ମାତ୍ର 17 ଦିନରେ ପୁରୀର 5 ହଜାର ଲୋକଙ୍କୁ 80.68 କୋଟି ଋଣ ପ୍ରଦାନ କରାଯାଇଛି

ଗତ 14  ଅକ୍ଟୋବରରୁ ଆଜି ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ମୋଟ4 ହଜାର 882 ଜଣ କ୍ଷୁଦ୍ର, ମଧ୍ୟ ଓ ବଡ ବ୍ୟବସାୟ କରୁଥିବା ଲୋକ ମାନଙ୍କୁ 80 କୋଟି 68 ଲକ୍ଷ ଟଙ୍କା ଋଣ ବ୍ୟାଙ୍କ୍ ପକ୍ଷରୁ ଦିଆଯାଇଛି ବୋଲି ଗୁରୁବାର ପୁରୀ ଠାରେ ୟୁକୋ ବ୍ୟାଙ୍କ ତରଫରୁ ଆୟୋଜିତ ଗ୍ରାହକ ମେଳା କ୍ୟାମ୍ପରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବ୍ୟାଙ୍କ୍ ସହ ଗ୍ରାହକଙ୍କ ସମ୍ପର୍କ ସୂତ୍ର ପ୍ରସାରଣ ନିମନ୍ତେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର ଋଣ ଦେବାର ବ୍ୟବସ୍ଥା କରି ଓଡିଶାର ବିଶେଷ ଭାବରେ ଫନୀ କ୍ଷତିଗ୍ରସ୍ତ ଶ୍ରୀକ୍ଷେତ୍ର ପୁରୀକୁ ଛିଡା କରିବାର ଦାୟିତ୍ୱ ନେଇଛନ୍ତି । ଖୁବ୍ ଶୀଘ୍ର ପୁରୀ ଜିଲ୍ଲା ପାଇଁ ଆହୁରି ଅଧିକ ଋଣ ଦେବାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । ମୋବାଇଲ ବ୍ୟାଙ୍କିଂ ସେବାର ଲାଭ ନେବାକୁ ସେ ପରମର୍ଶ ଦେବା ସହ ଏହା ଦ୍ୱାରା ମଧ୍ୟସ୍ଥି ମାନଙ୍କ ଭୂମିକା କମିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଗରିବ ପରିବାରରୁ ଆସିଥିବା ମୋଦି ସରକାର ବ୍ୟାଙ୍କିଂ କ୍ଷେତ୍ରରେ ବଡ ପରିବର୍ତନ କରିଥିବା ବେଳେ ଭାରତୀୟ ବ୍ୟାଙ୍କ୍ ଗୁଡିକ ଗରିବ ଲୋକଙ୍କର ସାଥୀ ହୋଇପାରିଛି । ବର୍ତମାନ ବ୍ୟାଙ୍କ୍ ଖାତା, ତିନି ମାସର ସକ୍ରିୟତା, ଆଧାର ନମ୍ବର ଓ ଟେଲିଫୋନ ଠିକଣା ଥିଲେ ବ୍ୟାଙ୍କ୍ ତଥା ଇ-ମୁଦ୍ରା ବା ଡିଜିଟାଲ୍ ପ୍ଲାଟଫର୍ମରେ ୩୦ ସେକେଣ୍ଡ୍ ମଧ୍ୟରେ ଜଣେ ଲୋକ 50 ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରୁଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସାମାନ୍ୟ ଲୋକମାନଙ୍କୁ ଋଣ ସୁବିଧାରେ ମିଳୁ ଏହା ଭାରତ ସରକାରଙ୍କ ଲକ୍ଷ୍ୟ ରହିଛି । ସେ କହିଛନ୍ତି ଯେ ବ୍ୟାଙ୍କ୍ କେବଳ ଯେ ଧନୀକ ଶ୍ରେଣୀ ଲୋକ ବା ଥିଲା ବାଲାଙ୍କର ସେ ଯୁଗର ଅନ୍ତ ଘଟିଛି । ପୂର୍ବେ ଧନୀକ ଶ୍ରେଣୀର ଲୋକମାନଙ୍କର ବ୍ୟାଙ୍କ ଖାତା ଥିବା ବେଳେ ଏବେ ଗରିବରୁ ଗରିବ ଲୋକଙ୍କର ବ୍ୟାଙ୍କ୍ ଖାତା ରହିଛି । ନରେନ୍ଦ୍ର ମୋଦିଙ୍କ ସରକାର ହେଲା ପରେ ଗରିବ ଲୋକଙ୍କର ବ୍ୟାଙ୍କ୍ ଖାତା ଅଧିକ ଖୋଲାଯାଇଛି । ଏବେ ଗରିବରୁ ଗରିବ ଲୋକମାନେ ବ୍ୟାଙ୍କ୍ ଦ୍ୱାରା ଋଣ ଓ ଅନ୍ୟାନ୍ୟ ସୁବିଧା ପାଇପାରୁଛନ୍ତି ବୋଲି ସେ କହିଛନ୍ତି ।

Spread the love