ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ ଅଘଟଣ: ଦୁଇଭାଇଙ୍କ ସମେତ ୮ ମୃତ

ଭୁବନେଶ୍ବର: ସମଗ୍ର ଦେଶ ସହିତ ଓଡ଼ିଶାରେ ମଧ୍ୟ ବୁଧବାର ରଂଗର ପର୍ବ ‘ହୋଲି’ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ତେବେ ହୋଲି ଖେଳ ପରେ କିଛି ଅଘଟଣ ସାମ୍ନାକୁ ଆସିଛି।  ରଙ୍ଗଖେଳ ସମୟରେ ଅସତର୍କ ରହିବ‌େ କିଛି ଲୋକଙ୍କ ପାଇଁ ମହଙ୍ଗା ପଡ଼ିଛି। ଆନନ୍ଦ ଦୁଃଖରେ ପରିଣତ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହୋଲି ସମୟରେ ଅଘଟଣର ଖବର ଆସିଛି।

ଗାଧେ‌ାଇବା ବେଳେ ପାଣିରେ ବୁଡ଼ି, ସଡ଼କ ଦୁର୍ଘଟଣା ଓ ହିଂସାକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କ ମଧ୍ୟରେ ୨ ଭାଇ ଓ ଜଣେ ନାବଳକ ମଧ୍ୟ ସାମିଲ ଅଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କେଶପୁର ପଞ୍ଚାୟତ ମୂଷାଡ଼ିହା ଗାଁରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ଖେଳ ସାରି ଗାଧୋଇବା ବେଳେ ୨ ଭାଇ ବ୍ରାହ୍ମଣୀ ନଦୀରେ ବୁଡ଼ିଯାଇଛନ୍ତି। ସେସାନଙ୍କର ମୃତଦେହ ଉଦ୍ଧାର କରାଯାଇଛି।
ସେହିପରି ନିଶା ଖାଇ ଗାଡ଼ି ଚଳାଉଥିବା ବେଳେ ଭୁବନେଶ୍ବରରେ ଦୁର୍ଘଟଣା ଘଟିଛି। ଭୁବନେଶ୍ୱର ଉପକଣ୍ଠ ଜରିପାଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସିଆରପି ଓଭର ବ୍ରିଜ୍‌ ଉପରେ ଦୁର୍ଘଟଣାରେ ଆଉ ଜଣେ ଯୁବକଙ୍କ ଜୀବନ ଯାଇଛି। ଚଳିତବର୍ଷ ହୋଲିରେ ନିଶାଗ୍ରସ୍ତ ଅବସ୍ଥାରେ ଅନେକ ଲୋକ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ରାଜଧାନୀର ଚିଲିପୋଖରୀ ଶିବ ନଗରରେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି। ହୋଲିରେ ରଙ୍ଗ ଖେଳ ସାରି ଯୁବକମାନେ ସାଙ୍ଗ ହୋଇ ଭୋଜି ଖାଉଥିବା ବେଳେ ହଠାତ ୩ଜଣ ସେଠାରେ ପହଞ୍ଚି ଆକ୍ରମଣ କରିଥିଲେ।କଟୁରୀ ଭଳି ମାରଣାସ୍ତ୍ରରେ ମୁଣ୍ଡକୁ ହାଣିବା ସହ ନିକଟ କେନାଲରେ ବୁଡେଇ ମାରିବାକୁ ଚେଷ୍ଟା କରିଥିଲେ। ଅଭିଯୁକ୍ତ ତପୁ, ସିପୁ, ଭିକିଙ୍କ ନାଁରେ ଏନେଇ ବଡଗଡ଼ ଥାନାରେ ଅଭିଯୋଗ ହୋଇଛି। ରକ୍ତାକ୍ତ ଅବସ୍ଥାରେ ଆହତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୨ ଜଣ ଗୁରୁତର ଅଛନ୍ତି।

ଗଛରେ ପିଟିହେଲେ ୩ ଯୁବକ
ଯାଜପୁର ଜିଲ୍ଲା ବିଂଝାରପୁର ଥାନା କପିଳା ଛକ ନିକଟରେ ବାଇକ ଆରୋହୀମାନେ ଦୁର୍ଘଟଣାର ଶିକାର ହୋଇଥିଲେ। ହୋଲି ଖେଳି ସାଙ୍ଗମାନଙ୍କ ସହ ବାଇକ୍‌ରେ ଦ୍ରୁତଗତିରେ ଯାଉଥିଲା ବେଳେ ଗଛରେ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଅନ୍ୟ ୨ ଜଣ ଯୁବକ ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୃତକ ହେଲେ ପ୍ରୀତିପୁର ଅଂଚଳର ଚନ୍ଦନ ଦାସ। ଆହତ ଦୁଇ ଜଣ ହେଲେ ଧନେଶ୍ଵର ବେହେରା ଓ ଦିବ୍ୟଜ୍ୟୋତି ମହାନ୍ତି। ଆହତ ଦ୍ବୟଙ୍କୁ କଟକ ସ୍ଥାନାନ୍ତରିତ କରାଯାଉଛି।

Spread the love