ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ଭାବରେ ଶପଥ ନେଲେ ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ

ଜମ୍ମୁ କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବରେ ଶପଥ ନେଇଛନ୍ତି ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ। ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୟୂରଭଞ୍ଜ ବେତନଟୀରେ ଜନ୍ମିତ ଏହି ଓଡ଼ିଆ ପୁଅ ପୂର୍ବରୁ କେନ୍ଦ୍ରର ଅନେକ ବିଭାଗର ସଚିବ ରହିଥିଲେ। 1985 ମସିହାରେ ଗୁଜରାଟ କ୍ୟାଡରର ଆଇଏଏସ୍ ହେଉଛନ୍ତି ଗିରୀଶ। ସେହିପରି ଲଦାଖର ପ୍ରଥମ ଉପରାଜ୍ୟପାଳ ଭାବେ ରାଧାକୃଷ୍ଣ ମାଥୁର ଆଜି ସକାଳେ ଶପଥ ନେଇଛନ୍ତି। ଜମ୍ମୁ-କଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଆରକେ ମାଥୁରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଆରେ କେ ମାଥୁର ତ୍ରିପୁରା କ୍ୟାଡ଼ରର ଆଇଏଏସ ଅଫିସର ଏବଂ ରକ୍ଷା ସଚିବ ଭାବରେ ଦାୟିତ୍ୱ ତୁଲାଇ ସାରିଛନ୍ତି। ସେହିପରି ଆଇଏଏସ ଅଧିକାରୀ ଉମଙ୍ଗ ନରୁଲା ଲଦାଖ ଉପରାଜ୍ୟପାଳଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି।

ଏସ୍‌ଏସ୍‌ ଖଣ୍ଡାରେଙ୍କୁ ଲଦାଖ ପୁଲିସ୍‌ ମୁଖ୍ୟ ଭାବେ ନିଯୁକ୍ତି ମିଳିଛି। ଆଜି ମଧ୍ୟରାତ୍ରିରୁ ଜମ୍ମୁ ଓ କଶ୍ମୀର 2 ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଛି। ଅଗଷ୍ଟ 5 ରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା 370କୁ ଉଚ୍ଛେଦ କରିଥିଲେ। ଏହାପରେ ଅକ୍ଟୋବର 31ରୁ ଜମ୍ମୁ କଶ୍ମୀର ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ଓ ଲଦାଖ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଗିରୀଶ ଆଇଏଏସ ହେବା ପରେ ଗୁଜରାଟରେ ଜିଲ୍ଲାପାଳ ଭାବେ ପ୍ରଥମେ ତାଙ୍କ କାର୍ଯ୍ୟ କରିଥିଲେ। ଏହାପରେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ। ଗିରୀଶଙ୍କ ବାପା ରେଲୱେରେ ଓ ମା’ ପୋଷ୍ଟ ଅଫିସ୍‌ରେ ଚାକିରୀ କରୁଥିଲେ । 9 ଭାଇ-ଭଉଣୀଙ୍କ ମଧ୍ୟରେ ସେ ବଡ଼।

Spread the love