ପଂଚାୟତିରାଜ ବ୍ୟବସ୍ଥାକୁ ହତ୍ୟା କରିଛନ୍ତି ରାଜ୍ୟ ସରକାର : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର, ତା.୦୪/୦୩: ଦେଶର ଆତ୍ମା ଗ୍ରାମାଂଚଳରେ ରହିଛି । ଗ୍ରାମାଂଚଳର ବିକାଶକୁ ତ୍ୱାରାନ୍ୱିତ କରିବା ପାଇଁ ପଂଚାୟତିରାଜ ବ୍ୟବସ୍ଥା ଆରମ୍ଭ କରାଯାଇଛି । ସର୍ବଭାରତୀୟ ସ୍ତରରେ ଏପ୍ରିଲ ୨୪ ତାରିଖକୁ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିବାବେଳେ ଓଡିଶାରେ ବିଜେଡି ସରକାର ମାର୍ଚ୍ଚ ୫ ତାରିଖରେ ପାଳନ କରିବା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ପଂଚାୟତରାଜ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ ବରଂ ଓଡ଼ିଶାରେ ପଂଚାୟତିରାଜ ବ୍ୟବସ୍ଥାକୁ ରାଜ୍ୟ ସରକାର ହତ୍ୟା କରିଛନ୍ତି । ରାଜ୍ୟରେ ପଂଚାୟତରାଜ ବ୍ୟବସ୍ଥାର ଆତ୍ମା କାନ୍ଦୁଛି । ଭ୍ରଷ୍ଟାଚାର ଓ ଦୁର୍ନୀତିର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛି । ପଂଚାୟତରାଜ ବ୍ୟବସ୍ଥାକୁ ଭ୍ରଷ୍ଟାଚାର ଓ ଦୁର୍ନୀତି ଖଣିରେ ପରିଣତ କରିବାରେ ସର୍ବଶ୍ରେଷ୍ଠ ସ୍ଥାନରେ ଅଛି ଓଡ଼ିଶା । ଅତୀତରେ ପଂଚାୟତ ତଥା ଗ୍ରାମାଂଚଳର ଉନ୍ନତିକରଣ ଓ ବିକାଶ ପାଇଁ ପଲ୍ଲୀସଭା ଓ ଗ୍ରାମସଭା କରାଯାଇ ସାଧାରଣ ଗ୍ରାମବାସୀଙ୍କ ମତ ନିଅଯାଉଥିଲା । କିନ୍ତୁ ବର୍ତମାନ ଶାସକ ଦଳର ବିଧାୟକ ଓ ନେତାମାନେ ନିଷ୍ପତି ନେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ପଂଚାୟତିରାଜ ବ୍ୟବସ୍ଥାରେ ପ୍ରତ୍ୟେକ ବର୍ଷ ୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହେଉଛି । ଅନ୍ୟ ପଟେ ପଂଚାୟତିରାଜ ଦିବସ ପାଳନ ନାଁ ରେ ଡ୍ରାମାବାଜୀ କରୁଛନ୍ତି ରାଜ୍ୟ ସରକାର, ଯାହାକି ଧର୍ମକୁ ଆଖିଠାର ସଦୃଶ । ତେଣୁ ଆସନ୍ତା କାଲି ରାଜ୍ୟ ସରକାରଙ୍କ ତରଫରୁ ପାଳନ କରାଯାଉଥିବା ପଂଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ପାଳନ କରିବ ବିଜେପି । ରାଜ୍ୟର ସମସ୍ତ ୩୧୪ଟି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି କାର୍ଯ୍ୟକର୍ତାମାନେ ହାତରେ କଳା ପଟି ବାନ୍ଧି ବିରୋଧ ପ୍ରଦର୍ଶନ କରିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟର ସମସ୍ତ ୩୧୪ ବ୍ଲକ ଆଜି ଦୁର୍ନୀତି ଓ ଭ୍ରଷ୍ଟାଚାରର ବାରୁଦ ଗଦାରେ ଛିଡା ହୋଇଛି । ଲୋକଙ୍କ ଟଙ୍କାକୁ ହରିଲୁଟ୍ କରିବାର ଶେଷ ସୀମାକୁ ପହଂଚି ଯାଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ରୋକିବା ପରିବର୍ତେ ଅଧିକ ପ୍ରୋତ୍ସାହିତ କରୁଥିବା ବିଜେଡି ସରକାରଙ୍କ ପଂଚାୟତିରାଜ ଦିବସ ପାଳନ କରିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ପଂଚାୟତି ବ୍ୟବସ୍ଥାକୁ ହତ୍ୟା କରିବା ପକ୍ରିୟାକୁ ବନ୍ଦ କରନ୍ତୁ ରାଜ୍ୟ ସରକାର ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଗରୀବ ବାସହୀନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି କିଏ ଓ କାହିଁକି କରୁଛି ? ୨୦୧୯ ମସିହା ପରଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ପକ୍କାଘର ଦେବାରେ ବିଫଳ ହୋଇଥିବା ରାଜ୍ୟ ସରକାର ନୂଆ ତାଲିକା ମଧ୍ୟ ପ୍ରସ୍ତୁତ କରିଲେ ନାହିଁ କାହିଁକି ? କେନ୍ଦ୍ରରୁ ମନରେଗା ପାଇଁ ଆସୁଥିବା ବ୍ୟାପକ ଟଙ୍କାର ହରିଲୁଟ୍ ଓ ଦୁର୍ନୀତି କିଏ କରୁଛି ? ମିଛ ବିଲ୍ ଏବଂ ମିଛ ଜବ୍ କାର୍ଡ ଦ୍ୱାରା ସର୍ବନିମ୍ନ ହଡପ୍ ହେଉଥିବା ୩୦ ରୁ ୩୫ ପ୍ରତିଶତ ଟଙ୍କା କାହା ପକେଟକୁ ଯାଉଛି ? ଏଥିରେ ଶାସକ ଦଳର ନେତା ଓ ମନ୍ତ୍ରୀଙ୍କ ସଂପୃକ୍ତି ନାହିଁ କି ? ସିଏଫସି (ସେଂଟ୍ରାଲ ଫାନାନ୍ସ କମିଶନ) ଟଙ୍କାକୁ ସିଧାସଳଖ ପଂଚାୟତର ବିକାଶ ପାଇଁ ଖର୍ଚ୍ଚ କରାନଯାଇ କାହିଁକି ଡାଇଭର୍ଟ କରି ଅନ୍ୟ ଆଡେ ଖର୍ଚ୍ଚ କରାଯାଉଛି ? ଏହି ଟଙ୍କାକୁ ରାଜ୍ୟ ସରକାର “ରି ବ୍ରାଣ୍ଡିଂ” କରି ହଡପ୍ କରୁନାହାନ୍ତି କି ? ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନରେ (ଏନ୍‌ଏଫ୍‌ଏସ୍‌ଏ) ପଂଜୀକୃତ ହୋଇଥିବା ୯୫ଲକ୍ଷ ୭୪ହଜାର ରାସନ କାର୍ଡରେ ଥିବା ୨୦ପ୍ରତିଶତରୁ ଅଧିକ ଅଯୋଗ୍ୟ ହିତାଧିକାରୀମାନେ ବିଜେଡିର କାର୍ଯ୍ୟକର୍ତା ନୁହନ୍ତି କି ଏବଂ ତାଙ୍କୁ ତାଲିକାରୁ କାହିଁକି ବାଦ୍ ଦିଆଯାଉନାହିଁ ? ନିର୍ବାଚନ ସମୟରେ ଭୋଟ ହାତେଇବା ଉଦ୍ଦେଶ୍ୟରେ ଶାସକ ବିଜେଡି ଦ୍ୱାରା ବଂଟନ ହୋଇଥିବା ପାଖାପାଖି ୩ ଲକ୍ଷ ଡୁପ୍ଲିକେଟ ରାସନ କାର୍ଡ ଓ ବଂଟନକାରୀଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ? ଗ୍ରାମାଂଚଳର ବିକାଶରେ ବଡ ବାଧକ ସାିଛନ୍ତି ରାଜ୍ୟ ସରକାର । କୈାଣସି ଉନ୍ନତିମୁଳକ ପ୍ରକଳ୍ପ କାର୍ଯ୍ୟ ତଥା ନିର୍ମାଣ ପାଇଁ ଆସୁଥିବା ଟଙ୍କାର ପାଖାପାଖି ୫୦ ପ୍ରତିଶତ ପିସି ମନ୍ତ୍ରୀ, ଶାସକ ଦଳର ସ୍ଥାନୀୟ ବିଧାୟକ ଓ ନେତା ଏବଂ ସ୍ଥାନୀୟ ଜେଇ, ବିଡିଓମାନେ ମିଳିମିଶି ହଡପ୍ କରୁନାହାନ୍ତି କି ? ଯେଉଁ ସ୍ଥାନରେ ବିରୋଧୀ ଦଳର ସରପଂଚ ଅଛନ୍ତି, ସେଠି ଷଡଯନ୍ତ୍ର କରି ପ୍ରକଳ୍ପକାମ ବନ୍ଦ କରାଯାଉନାହିଁ କି ? ଆସନ୍ତା କାଲି ପଂଚାୟତିରାଜ ଦିବସ ପାଳନ କରିବା ପୂର୍ବରୁ ରାଜ୍ୟ ସରକାର ୫ଟି ପ୍ରସଙ୍ଗରେ ଓଡିଶାବାସୀଙ୍କ ପ୍ରଶ୍ନର ଜବାବ୍ ରଖିବା ଉଚିତ୍ ବୋଲି ଶ୍ରୀ ହରିଚନ୍ଦନ ଦାବୀ କରିଛନ୍ତି ।
ପଂଚାୟତକୁ ମିନି ସେକ୍ରେଟେରୀଏଟ୍ ବୋଲି କହୁଥିବା ରାଜ୍ୟ ସରକାର ଆଜି ସେହି ମିନି ସେକ୍ରେଟେରୀଏଟ୍‌କୁ ଭ୍ରଷ୍ଟାଚାରର ଗନ୍ତାଘରରେ ପରଣତ କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ରାଜେନ୍ଦ୍ର ପଣ୍ଡା ଓ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love