ମହିଳା ଟି-୨୦ ବିଶ୍ବକପ୍‌: ଭାରତ ବିପକ୍ଷରେ ୧୧ ରନ୍‌ରେ ଜିତିଲା ଇଂଲଣ୍ଡ, ସ୍ମୃତି ମନ୍ଧାନାଙ୍କ ଅର୍ଦ୍ଧଶତକ ବେକାର

କେପ୍‌ଟାଉନ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ମହିଳା ଟି-୨୦ ବିଶ୍ବକପ୍‌ରେ ଭାରତକୁ ଶନିବାର ଇଂଲଣ୍ଡ ୧୧ ରନ୍‌ର ପରାସ୍ତ କରିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ୨ଟି ମୁକାବିଲାରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୭ ୱିକେଟ୍‌ ଏବଂ ୱେଷ୍ଟଇଣ୍ଡିଜ୍‌କୁ ୬ ୱିକେଟ୍‌ରେ ହରାଇଥିବା ଭାରତୀୟ ଟିମ୍‌ ଆଜି ମନ୍ଥର ଗତିରେ ବ୍ୟାଟିଂ ଯୋଗୁଁ ମ୍ୟାଚ ହାତଛଡ଼ା କରିଛି। ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ମହିଳା ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୧୪୦ ରନ୍‌ କରିଛି। ସ୍ମୁତି ମନ୍ଧାନାଙ୍କ ଅର୍ଦ୍ଧଶତକ ଓ ରିଚା ଘୋଷଙ୍କ ଅପରାଜିତ ୪୭ ରନ୍‌ ବେକାର ଯାଇଛି।

ଭାରତୀୟ ଖେଳାଳିମାନେ ଆଜି ପାଳି ଆରମ୍ଭରୁ ମନ୍ଥର ଗତିରେ ଖେଳିଥିଲେ। ସ୍କୋର ୬୨ ରନ୍‌ ବେଳକୁ ୯.୧ ଓଭରରେ ୩ଟି ୱିକେଟ ପତ୍ତନ ଘଟି ସାରିଥିଲା। ତେବେ ହାତରେ ଭରପୁର ୱିକେଟ ଥାଇ ମଧ୍ୟ ଆବଶ୍ୟକ ରନ୍‌ ଯୋଗାଡ଼ କରିପାରି ନଥିଲେ। ସ୍ମୁତି ମନ୍ଧାନା ୪୧ଟି ବଲ୍‌ ଖେଳି ୫୨ ରନ୍‌ କରିଥିଲା ବେଳେ ଜେମିମା ରୋଡ୍ରିଗଜ ୧୩ ରନ୍‌ କରିଥିଲେ। ସେଫାଳି ବର୍ମା ୮ ରନ୍‌, ହରମନ୍‌ପ୍ରୀତ କୌର ୪ ରନ୍‌, ଦୀପ୍ତି ଶର୍ମା ୭ ରନ୍‌ ଓ ପୂଜା ବସ୍ତ୍ରକାର ଅପରାଜିତ ୨ ରନ୍‌ କରିଥିଲେ।

ଦକ୍ଷିଣ ଆଫ୍ରିକାର ସେଣ୍ଟଜର୍ଜ ପାର୍କରେ ଖେଳାଯାଇ ଥିବା ମ୍ୟାଚରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଇଂଲଣ୍ଡ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୧୫୧ ରନ୍‌ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ରେଣୁକା ଠାକୁର ସିଂହ ସର୍ବାଧିକ ୫ଟି ୱିକେଟ୍‌ ନେଇଥିଲେ।

ଇଂଲଣ୍ଡ ପାଇଁ ନାଟ୍‌ ସ୍କିଭର ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୨ଟି ବଲ୍‌ ଖେଳି ୫ଟି ଚୌକା ବଳରେ ୫୦ ରନ୍‌ କରିଥିଲେ। ଅଧିନାୟିକା ହିଦର ନାଇଟ୍‌ ୨୩ଟି ବଲ୍‌ ଖେଳି ୨୮ ରନ୍‌ ଯୋଡ଼ିଥିଲେ। ଆମି ଜୋନ୍ସ,ଙ୍କ ବ୍ୟାଟରୁ ୪୦ ରନ୍‌ ଅମଳ ହୋଇଥିଲା। ସୋଫି ଇସିଲଷ୍ଟୋନ୍‌ ଅପରାଜିତ ୧୧ ରନ୍‌ ସଂଗ୍ରହ କରିଥିଲେ।

ବୋଲିଂ ସମୟରେ ଆରମ୍ଭରୁ ଭାରତୀୟ ଟିମ୍‌ ଭଲ ପ୍ରଦର୍ଶନ କରିଥିଲେ। ପ୍ରଥମ ଓଭରର ୩ୟ ବଲରେ ରେଣୁକା ସିଂହ ୱିକେଟ୍‌ ନେଇଥିଲେ। ରେଣୁକାଙ୍କ ବଲ୍‌କୁ ଡାନି ୱାଟ୍‌ ଖେଳି ରିଚା ଘୋଷଙ୍କୁ କ୍ୟାଚ୍‌ ଦେଇଥିଲେ। ଭାରତର ୨ୟ ଶିକାର ହୋଇଥିଲେ ଆଲିସ କାପ୍‌ସେ। ସେ ମଧ୍ୟ ରେଣୁକାଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ। ସୋଫିଆ ଡନ୍‌କ୍ଲି ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲେ। ସେ ରେଣୁକାଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ। ପରେ ରେଣୁକା ଇଂଲଣ୍ଡର ଆମି ଜୋନ୍ସ ଓ କାଥେରିନା ସ୍କିଭରଙ୍କୁ ମଧ୍ୟ ଆଉଟ୍‌ କରିଥିଲେ। ଇଂଲଣ୍ଡ ୨୯ ରନ୍‌ ବେଳକୁ ପ୍ରଥମ ୩ଜଣ ବ୍ୟାଟରଙ୍କୁ ହରାଇ ସାରିଥିଲା। କିନ୍ତୁ ୪ର୍ଥ ୱିକେଟ୍‌ରେ ଦଳ ୫୧ ରନ୍‌ ସଂଗ୍ରହ କରିଥିଲା।

Spread the love