ହାଜିରାଠାରୁ ଦୂର ଆରବ ସାଗରରେ ଥିଲା। ଏହି ଭୂମିକମ୍ପ ଝଟ୍‌କାରେ କୌଣସି ଧନ ଜୀବନ କ୍ଷୟ ହୋଇ ନ ଥିଲା।

Spread the love