ପଦ୍ମପୁରକୁ ଜିଲ୍ଲା କରିବାର ପ୍ରତିଶ୍ରୁତି ଏବେ ବି ଘୋଷଣାରେ ସୀମିତ, ଏହା ପଦ୍ମପୁରବାସୀଙ୍କ ପାଇଁ ପ୍ରତାରଣା ସଦୃଶ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁରକୁ ଜିଲ୍ଲା କରିବାର ପ୍ରତିଶ୍ରୁତି, ଏବେ ବି ଘୋଷଣାରେ ସୀମିତ । ଜିଲ୍ଲା ଘୋଷଣା କରିବାର ନିର୍ଦ୍ଧାରିତ ତାରିଖ ନ କହିବା ପଦ୍ମପୁରବାସୀଙ୍କ ପାଇଁ ପ୍ରତାରଣା ସଦୃଶ ନୁହେଁ କି ବୋଲି ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ଆଜି ପଦ୍ମପୁର ଠାରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଶୁଣିଲି । ତାଙ୍କ ମନ୍ତବ୍ୟରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ସେ ନିଜ ମନ କଥା ନ କହି କାହା ହାତ ଲେଖା ପଢୁଛନ୍ତି । ଦୀର୍ଘ 23 ବର୍ଷର ଶାସନ ଦାୟିତ୍ୱରେ ରହିବା ପରେ ପଦ୍ମପୁରର ପାଇକମାଳରେ ଥିବା ଗୋଟେ ପିଏଚସିକୁ ସିଏଚସି ଭାବେ ପରିଣତ କରି ମୁଁ ଯାହା କହେ ତାହା କରେ ବୋଲି କହିବା କେତେ ଦୂର ଠିକ୍? ଏଥିରୁ ରାଜ୍ୟରେ ବିକାଶର ଚିତ୍ର ସ୍ପଷ୍ଟ ଅନୁମେୟ ।

ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାରେ ଦୁଇଟି ନିର୍ବାଚନମଣ୍ଡଳୀର ଦାୟିତ୍ୱ ନେଲା ପରେ ବି ବରଗଡ ଜିଲ୍ଲା ସମେତ ଏହି ଅଞ୍ଚଳରୁ ହଜାର ହଜାର ଯୁବକ ଯୁବତୀ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ କେବେ କରିବେ ? ମୁଁ ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇଦେବାକୁ ଚାହୁଁଛି ଯେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଓଡ଼ିଶା ରେଲ୍ ଇନଫ୍ରାଷ୍ଟ୍ରକଚର ଡେଭେଲପମେଣ୍ଟ ଲିମିଟେଡ (ORIDL) ବରଗଡ ରୋଡ- ନୂଆପଡା ରେଳ ଲାଇନର ଦାୟିତ୍ୱ ସଠିକ ଭାବେ ନିର୍ବାହ କରିଛନ୍ତି କି ? ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଫସଲ ବୀମାରେ ଘରୋଇ କମ୍ପାନୀଙ୍କୁ ଆପଣ ସାମିଲ କରିଥିଲେ କି ନାହିଁ ? ବରଗଡ ସୋହେଲାରେ ଚାଷୀଙ୍କ ପାଇଁ ଘୋଷଣା କରିଥିବା 100 ଟଙ୍କା ବୋନସ ରାଜ୍ୟ ସରକାର ଦେଇଛନ୍ତି କି ? ମୁଖ୍ୟମନ୍ତ୍ରୀ ବରଗଡରେ ଜଳସେଚନ ପାଇଁ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ କରିବେ ? ଆପଣ ନିର୍ଦ୍ଧାରିତ ସମୟ ସୀମା କହିବେ କି, କେବେ ଏହାର ସୁଫଳ ବରଗଡର ନାଗରିକଙ୍କୁ ମିଳିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 1 ହଜାର କୋଟି ଟଙ୍କାରୁ ଅଧିକ ଦୁର୍ନୀତିରେ ଓଡ଼ିଶା ସରକାରଙ୍କ ସମ୍ପୃକ୍ତି ଅଛି କି ନାହିଁ ? ବରଗଡ଼ ସମେତ ପଶ୍ଚିମ ଓଡ଼ିଶାକୁ ଆବାସ ଯୋଜନାରେ ଘର ବଣ୍ଟନରେ ପାତରଅନ୍ତର କରିଛନ୍ତି ନା ନାହିଁ ? ମୁଖ୍ୟମନ୍ତ୍ରୀ ନିଜ ରାଜନୈତିକ ଫାଇଦା ଦେଖି ପ୍ରତ୍ୟେକ ଯୋଜନା ପ୍ରଣୟନ କରନ୍ତି । ଆମ ଦଳ ବିଜେପି ଯୋଜନା ପ୍ରଣୟନ କରିବା ସହିତ କାର୍ଯ୍ୟକାରୀ କରିବାରେ ବିଶ୍ୱାସ କରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ପଷ୍ଟ ବିଚାର ଅଛି, ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

Spread the love