ଦୋଷୀଙ୍କୁ ଫାଶୀ ଦେବାକୁ ଦାବି କଲେ ତାମିଲନାଡ଼ୁରେ ପ୍ରାଣ ହରାଇଥିବା ଯବାନଙ୍କ ପରିବାର

ଚେନ୍ନାଇ : ତାମିଲନାଡୁରେ ଜଣେ ଡିଏମକେ ନେତାଙ୍କ କର୍ମୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ସେନା ଯବାନଙ୍କ ପରିବାର ୯ ଜଣ ଆକ୍ରମଣକାରୀଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି । ପରିବାର ଲୋକ ଏହା ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଆସି ସେମାନଙ୍କୁ ଭେଟନ୍ତୁ । ଇତି ମଧ୍ୟରେ ମାମଲା ରୁଜୁ କରାଯାଇ ଡିଏମକେ କାଉନସିଲରଙ୍କ ସମେତ ୯ ଜଣଙ୍କୁ ଗିରଫ କରାଯାଇଥିଲେ ମଧ୍ୟ କ୍ଷତିପୂରଣ ଘୋଷଣା ହୋଇନାହିଁ କି କୌଣସି ଶାସକ ଡିଏମକେ ନେତା ପରିବାରକୁ ଭେଟିନାହାନ୍ତି ।

“ମୋ ପୁଅମାତ୍ର ୨୮ ବର୍ଷର ଥିଲା ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ସେମାନଙ୍କ ଭବିଷ୍ୟତର କ’ଣ ହେବ? ସମସ୍ତ ୯ ଜଣ (ଅଭିଯୁକ୍ତ)ଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଦରକାର । କାହାରିକୁ ମୁକ୍ତ କରାଯିବା ଉଚିତ ନୁହେଁ। ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଦରକାର ବୋଲି ମୃତ ଯବାନଙ୍କ ପିତା କହିଛନ୍ତି । ପ୍ରଭୁଙ୍କ ପତ୍ନୀ ପୁନୀତା ପ୍ରଭୁ ତାଙ୍କ ଦୁଇ ଶିଶୁଙ୍କୁ କୋଳରେ ଧରି କହିଛନ୍ତି, ସେ ଚାହୁଁଛନ୍ତି ଯେ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପାଖକୁ ଆସି ତାଙ୍କୁ ଭେଟନ୍ତୁ ।

ସୂଚନାଯୋଗ୍ୟ ଯେ, ଗତ ଫେବ୍ରୁଆରି ୮ ତାରିଖରେ ତାମିଲନାଡୁର କୃଷ୍ଣଗିରି ଜିଲ୍ଲାରେ ଏକ ସରକାରୀ ଟାଙ୍କିରେ ପୋଷାକ ଧୋଇବା ନେଇ ଡିଏମକେ କାଉନସିଲରଙ୍କ ସହ ପ୍ରଭୁ ଏମଙ୍କ ଯୁକ୍ତିତର୍କ ହୋଇଥିଲା। କିଛି ସମୟ ପରେ ମାମଲା ବିସ୍ଫୋରକ ରୂପ ନେଇଥିଲା ଏବଂ କାଉନସିଲର ଚିନ୍ନାସ୍ୱାମୀ, ତାଙ୍କ ପୁଅ, ସମ୍ପର୍କୀୟ ଏବଂ ସମର୍ଥକମାନେ ସୈନିକ ଏବଂ ତାଙ୍କ ଭାଇଙ୍କୁ ଲୁହା ରଡ, ଛୁରୀ ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ପ୍ରଭୁ ଓ ତାଙ୍କ ଭାଇ ପ୍ରଭାକର ଆହତ ହୋଇଥିଲେ । ପ୍ରଭୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିଲା।

Spread the love