ପ୍ରତାପ ହେବେ ଅନୁଗୁଳ ବିଜେପି ବିଧାୟକ ପ୍ରାର୍ଥୀ: କେନ୍ଦ୍ର ମନ୍ତ୍ରୀଙ୍କ ତାଗିଦ, ସମର୍ଥନ କର ନଚେତ ଦଳ ଛାଡ

ଅନୁଗୁଳ,  (ବିକାଶ ଚନ୍ଦ୍ର ସାହୁ )  କେନ୍ଦ୍ର ପେଟ୍ରୋଲ,ପ୍ରାକୃତିକ ଗ୍ୟାସ ଓ ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ବଅଁରପାଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରଜତ ଜୟନ୍ତୀ ପାଳନ ଉତ୍ସବ ରେ ଯୋଗ ଦେବା ପାଇଁ ଆସିଥିଲେ । ତେବେ ତାଙ୍କର ଏହି ଗସ୍ତ ସମୟରେ ଭାରତୀୟ ଜନତା ପାର୍ଟୀର କିଛି କାର୍ଯ୍ୟକର୍ତ୍ତାଙ୍କ ଉପରେ ଖୁବ୍ ବର୍ଷିବାର ଦେଖିବାକୁ ମିଳିଥିଲା ।

ମନ୍ତ୍ରୀ ବିଦ୍ୟାଳୟର କାର୍ଯ୍ୟକ୍ରମ ସାରି ଫେରିବା ବେଳେ ଅନୁଗୁଳର ବିଜେପି ନେତା ପ୍ରତାପ ପ୍ରଧାନଙ୍କ ସମେତ ଅନ୍ୟ କିଛି କର୍ମୀ ମାନଙ୍କ ସହ କିଛି ସମୟ ଆଲୋଚନା କରିଥିଲେ । ତେବେ ଏହି ଆଲୋଚନା ବେଳେ ମନ୍ତ୍ରୀ ପ୍ରତାପ ପ୍ରାଧାନ ଆଗାମୀ ନିର୍ବାଚନରେ ଭାଜପାର ବିଧାୟକ ପ୍ରାର୍ଥୀ ବୋଲି ଖୁଲମଖୁଲା କହିଥିବାବେଳେ ତାଙ୍କୁ ସମର୍ଥନ ଦେବା ପାଇଁ ଉପସ୍ଥିତ ଭାଜପା କର୍ମୀ ମାନଙ୍କୁ କହିଥିଲେ ।

ଏପରିକି କିଛି ଆଶାୟୀ ବିଧାୟକ ପ୍ରାର୍ଥୀ ମାନଙ୍କୁ ପ୍ରତାପ ପ୍ରଧାନଙ୍କୁ ବିରୋଧ କରୁଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ କରିବା ସହ ତାଗିଦ କରିଥିଲେ । ପ୍ରତାପଙ୍କୁ ସମର୍ଥନ ନକଲେ ଦଳ ଛାଡି ଦିଅ ବୋଲି ମଧ୍ୟ କହିଥିଲେ କେନ୍ଦ୍ର ମନ୍ତ୍ରୀ ।

ତେବେ ଏହି କଥାକୁ ନେଇ କିଛି ଆଶାୟୀ ବିଧାୟକ ପ୍ରାର୍ଥୀ ସେମାନଙ୍କ ଅସନ୍ତୋଷ ଜାହିର କରିବାବେଳେ ମନ୍ତ୍ରୀଙ୍କ ସହ ଯୁକ୍ତିତର୍କ ମଧ୍ୟ କରୁଥିବାର ଦେଖିବାକୁ ମିଳିଥିଲା । ହେଲେ କେନ୍ଦ୍ର ମନ୍ତ୍ରୀ ସେମାନଙ୍କ କଥାକୁ ଭୃକ୍ଷେପ ନକରି ପୁଣି ଥରେ ଦଳ ପାଇଁ ଓ ଦଳ ନେଉଥିବା ନିଷ୍ପତ୍ତି ଅନୁସାରେ କାମ ନକଲେ ଦଳ ଛାଡିଦେବାକୁ କହି ଚାଲି ଯାଇଥିଲେ । ଏଭଳି ଘଟଣା ଆଜି ଅନୁଗୁଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଗୋଟିଏ ପଟେ ପ୍ରତାପ ପ୍ରଧାନଙ୍କ ସମର୍ଥକ ମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।

ସେମାନେ ବେଶ୍ ଖୁସି ଜାହିର କରିବା ସହ ସାମାଜିକ ଗଣମାଧ୍ୟମରେ ପ୍ରତାପଙ୍କୁ ଅନେକ ଶୁଭେଛା ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଆଶାୟୀ ବିଧାୟକ ପ୍ରାର୍ଥୀ ଏବଂ ଗତ ଥରର ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଛି ।

Spread the love