ଅଙ୍ଗନବାଡି କର୍ମୀ ହେବା ପାଇଁ ଆବଶ୍ୟକ +୨ ପାସ୍

ବଦଳିଲା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ନିଯୁକ୍ତି ପାଇଁ ମାନଦଣ୍ଡ । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ୧୮ରୁ ୩୫ ବର୍ଷ ବୟସ୍କା ସର୍ବନିମ୍ନ ଦ୍ୱାଦଶ ଉତୀର୍ଣ୍ଣ ପ୍ରାର୍ଥୀନି ଏଥିପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ପୂର୍ବରୁ ସର୍ବନିମ୍ନ ଯୋଗ୍ୟତା ଦଶମ ଥିଲା । ଏହାସହ ୨୧ରୁ ୪୫ ବର୍ଷ ବୟସ୍କା ମହିଳା ଅଙ୍ଗନବାଡ଼ି କର୍ମୀ ପାଇଁ ଆବେଦନ କରିପାରୁଥିଲେ ।ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଚିଠିରେ ଅଙ୍ଗନବାଡି କର୍ମୀ ଓ ସହାୟକଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି ହୋଇଛି । ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମାରେ ପରିବର୍ତ୍ତନ କରାଯାଇଛି । ନୂଆ ନିଯୁକ୍ତି କ୍ଷେତ୍ରରେ ଏହି ନୂଆ ଗାଇଡଲାଇନକୁ ଲାଗୁ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି ।ହେଲେ ନୂଆ ନିୟମକୁ ନାପସନ୍ଦ କରିଛି ଅଙ୍ଗନୱାଡି ସଂଘ । ଉଭୟ କର୍ମୀ ଓ ହେଲ୍ପରଙ୍କ ପାଇଁ ସମାନ ଶିକ୍ଷାଗତ ଯୋଗ୍ୟତା ରଖାଯାଇଥିବାରୁ ଅନେକ ସମୟରେ କେନ୍ଦ୍ରରେ ବିବାଦ ସୃଷ୍ଟି ହେବ ବୋଲି ସଂଘ ଆଶଙ୍କା କରିଛି । ତେବେ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ‘ପୋଷଣ- ୨.୦’ ଏବଂ ‘ସକ୍ଷମ ଅଙ୍ଗନୱାଡି’ କାର୍ଯ୍ୟକାରୀ କରିବା ପାଇଁ ଏହି ନୂତନ ନିୟମାବଳୀ ଲାଗୁ କରିବାକୁ ନିର୍ଦ୍ଦେଶ ରହିଛି । ଗତବର୍ଷ ଅଗଷ୍ଟ ୧ ତାରିଖରେ ସକ୍ଷମ ଅଙ୍ଗନୱାଡି ଏବଂ ପୋଷଣ-୨.୦ ଯୋଜନା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା ।

Spread the love