ସହର ପରି ଗାଁରେ ଅଳିଆ ଉଠା ଗାଡ଼ି; ଶୁଭାରମ୍ଭ କଲେ ବିଧାୟକ ତାରା ବାହିନୀପତି

ବୋରିଗୁମ୍ମା: ସ୍ୱଚ୍ଛ ଓ ସୁସ୍ଥ ହେବ ଗାଁ। ପୌର ପାଳିକା ଭଳି ଘରୁ ଘରୁ ଅଳିଆ ଆବର୍ଜନା ବୋହି ନେବ ଅଳିଆ ଉଠା ଗାଡ଼ି। ଗାଁରୁ ଆରମ୍ଭ ହୋଇଛି ଏଭଳି ଅଭିନବ ପ୍ରୟାସ। ଏହି ପ୍ରୟାସ ଆରମ୍ଭ କରିଛି ବୋରିଗୁମ୍ମା ବ୍ଲକ ପ୍ରଶାସନ। ଘରୁ ବାହାରୁଥିବା ଅଳିଆ ଆବର୍ଜନାକୁ ବାହାରେ ଫୋପାଡ଼ିବା ଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଉପାନ୍ତ ଗାଁ ମାନଙ୍କରେ ବିଭିନ୍ନ ସମୟରେ ପରିବେଶ ପ୍ରଦୂଷଣ ଦ୍ୱାରା ବିଭିନ୍ନ ପ୍ରକାର ରୋଗ ବ୍ୟାପିବା ନଜର ରହିଛି। ପରିବେଶକୁ ସଫା କରିବା ପାଇଁ ବ୍ଲକର କାମତା, କୁମୁଲି ଏବଂ ବୋଡିଗାଁ ପଂଚାୟତରେ ଏହି ସେବା ଆରମ୍ଭ ହୋଇଛି। ତେବେ ଏହି ସେବାକୁ ଆରମ୍ଭ କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।

ଏହି ଅବସରରେ ବିଧାୟକ ବାହିନୀପତି କହିଛନ୍ତି ଯେ ବଡ଼ବଡ଼ ସହର ପରି ଉପାନ୍ତ ଅଞ୍ଚଳରେ ଏହି ସେବା ଆରମ୍ଭ ହେବା ଦ୍ୱାରା ଗାଁ ଗହଳି ସ୍ୱଚ୍ଛ ଓ ସୁନ୍ଦର ରହିବ। ଏହା ଯଦି ସଫଳ ରୂପାୟନ ହେବ ତେବେ ନିଜ ନିର୍ବାଚନ ମଣ୍ଡଳୀର ପ୍ରତେକ ପଂଚାୟତରେ ଏହାକୁ ଆରମ୍ଭ କରିବେ। ତିନି ପଂଚାୟତର ସ୍ୱୟଂ ସହାୟକ ମହିଳାମାନେ ଏହାକୁ ଚଳାଇବା ଜଣା ପଡ଼ିଛି। ଏହି ଗାଡି ବେଟ୍ରି ଚାଳିତ ହୋଇଥିବା ବେଳେ ଏହାକୁ ବିଧାୟକ ପାଣ୍ଠି, ଜିଲ୍ଲା ପରିଷଦ ପାଣ୍ଠିରୁ କ୍ରୟ କରାଯାଇଥିବା ସୂଚନା ଦେଇଛନ୍ତି ବ୍ଲକ ସହାକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠି।

ସେହିପରି ଏହି ଗାଁରେ ସହର ପରି ଅଭିନଵ ପ୍ରୟାସ ଆରମ୍ଭ କରିଥିବାରୁ ଏହାକୁ ସ୍ୱାଗତ କରିଛନ୍ତି ଲୋକେ। ଏହି ଭଳି ସମସ୍ୟା ଦୂରୀକରଣ ପଦକ୍ଷେପ ବ୍ଲକ ପ୍ରଶାସନ ହାତକୁ ନେଇ ଏକ ଭିନ୍ନ ପ୍ରୟାସ କରିଥିବାରୁ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟୁଛି । ଏହି କାର୍ଯ୍ୟକ୍ରମରେ ବୋରିଗୁମ୍ମା ବିଡ଼ିଓ ପ୍ରଣୟ ରଂଜନ ବେହେରା, ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠି, ଜିଲ୍ଲା ପରିଷଦ ସଭ୍ୟ ପିଙ୍କୁ ଶଥପଥୀ, କାମତା ସରପଞ୍ଚ, କୁମୁଲି ସରପଞ୍ଚ, ସମିତି ସଭ୍ୟ, ବୋଡିଗା ସରପଞ୍ଚ, ଗ୍ରାମବାସୀ ଏବଂ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ।

Spread the love