ଲୋକେ ନିଜର ନିମ୍ନ ଚିନ୍ତାଧାରା ଅନୁଯାୟୀ କଥା କୁହନ୍ତି; ପ୍ରକାଶ ରାଜଙ୍କୁ ଅନୁପମଙ୍କ ଜବାବ

ମୁମ୍ବାଇ: ୨୦୨୨ରେ ବଲିଉଡ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବଡ ପରଦାରେ ରିଲିଜ୍ ହୋଇଥିବା ବେଳେ ଏହା ଏକ ବ୍ଲକବଷ୍ଟର ହିଟ୍ ବୋଲି ପ୍ରମାଣିତ ହୋଇଥିଲା। ଦର୍ଶକଙ୍କଠାରୁ ଫିଲ୍ମକୁ ବହୁତ ଭଲ ପାଇବା ମିଳିଥିଲା। ଫିଲ୍ମରେ କଶ୍ମୀର ହିନ୍ଦୁମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ଓ ପଳୟନର କାହାଣୀ ପରଦାରେ ଦେଖିଥିଲେ ଲୋକେ। ହେଲେ ଫିଲ୍ମ ରିଲିଜ୍ ପୂର୍ବରୁ ଏହାକୁ ନେଇ ବିବାଦ ହୋଇଥିବା ବେଳେ ରିଲିଜର ବର୍ଷେ ପରେ ବି ବିବାଦ ଏହି ଫିଲ୍ମ ଓ ଫିଲ୍ମର କଳାକାରଙ୍କ ପିଛା ଛାଡ଼ି ନାହିଁ। କିଛି ଦିନ ତଳେ ସାଉଥ ଷ୍ଟାର ପ୍ରକାଶ ରାଜ ଏହି ଚଳଚ୍ଚିତ୍ରକୁ ନିରର୍ଥକ ବୋଲି କହିଥିଲେ। ଏହା ଉପରେ ବଲିଉଡ ଅଭିନେତା ଅନୁପମ ଖେର ଏବେ ପ୍ରତିକ୍ରିୟ‌ା ରଖିଛନ୍ତି।

ସେ କହିଛନ୍ତି ଯେ ଲୋକମାନେ ନିଜ ନିଜର ନିମ୍ନ ଚିନ୍ତାଧାରା ଅନୁଯାୟୀ କଥା କୁହନ୍ତି। କିଛି ଲୋକଙ୍କୁ ସାରା ଜୀବନ ମିଛ କହିବାକୁ ପଡେ। କିଛି ଲୋକ ଜୀବନସାରା ସତ କୁହନ୍ତି। ମୁଁ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ଜୀବନସାରା ସତ କହି ବଞ୍ଚିବାକୁ ଭଲପାଆନ୍ତି। ଯିଏ ମିଛ କହି ବଞ୍ଚିବାକୁ ଚାହିଁବ ସେ ବଞ୍ଚିପାରିବ। ଏହି ପ୍ରତିକ୍ରିୟ‌ା ଦେବାବେଳେ ଅନୁପମ ଖେର, ପ୍ରକାଶ ରାଜଙ୍କ ନାଁ ନେଇ ନଥିଲେ। କିନ୍ତୁ ଚର୍ଚ୍ଚା ହେଉଛି ଯେ ଅନୁପମ ଖେର ଏଭଳି କହି ପ୍ରକାଶ ରାଜଙ୍କୁ ହିଁ ଜବାବ ଦେଇଥିଲେ। ତେବେ ପ୍ରକୃତରେ ଅନୁପମ କାହାକୁ ଟାର୍ଗେଟ କରି ଏଭଳି କହିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।

Spread the love