ଭାଙ୍ଗମିଶା କ୍ଷୀର ପିଇ ୧୬ ଶ୍ରଦ୍ଧାଳୁ ହସ୍ପିଟାଲରେ ଭର୍ତ୍ତି

ରାୟପୁର: ଛତିଶଗଡର ବାଲୋଡ ଜିଲ୍ଲାରେ ମହାଶିବରାତ୍ରୀ ଦିନ ଭାଙ୍ଗ ମିଶା କ୍ଷୀର ପିଇବା ପରେ ୧୬ ଜଣ ଅସୁସ୍ଥ ହୋଇପଡିଛନ୍ତି | ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ନାବାଳକ ଛାତ୍ର ମଧ୍ୟ ଅଛନ୍ତି। ମିଳିଥିବା ସୂଚନା ମୁତାବକ ବାଲୋଡର ଜୟସ୍ତମ୍ଭ ଛକ ନିକଟରେ ଥିବା ଶିବ ମନ୍ଦିରରେ ଗତକାଲି ମହାଦୀପ ଉଠିବା ପରେ ମନ୍ଦିର ବାହାରେ ପ୍ରସାଦ ଦିଆଯାଉଥିଲା | ତେବେ ପ୍ରସାଦ ଭାବରେ କ୍ଷୀରରେ ଭାଙ୍ଗ ମିଶାଯାଇ ବଣ୍ଟାଯାଇଥିଲା | ଆଉ କିଛି ଶ୍ରଦ୍ଧାଳୁ ପ୍ରସାଦ ଭାବି ଏହି ଭାଙ୍ଗ ମିଶା କ୍ଷୀର ପିଇଦେଇଥିଲେ |

ଏହାପରେ ଜଣଙ୍କ ପରେ ଜଣେ ୧୬ ଜଣ ଅସୁସ୍ଥ ହୋଇପଡିଥିଲେ। ମୁଣ୍ଡବିନ୍ଧା ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେବା ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଅନୁମାନ କରାଯାଉଛି ଯେ ଭାଙ୍ଗ ସେବନ ହେତୁ ଅସୁସ୍ଥ ଥିବା ଲୋକଙ୍କ ସଂଖ୍ୟା ବଢିପାରେ। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି | ବାଲୋଡ ପୁଲିସ ପକ୍ଷରୁ କୁହାଯାଇଛି ଯେ ରୋଗୀମାନେ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ହେବ, ସେତେବେଳେ ତାଙ୍କ ବିବୃତ୍ତି ନିଆଯିବ ଏବଂ ଘଟଣାର ତଦନ୍ତ କରାଯିବ। ତେବେ ଯେଉଁବ୍ୟକ୍ତି ଜାଣିଶୁଣି କ୍ଷୀରରେ ଭାଙ୍ଗ ମିଶାଇଥିଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି |

Spread the love