ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତା କାମ କରୁଛି, ରିପୋର୍ଟ ଆସିଲା ପରେ ଏବିଷୟରେ କିଛି କହିହେବ: ଦୀପାଳି ଦାସ

ଝାରସୁଗୁଡ଼ା: ସ୍ବର୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୃତ୍ୟୁର ଦୁଇ ତିନି ଦିନ ପୂର୍ବରୁ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ତାଙ୍କ ଝିଅ ଦିପାଳୀ ଦାସ ପୂରଣ କରିଛନ୍ତି। ସେ ଝାରସୁଗୁଡ଼ାବାସୀଙ୍କ ପାଇଁ ଆଜି ଆମ୍ବୁଲାନ୍ସ ସେବା ଲୋକାର୍ପିତ କରିଛନ୍ତି। ସ୍ଥାନୀୟ ମଙ୍ଗଳବଜାର ଅଡିଟୋରିୟମ୍ନ‌ ଆମ୍ବୁଲାନ୍ସ ସେବା ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନରସିଂହ ବିଷ୍ଣୁ ପ୍ରିୟା ଟ୍ରଷ୍ଟର ଟ୍ରଷ୍ଟି ଦିପାଳୀ ଦାସ ଯୋଗ ଦେଇ ଆମ୍ବୁଲାନ୍ସକୁ ଶୁଭାରମ୍ଭ କରିବା ସହିତ ଖିଦମତ କମିଟିକୁ ପରିଚାଳନା କରିବା ପାଇଁ ସମର୍ପିତ କରିଛନ୍ତି। ଏହି ଅବସରରେ ଦୀପାଳି ଦାସ କହିଛନ୍ତି, ନବ ଦାସ ହତ୍ୟା ଘଟଣାରେ କ୍ରାଇମ ବ୍ରାଞ୍ଚ  ତଦନ୍ତ ଜାରି ରଖିଛି। କ୍ରାଇମବ୍ରାଞ୍ଚ ତା କାମ କରୁଛି। କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପରେ ଏହି ବିଷୟରେ କିଛି କହିହେବ।

କ୍ରାଇମବ୍ରାଞ୍ଚକୁ ତା କାମ କରିବା କୁ ଦିଅନ୍ତୁ।ଦୀପାଳି କହିଛନ୍ତି ଯେ, ବିକାଶର କାମ ପାଇଁ ଆମେ ସମସ୍ତେ ଏଇଠି ଏକତ୍ରିତ ହୋଇଛୁ। ଆମେ ଆଜି ଯାହାଙ୍କ ନାମରେ କାମ କରୁଛୁ। ସେ ଆଜି ଏଠାରେ ନାହାନ୍ତି। ନବ ଦାସ ଜଣେ ସଚ୍ଚୋଟ ବ୍ୟକ୍ତି ଥିଲେ। ସେ ଶୋଇବା, ବସିବା ସମୟରେ ସବୁବେଳେ ଝାରସୁଗୁଡ଼ାବାସୀଙ୍କ ପାଇଁ ଚିନ୍ତା କରୁଥିଲେ। କିପରି ଝାରସୁଗୁଡ଼ାର ବିକାଶ ହୋଇପାରିବ ତାହା ଭାବୁଥିଲେ। ଯେତେବେଳେ ବାହାରୁ ପଢି କି ଆସିଥିଲି ସେତେବେଳେ ବାପା କହିଥିଲେ, ମାନବ ସେବା ହିଁ ଭଗବାନଙ୍କ ସେବା। ସେ ମୋର ଗର୍ବ ଏବଂ ଶକ୍ତି ଥିଲେ। ତାଙ୍କର ସ୍ୱପ୍ନ ପୂରଣ କଲେ ତାଙ୍କ ଆତ୍ମାକୁ ଶାନ୍ତି ମିଳିବ। ଏହି ସଭାରେ ପୌରାଧ୍ୟକ୍ଷା ରାନୀ ହାତୀ, ଉପାଧ୍ୟକ୍ଷ ବେଣୁଗୋପାଳ ପାଣିଗ୍ରାହୀ ଏବଂ ବରିଷ୍ଠ ବିଜେଡ଼ି ନେତା, ବିଶିଷ୍ଟ ସମାଜସେବୀ ପ୍ରମୁଖ ଯୋଗ ଦେଇଥିଲେ।

Spread the love